ଜୀବବିଜ୍ଞାନ ପ୍ରତିଷ୍ଠାନରେ ଇନକ୍ୟୁବେସନ ସେଣ୍ଟର, ଭୁବନେଶ୍ବରରେ ହେବ ବାୟୋଟେକ୍ନୋଲୋଜି ପାର୍କ

ଭୁବନେଶ୍ବର: ଭୁବନେଶ୍ବରରେ ପ୍ରତିଷ୍ଠା ହେବ ବାୟୋଟେକ୍ନୋଲୋଜି ପାର୍କ। ବାୟୋଟେକ୍ନୋଲୋଜିର ସଦୁପଯୋଗ ସହ ଓଡ଼ିଶାକୁ ବିକାଶ ଧାରାରେ ଆଗେଇ ନେବା ନିମନ୍ତେ ଏହା ସହାୟକ ହେବ। ଖୁବ୍‌ଶୀଘ୍ର ଏହା ପ୍ରତିଷ୍ଠା କରାଯିବ। ଏହାବ୍ୟତୀତ ଜୀବ ବିଜ୍ଞାନ ପ୍ରତିଷ୍ଠାନ ପରିସରରେ ଏକ ଇନକ୍ୟୁବେସନ ସେଣ୍ଟର୍‌ ଆରମ୍ଭ ହେବ ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ହାଇଦ୍ରାବାଦରେ ଆୟୋଜିତ ୩ ଦିନିଆ ‘ବାୟୋଏସିଆ-୨୦୨୦’ ଶିଖର ସମାବେଶର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ସେ ଏହି ସୂଚନା ଦେଇଛନ୍ତି। ଓଡ଼ିଶାରେ ନୂତନ ବାୟୋଟେ‌କ୍ନୋଲୋଜି ନୀତି ପ୍ରଣୟନ ହେବା ସହ ଏ କ୍ଷେତ୍ରରେ ରାଜ୍ୟ ସରକାର ନେବାକୁ ଯାଉଥିବା ବିଭିନ୍ନ କାର୍ଯ୍ୟପନ୍ଥା ବାବଦରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ। ପ୍ରାୟ ୮୦ରୁ ଅଧିକ କମ୍ପାନି ଓଡ଼ିଶାର ଶିଳ୍ପ ବିକାଶ ନିମନ୍ତେ ୨ଲକ୍ଷ ୩୨୭୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିଥିବା ବେଳେ ବାୟୋଟେକ୍ନୋଲେଜି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ନିମନ୍ତେ ଶ୍ରୀ ପଣ୍ଡା ବିଭିନ୍ନ ଉଦ୍ୟୋଗ, ନିବେଶକ ଓ ବିଶେଷଜ୍ଞଙ୍କ ସହଯୋଗ କାମନା କରିଛନ୍ତି।

ତେଲେଙ୍ଗାନା ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ଏହି ସମ୍ମିଳନୀରେ ୩୭ଟି ଦେଶରୁ ୨୧୦୦ ପ୍ରତିନିଧି ଯୋଗ ଦେଇଥିବା ବେଳେ ୧୦୦ ଆଲୋଚକ ଓ ଗବେଷକ, ୮ଶହ କର୍ପୋରେଟ କର୍ମକର୍ତା, ୩୫୦ କମ୍ପାନି କାର୍ଯ୍ୟନିର୍ବାହୀ ଯୋଗ ଦେଇଥିଲେ। ଏହି ସମାବେଶରେ ଓଡ଼ିଶା ବିଜ୍ଞାନ ଓ କାରିଗରୀ ବିଭାଗ ମଧ୍ୟ ଅଂଶଗ୍ରହଣ କରିଥିବା ବେଳେ ମନ୍ତ୍ରୀ ଶ୍ରୀ ପଣ୍ଡା ଏହାକୁ ପରିଦର୍ଶନ କରିଥିଲେ। ହାଇଦ୍ରାବାଦ ରହଣି କାଳରେ ମନ୍ତ୍ରୀ ଶ୍ରୀ ପଣ୍ଡା ଦେଶର ବୃହତ୍ତମ ବାୟୋଟେକ୍ନୋଲୋଜି ଓ ଫାର୍ମା ପାର୍କ ‘ଜେନୋମ ଭ୍ୟାଲି’ ବୁଲି ଦେଖିଥିଲେ। ଏଥିସହ ଭାରତ ବାୟୋଟେକ୍‌ କମ୍ପାନି କର୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର