ଆଗକୁ ଚନ୍ଦନ ଯାତ୍ରା, ବିନ୍ଦୁସାଗରରେ ଏବେ ବି ଦଳ ଭର୍ତ୍ତି

ପୁରୁଣା ଭୁବନେଶ୍ୱର : ଆଗକୁ ରହିଛି ପ୍ରସିଦ୍ଧ ଚନ୍ଦନ ଯାତ୍ରା। ଆସନ୍ତା ଅକ୍ଷୟ ତୃତୀୟାଠାରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମା’ ପାର୍ବତୀଙ୍କୁ ସାଙ୍ଗରେ ଆଣି ବିନ୍ଦୁସାଗର ପୁଷ୍କରିଣୀରେ ଚାପ ଖେଳିବେ। ହେଲେ ବିନ୍ଦୁସାଗରର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ନିୟମିତ ସଫେଇ ଓ ସୁରକ୍ଷା ଅଭାବରୁ ଏହାର ଜଳ ପ୍ରଦୂଷିତ ହୋଇ ପଡ଼ିଛି। ପୁଷ୍କରିଣୀର ଚତୁଃପାର୍ଶ୍ୱରେ କିଛି ଦଳ ସଫା ହୋଇଥିଲେ ମଧ୍ୟ ଏବେ ବି ଦଳ ରହିଛି। ଯାହା ଆସନ୍ତା ଚନ୍ଦନ ଯାତ୍ରାରେ ସମସ୍ୟା ସୃଷ୍ଟି କରିବ। ଏହାର ଚତୁଃପାର୍ଶ୍ବକୁ ଆଲୋକୀକରଣ କରାଯାଇଥିବା ବେଳେ ମ୍ୟୁଜିକାଲ ଫାଉଣ୍ଟେନ୍‌ ଚାଲିଛି। ମାତ୍ର ଦଳ ସମସ୍ୟା ଏବେ ପ୍ରଶାସନକୁ ଚିନ୍ତାରେ ପକାଇଛି। ଏନେଇ ବିଏମ୍‌ସିକୁ ଚିଠି ଲେଖାଯିବ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି। ପ୍ରକାଶଯୋଗ୍ୟ, ୨୨ଦିନ ଧରି ହେବାକୁ ଥିବା ଚନ୍ଦନ ଯାତ୍ରାରେ ଜଗତି ଚାରିପଟେ ଚାପ ଡଙ୍ଗା ବୁଲିବ। ବିଭିନ୍ନ ଘାଟ କୂଳରେ ଠାକୁର ଭୋଗ ଖାଇବେ। ତେବେ ଘାଟ କୂଳ ସମେତ ବିନ୍ଦୁସାଗରରେ ଦଳ ଭର୍ତ୍ତି ରହିଛି। ଏହାକୁ ସଫେଇ କରିବାକୁ ସେବାୟତମାନେ ଦାବି କରିଛନ୍ତି। ଅପରପକ୍ଷରେ ବିନ୍ଦୁସାଗରର ପୁନରୁଦ୍ଧାର ପାଇଁ ୱାପକୋସ୍ ସଂସ୍ଥା ଡିପିଆର୍ ପ୍ରସ୍ତୁତ କରିଛି। ଏହା ଶୀଘ୍ର କାର୍ଯ୍ୟକାରୀ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର