ଭୁବନେଶ୍ବର: ବିଏମ୍‌ସି ସଂଗ୍ରହ କରୁଥିବା ଓଦାବର୍ଜ୍ୟରୁ ବାୟୋଗ୍ୟାସ୍‌ ପ୍ରସ୍ତୁତି ପାଇଁ ବିଏମ୍‌ସି ପ୍ରତିଷ୍ଠା କରିବାକୁ ଯାଉଥିବା ବାୟୋମିଥେନ୍‌ ଗ୍ୟାସ୍‌ ପ୍ଲାଣ୍ଟ ଆଶା ମଉଳି ଯାଇଛି। ଗତ ନଭେମ୍ବର ମାସରେ ଡକାଯାଇଥିବା ଟେଣ୍ଡରରେ କୌଣସି ସଂସ୍ଥା ଭାଗ ନନେବାରୁ ଟେଣ୍ଡର ବାତିଲ କରି ଦିଆଯାଇଛି। ଫଳରେ ଚଳିତ ବର୍ଷ ଶେଷ ଆଡ଼କୁ ଯେଉଁ ବାୟୋଗ୍ୟାସ୍‌ ଉତ୍ପାଦନ କରିବାକୁ ବିଏମ୍‌ସି ଲକ୍ଷ୍ୟ ରଖିଥିଲା, ତାହା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ବଡ଼କଥା ହେଉଛି, ଏହି ପ୍ଲାଣ୍ଟ ଫଳରେ ବିଏମ୍‌ସି ଯେଉଁ ପରିମାଣର ଓଦା ଆବର୍ଜନା ପରିଚାଳନା କରିବାକୁ ଆଶା ଥିଲା, ସେଥିରେ ମଧ୍ୟ ଝଟ୍‌କା ଲାଗିଛି।

Advertisment

ଭୁବନେଶ୍ବରରେ ଜନସଂଖ୍ୟା ଦ୍ରୁତଗତିରେ ବଢ଼ୁଛି। ୨୦୨୩ ଆରମ୍ଭରେ ସହରରୁ ଦୈନିକ ୫୫୦ରୁ ୬୦୦ ମେଟ୍ରିକ୍‌ ଟନ୍‌(ଏମ୍‌ଟି) ଆବର୍ଜନା ବାହାରୁଥିବା ବେଳେ ଏବେ ଏହାର ପରିମାଣ ୧୦୦୦ ଏମ୍‌ଟିରେ ପହଞ୍ଚିଛି। ଏଥିରେ ସବୁଜ ଓ ଉଦ୍ୟାନ ଆବର୍ଜନାର ପରିମାଣ ୧୨୦ରୁ ୧୫୦ ଏମ୍‌ଟି ରହିଛି। ଏହି ଆବର୍ଜନା ହେଉଛି ସହରରୁ କଟା ଯାଉଥିବା ଡାଳ, ବୁଦା ଓ ପରିବା। ଏସବୁ ଆବର୍ଜନା ୱେଲ୍‌ଥ ସେଣ୍ଟର ବା ଏମ୍‌ସିସିକୁ ଯାଉଛି। ଏହି ସବୁ ଆବର୍ଜନାରୁ ଗ୍ୟାସ୍‌ ପ୍ରସ୍ତୁତ କରିବା ପାଇଁ ବିଏମ୍‌ସି ଯୋଜନା କରିଥିଲା। ଏଣୁ ପ୍ରଥମେ ଏ ସବୁକୁ ପୃଥକ୍‌ ପୃଥକ୍‌ ସଂଗ୍ରହ କରିବା ପାଇଁ ବିଏମ୍‌ସି ଏକ ଏଜେନ୍‌ସି ଚୟନ କରିବାକୁ ଟେଣ୍ଡର କରିଥିଲା। ବଛାବଛି ପରେ ତାହା ସିଧାସଳଖ ବାୟୋଗ୍ୟାସ୍‌ ପ୍ଲାଣ୍ଟକୁ ଯିବାକୁ ଯୋଜନା ହୋଇଥିଲା। ଏହାପରେ ଜାନୁଆରି ୬ ତାରିଖରେ ବସିଥିବା ସ୍ବତନ୍ତ୍ର ପରିମଳ ବୈଠକରେ ବ‌ାୟୋଗ୍ୟାସ୍‌ ପ୍ଲାଣ୍ଟ ଯୋଜନାକୁ କର୍ପୋରେସନର ସ୍ବୀକୃତି ମିଳିଥିଲା। ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ‘ଏମ୍ପାୱାରମେଣ୍ଟ କମିଟି ଅଫ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌’ ଏହାକୁ ମଞ୍ଜୁରି ପ୍ରଦାନ କଲା।

