ବିନ୍ଦୁସାଗରରେ ପୁଣି ମାଡ଼ିଗଲାଣି ଚିଙ୍ଗୁଡ଼ିଆ ଦଳ: ପରୀକ୍ଷଣରେ ଲଟକିଛି ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପ

ପୁରୁଣା ଭୁବନେଶ୍ବର: ଗତ ଚାରି ମାସରେ ଦୁଇ ଦୁଇ ଥର ଦଳ ସଫା ହେଲାଣି। କିନ୍ତୁ ବିନ୍ଦୁସାଗର ପୁଷ୍କରିଣୀରେ ପୁଣି ମାଡ଼ିଗଲାଣି ଚିଙ୍ଗୁଡ଼ିଆ ଦଳ। ପୋଖରୀ ସାରା ମାଡ଼ିଯାଇଛି ଦଳ। ଫଳରେ ଏହି ପୋଖରୀ ଜଳକୁ ସ୍ବଚ୍ଛ କରିବାକୁ ହେଉଥିବା ପଦକ୍ଷେପ ବାରମ୍ବାର ବିଫଳ ହେଉଛି। ଏଣେ ‘ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପ’ ପରୀକ୍ଷଣରେ ଲଟିକିଛି। କାମ ସରିଯାଇଥିଲେ ହେଁ ମାସମାସ ଧରି ପରୀକ୍ଷଣ ଚାଲିଛି। ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ପ୍ରକଳ୍ପର ଉଦ୍‌ଘାଟନ କରାଯାଉନାହିଁ ଓ ବିଭିନ୍ନ ବାହାନା ଦେଖାଇ ପ୍ରକଳ୍ପକୁ ଅଟକାଇ ରଖାଯାଇଛି ବୋଲି ବୁଦ୍ଧିଜୀବୀମହଲରୁ କଥା ଉଠିଲାଣି।

ବିନ୍ଦୁସାଗର ଜଳ ପ୍ରବାହିତ ହେଉନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହେଉଛି। ସାଧାରଣତଃ ପୋଖରୀ ଜଳ ବର୍ଷକୁ ଥରେ ବା ଦି’ଥର ପ୍ରବେଶ ଓ ନିସ୍କାସନ ହେଲେ, ଜଳ ସ୍ବଚ୍ଛ ରହେ। ମାତ୍ର ସହର ବଢ଼ିବା ଫଳରେ ଗତ କିଛି ବର୍ଷ ହେଲା ବିନ୍ଦୁସାଗରକୁ ବାହାରୁ ଜଳ ପ୍ରବେଶ କରିବା ଓ ପୋଖରୀରୁ ଜଳ ବାହାରିବା ବାଧାପ୍ରାପ୍ତ ହେଉଛି। ତେଣୁ ଚିଙ୍ଗୁଡ଼ିଆ ଦଳ ଓ ଅନ୍ୟାନ୍ୟ ଜଳଜ ଗୁଳ୍ମ ଜନ୍ମ ହେବା ସହ ଜଳ ଦୂଷିତ ହୋଇଯାଉଛି। ତେଣୁ ଏହି ଜଳକୁ ପ୍ରବାହମାନ ଅବସ୍ଥାକୁ ଆଣିବା ପାଇଁ ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଆରମ୍ଭ ହୋଇଛି। ଏହି କାର୍ଯ୍ୟ ପାଇଁ ୨୦୧୯ରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅଶୋକଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ସେହିପରି ୨୦୨୧ ଜାନୁଆରି ୯ରେ ଇଣ୍ଡିଆନ୍‌ ଅଏଲ୍‌ର ସିଏସ୍‍ଆର ପାଣ୍ଠିରୁ ମଧ୍ୟ ଅନୁଦାନ ମିଳିଥିଲା।

୭୦ ଲକ୍ଷ ଟଙ୍କା ବ୍ୟୟରେ ପୋଖରୀ ୪ କଡ଼ରେ ୪ଟି ମଟର ଲଗାଯାଇଥିଲା। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏଥିରେ ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡ୍ (ଓବିସିସି)ର ସହଭାଗିତା ରହିଛି। ଏବେ ଦୟା ନଦୀରୁ ବିନ୍ଦୁସାଗର ଯାଏ ୩ କୋଟି ୮୫ ଲକ୍ଷ ଟଙ୍କା ଖର୍ଚ୍ଚରେ ପାଇପ୍ ବିଛା କାମ କରାଯାଇଛି। ସେହିପରି ଦୟା ନଦୀରେ ଏକ ପମ୍ପ ହାଉସ୍‌ କରାଯାଇଛି। ପ୍ରାୟ ୧କୋଟି ଟଙ୍କା ବ୍ୟୟରେ ସାମନ୍ତରାପୁରଠାରେ ୱାଟ୍‌କୋ କାର୍ଯ୍ୟାଳୟଠାରେ ଏକ ବିଶୋଧନ ପ୍ଲାଣ୍ଟ ମଧ୍ୟ କରାଯାଇଛି। ୱାଟ୍‌କୋ କାର୍ଯ୍ୟାଳୟ ପରିସରରୁ ବିଶୋଧିତ ଜଳ ବିନ୍ଦୁସାଗରକୁ ଆସିବା ପାଇଁ ପାଇପ୍‌ ବିଛା କାମ ସରିଛି। ଏପରିକି ବିନ୍ଦୁସାଗର ଚାରିପଟେ ପାଇପ୍‌ ବୁଲା ହୋଇ ପାଣି ପଡ଼ିବା ଟ୍ରାଏଲ୍‌ ସରିଛି। ପ୍ରତିଦିନ ୨୦ ଲକ୍ଷ ଲିଟର ଜଳ ଆସି ୧୬ଟି ସ୍ଥାନରେ ଏହି ପାଣି ବିନ୍ଦୁସାଗରରେ ପଡ଼ିବ। ଏନେଇ ବାରମ୍ବାର ପରୀକ୍ଷଣ କରାଯାଉଛି। କିନ୍ତୁ ପ୍ରକଳ୍ପର ଉଦ୍‌ଘାଟନ କରାଯାଉନାହିଁ। ଫଳରେ ପୁଣି ପୋଖରୀ ସାରା ଚିଙ୍ଗୁଡ଼ିଆ ଦଳ ଭର୍ତ୍ତି ହୋଇଗଲାଣି। ଏନେଇ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ରଙ୍କ କହିବା କଥା କେବଳ ଯୋଜନା କରାଯାଉଛି ସିନା ଫଳ ଶୂନ। ରାଜନୈତିକ ଉଦ୍ଦେଶ୍ୟ ରଖି ଓ ନିର୍ବାଚନକୁ ଆଖି ଆଗରେ ରଖି ଏଭଳି କାମ କରାଯାଉଛି। ସେହିଭଳି ସାମାଜିକ କର୍ମୀ ଭୀଷ୍ମନାରାୟଣ ନାୟକ ଅଭିଯୋଗ କରିଛନ୍ତି ଯେ ଚିଙ୍ଗୁଡ଼ିଆ ଦଳ ସଫେଇରେ ବେଶ୍ ହାତ ଚିକ୍କଣ ହେଉଛି। ତେଣୁ ବାରମ୍ବାର ଦଳ ବଢ଼ିବାକୁ ସୁଯୋଗ ଦିଆଯାଉଛି ଓ ପୁଣି ବିଏମ୍‌ସି ନିଯୁକ୍ତ ଠିକାଦାର ଦ୍ବାରା ସଫେଇ କରାଯାଇ ହାତ ଚିକ୍କଣ କରାଯାଉଛି। ଗତ ଦଶହରା ଠାରୁ ଏ ପର୍ଯ୍ୟନ୍ତ ୨ ଥର ଦଳ ସଫେଇ କରାଯାଇଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏବେ ପୁଣି ଦଳ ଭର୍ତ୍ତି ହୋଇଛି ଓ ସଫେଇ କରାଯିବ।

ସମ୍ବନ୍ଧିତ ଖବର