ଅକ୍ଷୟ ତୃତୀୟାରୁ ବାୟୋମାଇନିଂ

ଟିଟିଏସ୍‌ର ବିକଳ୍ପ ନାହିଁ, ଆବର୍ଜନା ଗଦେଇବେ କେଉଁଠି?

ଭୁବନେଶ୍ବର: ଭୁଆସୁଣିରେ ବାୟୋ ମାଇନିଂ ପ୍ରକଳ୍ପ ଆରମ୍ଭ ହେବା ପାଇଁ ସବୁ ସରିଥିଲେ ମଧ୍ୟ ନୂଆ ଆବର୍ଜନା ଗଦା ହେଉଥିବାରୁ ପ୍ରକଳ୍ପ ଆରମ୍ଭ ହୋଇ ପାରୁନାହିଁ। ନୂଆ ଆବର୍ଜନା ଗଦା‌ କରିବା‌ ବନ୍ଦ କଲେ ଯାଇ ଏହି କାମ ଆରମ୍ଭ ହେବ ବୋଲି ଠିକା ସଂସ୍ଥାମାନେ ସର୍ତ୍ତ ରଖିବା ପରେ ବିଏମ୍‌ସିର ଅକଲ ଗୁଡ଼ୁମ୍‌ ହୋଇଥିଲା। ଏ ନେଇ ‘ସମ୍ବାଦ’ରେ ଗତ ୧୫ ତାରିଖରେ ଖବର ପ୍ରକାଶ ପାଇବା ପରେ ମେୟର ସୁଲୋଚନା ଦାସ ତନାଘନା କରିଛନ୍ତି। କିଭଳି ତୁରନ୍ତ ଏହି ପ୍ରକଳ୍ପ କାମ କରିବ ସେ ନେଇ ଗୁରୁତ୍ବାରୋପ କରିଛନ୍ତି। ଆଜି ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ଏକ ଗୁରୁତ୍ବପୂର୍ଣ୍ଣ ‌‌‌ବୈଠକ ବସିବା ସହ ଯେ କୌଣସି ମୂଲ୍ୟରେ ମେ ୩ ତାରିଖରୁ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ୨୩ ତାରିଖରୁ ବିଏମ୍‌ସି ଆଉ ସେଠାରେ ନୂଆ ଆବର୍ଜନା ଗଦା କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛି। ସେଠାରେ ନୂଆ ଆବର୍ଜନା ପଡ଼ିବା ବନ୍ଦ ହେବାର ୧୦ ଦିନ ପରେ ପ୍ରକଳ୍ପ କାମ ଆରମ୍ଭ କରିବ ବୋଲି ଜଣାପଡ଼ିଛି।

ତେବେ ସହରରୁ ଦୈନିକ ବାହାରୁ ଥିବା ଆବର୍ଜନା ପରିଚାଳନା କରିବା ପାଇଁ ଆବଶ୍ୟକ ଏମ୍‌ସିସି (ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ନାହିଁ। ଯେତିକି ଏମ୍‌ସିସି ଅଛି ସେଥିରେ ନିର୍ଦ୍ଧାରିତ ପରିମାଣର ଆବର୍ଜନା ପରିଚାଳନା ହେବା ପରେ ବଳକା ଆବର୍ଜନା ଗଦା କରିବା ପାଇଁ ଏକମାତ୍ର ବିକଳ୍ପ ହେଉଛି ସୈନିକ ସ୍କୁଲ ପଛ ଟିଟିଏସ୍‌ (ଟେମ୍ପରାରି ଟ୍ରାଞ୍ଜିଟ୍‌ ଷ୍ଟେସନ)। ଏହା ଛଡ଼ା ସହର କିମ୍ବା ସହର ବାହା‌ରେ ଆଉ ଡମ୍ପିଂ ୟାର୍ଡ ନାହିଁ। ଟିଟିଏସ୍‌ରେ ଆବର୍ଜନା ଗଦା ହେଲେ ମାତ୍ର ୭ ଦିନରେ ପୂର୍ଣ୍ଣ ହୋଇଯିବ। ଏହା ପରେ ଆଉ ଆବର୍ଜନା ସଂଗ୍ରହ ହୋଇପାରିବ ନାହିଁ। ତା’ ପରେ ଆବର୍ଜନାକୁ କଣ କରିବେ? ସହରରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ।

ଭୁଆସୁଣିରେ ଡମ୍ପିଂ ୟାର୍ଡକୁ ନେଇ ଦାରୁଠେଙ୍ଗବାସୀ ଯେଉଁ ଅଭିଜ୍ଞତା ପାଇଛନ୍ତି ତାହାକୁ ଦେଖିଲେ ଲାଗୁ ନାହିଁ, ଅନ୍ୟ କେଉଁ ଜାଗାରେ ଆବର୍ଜନା ଜମା କରିବାକୁ ସ୍ଥାନୀୟ ଲୋକ ସୁଯୋଗ ଦେବେ। ଦାରୁଠେଙ୍ଗରେ ବିଏମ୍‌ସି ଯେଭଳି ବିରୋଧର ଶିକାର ହୋଇଛି ଜନବସତି କଡ଼ରେ ଏଭଳି ଡମ୍ପିଂ ୟାର୍ଡ କରିବାକୁ ସାହସ କରିବନି। ଏସବୁ ଆଶଙ୍କା ଓ ଅନିଶ୍ଚିତତାକୁ ବିଚାରକୁ ନେଲେ ଏହି ପ୍ରକଳ୍ପକୁ ନେଇ ‘ସାତ ମହଣ ଘିଅ ହବ ନା ରାଧା ନାଚିବ!’ ଭଳି ପରିସ୍ଥିତି ସୃ୍ଷ୍ଟି ହୋଇଛି।

ଭୁଆସୁଣିରେ ଡମ୍ପିଂ ୟାର୍ଡକୁ ନେଇ ବାଦ ବିବାଦ ହେବା ପରେ ବିଏମ୍‌ସି ଏମ୍‌ସିସି ପ୍ରତିଷ୍ଠା କରି ଆବର୍ଜନା ପରିଚାଳନା କରିବା ପାଇଁ ଯୋଜନା କରିଥିଲା। ବୈଠକ ପରେ ବୈଠକ ବସି ଅଧିକାରୀମାନେ ମାନସ ମନ୍ଥନ କଲେ। ଆବର୍ଜନା ଓ ପରିଚାଳନାକୁ ହିସାବ କରି ଏହି ନିଷ୍କର୍ସରେ ପହଞ୍ଚିଲେ ଯେ, ୪୩ ଟି ଏମ୍‌ସିସି ପ୍ରତିଷ୍ଠା କଲେ ଭୁବନେଶ୍ବରରୁ ଦୈନିକ ବାହାରୁଥିବା ଆବର୍ଜନା ପରିଚାଳନା ହୋଇପାରିବ। ଏଥିପାଇଁ ଜାଗା ଚିହ୍ନଟ ହେବା ସହ ପ୍ରକଳ୍ପ ପ୍ରତିଷ୍ଠା ହେଲା। ଏ ଯାବତ୍‌ ୩୦ଟି କାର୍ଯ୍ୟକ୍ଷମ ହୋଇଛି। ତାହା ମଧ୍ୟ ନିୟମିତ ଚାଲୁନାହିଁ। ବାକି ୧୩ଟି ପାଇଁ କେଉଁଠି ଜମିକୁ ନେଇ ଅଦାଲତି ଲଢ଼େଇ ତ’ କେଉଁଠି ଦୁର୍ଗନ୍ଧ ଯୋଗୁ ଲୋକେ କରାଇ ଦେଉନାହାନ୍ତି।

ତେବେ କେତେ ଶୀଘ୍ର ୧୩ଟି କାର୍ଯ୍ୟକ୍ଷମ କରାଇବେ ଯେ ଭୁବନେଶ୍ବରରୁ ଆବର୍ଜନା ଗଦାଇବା ସମସ୍ୟା ଟଳିଯିବ? ଯାହା ଆବର୍ଜନା ବାହାରିବ ସବୁ ଏମ୍‌ସିସିରେ ପରିଚାଳନା ହୋଇ ପାରିବ?
ବୈଠକରେ ମେୟର ଶ୍ରୀମତୀ ଦାସ ଜଟଣୀ ବିଧାୟକ ସୁର ରାଉତରାୟ, ଭୁବନେଶ୍ୱର ବ୍ଲକ ଉପାଧ୍ୟକ୍ଷ ଅଜିତ ହରିଚନ୍ଦନ ଓ ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀଙ୍କ ସହ ଆଲୋଚନା କରିଥିଲେ। ଆବର୍ଜନା ଗଦା କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି ବୋଲି ବୈଠକରେ ସୂଚନା ମିଳିଥିଲା।

ବୈଠକରେ ମେୟରଙ୍କ ସମେତ ଅନ୍ୟମାନଙ୍କୁ ବିଏମସି ଅଧିକାରୀମାନେ ସୂଚନା ଦେଇଛନ୍ତି କି, ସହରରୁ ବାହାରୁଥିବା ଆବର୍ଜନା ପରିଚାଳନା ପାଇଁ ମୋଟ ୪୩ଟି ଏମସିସି ସ୍ଥାପନ ହେବା‌କୁ ଯୋଜନା ହୋଇଛି। ସେଥିମଧ୍ୟରୁ ୩୦ଟି କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ୭ଟିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବାକି ୬ଟି ପାଇଁ ଜାଗା ଚିହ୍ନଟ ହେବା ସହ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା ରହିଛି। ସମସ୍ତ ୪୩ଟି ଏମସିସି କାର୍ଯ୍ୟକ୍ଷମ ହୋଇଗଲେ ଭୁବନେଶ୍ୱର ଆବର୍ଜନା ବାହାରକୁ ନେବାକୁ ପଡିବ ନାହିଁ। ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହଯୋଗ ଲୋଡ଼ିବା ସହ ଆଜି ପର୍ଯ୍ୟନ୍ତ ସହଯୋଗର ହାତ ବଢାଇଥିବାରୁ ସେମାନଙ୍କୁ ମେୟର କୃତଜ୍ଞତା ଜଣାଇଥିଲେ।

ସମ୍ବନ୍ଧିତ ଖବର