ମଞ୍ଜୁରୀ ମିଳିବା ପରେ ବିଏମ୍‌ସି ଏହାକୁ ୪ଟି ଜାଗାରେ ଥିବା ଏସ୍‌ଟିପି ପରିସରରେ ସ୍ଥାପନ କରିବାକୁ ସ୍ଥିରକଲା। ଏହି ୪ଟି ପ୍ଲାଣ୍ଟକୁ ଦିନକୁ ୨ଶହ ଟନ୍‌ ଆବର୍ଜନା ପରିଚାଳନା କରିବା ଭଳି କ୍ଷମତା ସମ୍ପନ୍ନ କରିବାକୁ ଯୋଜନା ହୋଇଥିଲା। ସେଥିରୁ ୪ଟନ୍‌ ଗ୍ୟାସ୍‌ ଉତ୍ପାଦନ ହୋଇଥାନ୍ତା। ପିପିପି ମୋଡ୍‌ରେ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ଯୋଜନା କରି ପାର୍ଟନର ସଂସ୍ଥା ଚୟନ ପାଇଁ ବିଏମ୍‌ସି ଟେଣ୍ଡର ଆହ୍ବାନ କରିଥିଲା। ପ୍ରତି ପ୍ଲାଣ୍ଟ ସ୍ଥାପନ ପାଇଁ ୨୫ କୋଟି ୩୦ ଲକ୍ଷ ହିସାବରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଖର୍ଚ୍ଚ ହେବାକୁ ଥିଲା। ସମ୍ପୃକ୍ତ ସଂସ୍ଥା ଏହି ଖର୍ଚ୍ଚ ବହନ କରିଥାନ୍ତା। ବିଏମ୍‌ସି କେବଳ ପ୍ଲାଣ୍ଟ ସ୍ଥାପନ ପାଇଁ ଜମି ଯୋଗାଇ ଦେଇଥାନ୍ତା। ଏଥିପାଇଁ ରୋକଟ, ମେହେରପଲ୍ଲୀ, କୋଚିଲାପୁଟ ଓ ବାସୁଆଘାଇରେ ଥିବା ଏସ୍‌ଟିପି(ମଳ ପରିଚାଳନା କେନ୍ଦ୍ର)ରେ ଗୋଟିଏ ଗୋଟିଏ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ୨ରୁ ୨.୫ ଏକର ଜମି ଚିହ୍ନଟ ହୋଇଥିଲା। ଏହା ସଫଳ ହେଲେ ଏହାର କ୍ଷମତା ବଢ଼ାଇବାକୁ ଯୋଜନା ଥିଲା। ଚୁକ୍ତିନାମାର ବର୍ଷେ ମଧ୍ୟରେ ଠିକା ସଂସ୍ଥା ପ୍ଲାଣ୍ଟ ସ୍ଥାପନ କରିବା ସହ ଚଳିତ ବର୍ଷ ଶେଷ ଆଡ଼କୁ ସିଏନ୍‌ଜି ଗ୍ୟାସ୍‌ ଉତ୍ପାଦନ ଆରମ୍ଭ ହେବା ସ୍ଥିର କରାଯାଇଥିଲା।

ଏହି ପ୍ଲାଣ୍ଟ ପାଇଁ ସବୁଜ ତଥା ଉଦ୍ୟାନ ବର୍ଜ୍ୟ ପୃଥକ୍‌ ଭାବେ ସଂଗ୍ରହ କରିବାକୁ ବିଏମ୍‌ସି ଠିକା ସଂସ୍ଥା ଚୟନ କରିବାକୁ ଟେଣ୍ଡର କରିଥିଲା। ସହରରୁ ଆବର୍ଜନା ଉଠାଇବା ପାଇଁ ୧୦ ପ୍ୟାକେଜ୍‌ରେ ଠିକାଦାରଙ୍କୁ ନିୟୋଜିତ କରାଯାଇଛି। କିନ୍ତୁ ତାହା ତ୍ରୁଟିପୂର୍ଣ୍ଣ ହୋଇଥିବାରୁ ଏହି ସବୁଜ ଆବର୍ଜନା ବା ଗ୍ୟାସ୍‌ ପ୍ଲାଣ୍ଟ ପାଇଁ ଆବଶ୍ୟକ ହେଉଥିବା ସବୁଜ ବର୍ଜ୍ୟ ପୃଥକ୍‌ ହୋଇ ପାରିଲାନାହିଁ। ଫଳରେ ଆଉ ଏକ ସଂସ୍ଥା ଚୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ବସିଥିଲା ବିଏମ୍‌ସି। ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ, ଟେଣ୍ଡର ବାତିଲ୍‌ ହେବା ପରେ ଇଣ୍ଡିଆନ୍‌ ଅଏଲ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ନିଜଆଡ଼ୁ ପ୍ରସ୍ତାବ ଦେଇଛି। ବିଏମ୍‌ସି ଏହି ପ୍ରସ୍ତାବକୁ ଗ୍ରହଣ କରି ଡିପିଆର ପ୍ରସ୍ତୁତ କରିବାକୁ କହିଛି। ଡିପିଆର ବିଏମ୍‌ସିର ସ୍ବୀକୃତି ପାଇଲେ ଇଣ୍ଡିଆନ୍‌ ଅଏଲ୍‌ ଏହି ଗ୍ୟାସ୍‌ ପ୍ଲାଣ୍ଟ ପ୍ରସ୍ତୁତ କରିବ। କିନ୍ତୁ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବାରୁ ବିଏମ୍‌ସି ଏ ଦିଗରେ ଆଗେଇ ପାରିନାହିଁ। ନିର୍ବାଚନ ପରେ ସମ୍ପୃକ୍ତ ସଂସ୍ଥା ବିଏମ୍‌ସିରେ ଡିପିଆର ଉପସ୍ଥାପନ କରିବ।