‘ମହାତ୍ମା ଗାନ୍ଧୀଙ୍କ ଜୀବନୀ’ ଲୋକାର୍ପିତ

ଗାନ୍ଧୀଙ୍କ ତେଜରେ ସାରା ବିଶ୍ବ ଆଲୋକିତ: ଦାଶ ବେନହୁର

ଭୁବନେଶ୍ବର: ଲୁଇ ଫିସର୍‌ଙ୍କ ଦ୍ବାରା ରଚିତ ଓ ଚିନ୍ତାମଣି ମିଶ୍ରଙ୍କ ଦ୍ବାରା ଅନୁଦିତ ‘ମହାତ୍ମା ଗାନ୍ଧୀଙ୍କ ଜୀବନୀ’ ପୁସ୍ତକର ପ୍ରଥମ ଓ ଦ୍ବିତୀୟ ଭାଗ ଆଜି କଳିଙ୍ଗ ପୁସ୍ତକ ମେଳା ପରିସରରେ ଲୋକାର୍ପିତ ହୋଇଯାଇଛି। ପେନ୍‌-ଇନ୍‌-ବୁକ୍ସ ପ୍ରକାଶନୀ ସଂସ୍ଥା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଗାନ୍ଧୀଙ୍କ ଜୀବନୀକୁ ଭଲ ଭାବେ ଅନୁସରଣ କରିବା ପରେ ଲୁଇ ଫିସର୍‌ ଏହି ବହି ଲେଖିପାରିଥିଲେ। ତାଙ୍କ ଜୀବନର ପ୍ରତିଟି ଘଟଣା ଏହି ବହିରେ ସ୍ଥାନ ପାଇଛି।

ପୁସ୍ତକରେ ଲେଖାଥିବା ଜୀବନୀ ତାଙ୍କର ଅସଲ ବ୍ୟକ୍ତିତ୍ବ ଥିବା‌‌ ବେଳେ ବର୍ତ୍ତମାନ ଗାନ୍ଧୀଙ୍କୁ ଏକ ରାଜନୈତିକ ଚରିତ୍ର ଭାବେ ଚିତ୍ରଣ କରାଯାଉଛି। ବର୍ତ୍ତମାନର ଯୁବପିଢ଼ି ଗାନ୍ଧୀଙ୍କ ବିଷୟରେ ଜାଣିବାକୁ ଚାହୁଥିଲେ, ଏ ବହିକୁ ନିଶ୍ଚିତ ପଢ଼ିବା ଦରକାର। ଅନ୍ୟପକ୍ଷରେ ବର୍ତ୍ତମାନ ସମୟରେ ଆମେ ଗଦ୍ୟ ସାହିତ୍ୟ ଅତ୍ୟନ୍ତ ଦରିଦ୍ର ହେବା ଆରମ୍ଭ ହୋଇଯାଇଛି। ତେଣୁ ଯୁବପିଢ଼ି ଗାନ୍ଧୀଙ୍କ ବିଷୟରେ ପଢ଼ି ଏକ ଭଲ ଗଦ୍ୟ ପଢ଼ିବାର ସୁଯୋଗ ପାଆନ୍ତୁ। ଗାନ୍ଧୀଙ୍କ ଜୀବନ ସାରା ବିଶ୍ବକୁ ରାହା ଦେଇଛି। ଗାନ୍ଧୀଙ୍କ ‌ତେଜରେ କେବଳ ଭାରତ ନୁହେଁ, ସାରା ବିଶ୍ବ ଆଲୋକିତ ହୋଇଛି। ତେଣୁ ଗାନ୍ଧୀ ସୂର୍ଯ୍ୟ, ତାଙ୍କୁ ସମ୍ମାନ କରିବା ନିତାନ୍ତ ଆବଶ୍ୟକ ବୋଲି ସେ କହିଥିଲେ।

ସମ୍ମାନିତ ଅତିଥି ବିଶିଷ୍ଟ ଗାନ୍ଧୀବାଦୀ ପ୍ରହଲ୍ଲାଦ ସିଂହ କହିଲେ, ଗାନ୍ଧୀ କେବଳ ଭାରତର ନୁହନ୍ତି, ସେ ସାରା ବିଶ୍ବର ମଣିଷ। ସେଥିପାଇଁ ଦେଶ ବିଦେଶରୁ ବିଭିନ୍ନ ଲୋକ କେବଳ ତାଙ୍କୁ ଦେଖିବା ପାଇଁ ଆସୁଥିଲେ। ଏହାସହ ସେ ରାଜନେତା ନୁହନ୍ତି। ରାଜନୀତି କ୍ଷେତ୍ରରେ ସେ ଏକ ବ୍ୟତିକ୍ରମ। କାରଣ ଏତେ ବର୍ଷ ଧରି ଶାସନ ସହ ଜଡ଼ିତ ହୋଇ ମଧ୍ୟ ସେ କିମ୍ବା ତାଙ୍କ ପରିବାର କୌଣସି ସରକାରୀ ପଦ ପଦବିରେ ଅବସ୍ଥାପିତ ହୋଇନାହାନ୍ତି। ସେ କେବଳ ଦେଶର ସ୍ବାର୍ଥରକ୍ଷା ତଥା ଉନ୍ନତି ପାଇଁ ଲଢ଼େଇ ଜାରି ରଖିଥିଲେ। ପ୍ରକାଶକ ଶୁଭ୍ରାଂଶୁ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କବି ଗିରୀଶ ରଂଜନ ମଞ୍ଚ ପରିଚଳନା କରିଥିଲେ। କାର୍ଯ୍ୟକ୍ରମରେ ବହୁ ଗାନ୍ଧୀବାଦୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର