ଭୁଆସୁଣିରେ ବାୟୋମାଇନିଂ ପ୍ରକଳ୍ପ: ଜାନୁଆରି ଶେଷ ସୁଦ୍ଧା କାମ ଆରମ୍ଭ, ଆକ୍ସନ ପ୍ଲାନ୍‌ ଦାଖଲ କଲେ ଦୁଇ ଠିକା ସଂସ୍ଥା

ଭୁବନେଶ୍ୱର: ଜାନୁଆରି ଶେଷ ସୁଦ୍ଧା ଭୁଆସୁଣିରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି ବାୟୋମାଇନିଂ ପ୍ରୋଜେକ୍ଟ। ପ୍ରକଳ୍ପ ପ୍ରତିଷ୍ଠା ପାଇଁ କାର୍ଯ୍ୟାଦେଶ ପାଇଥିବା ଦୁଇ ସଂସ୍ଥା ଆକ୍ସନ ପ୍ଲାନ୍‌ ଓ ବ୍ୟାଙ୍କ୍‌ ଗ୍ୟାରେଣ୍ଟି ବିଏମ୍‌ସିରେ ଦାଖଲ କରିଛନ୍ତି। ପୂର୍ବରୁ କମିସନର ଓ ବରିଷ୍ଠ ଅଧିକାରୀମାନଙ୍କୁ ସଂସ୍ଥାଦ୍ବୟ ଆକ୍ସନ ପ୍ଲାନ୍‌ ଦେଖାଇଥିଲେ। ଏଥିରେ କିଛି ପରିବର୍ତ୍ତନ ପାଇଁ କମିସନର ନିର୍ଦ୍ଦେଶ ଦେଇଥିଲେ। ପରିବର୍ତ୍ତିତ ଆକ୍ସନ ପ୍ଲାନ୍‌ ଦାଖଲ ହେବା ପରେ ଖୁବ୍‌ଶୀଘ୍ର ସଂସ୍ଥାଦ୍ବୟ ସହ ବିଏମ୍‌ସି ଚୁକ୍ତିନାମା ସ୍ବାକ୍ଷର କରିବ। ପରେ ଏଠାରେ ବାୟୋମାଇନିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଭୁଆସୁଣି ଡମ୍ପିଂୟାର୍ଡ‌‌ରେ ପ୍ରତିଦିନ କୁଢ଼କୁଢ଼ ଆବର୍ଜନା ଗଦା ହେବା ଫଳରେ ଆଖପାଖରେ ବାସ କରୁଥିବା ଜନସାଧାରଣ ପ୍ରଭାବିତ ହୋଇଥିଲେ। ଏଠାରେ ଆବର୍ଜନା ନ ପକାଇବାକୁ ଦାବି କରି ଆନ୍ଦୋଳନ କରିଥିଲେ। ବିଏମ୍‌ସିର ଆବର୍ଜନା ଗାଡ଼ିକୁ ଲୋକମାନେ ଏହି ଡମ୍ପିଂୟାର୍ଡକୁ ପୂରାଇ ଦେଇ ନଥିଲେ। କେତେକ ଆନ୍ଦୋଳନକାରୀଙ୍କୁ ପୁଲିସ ଗିରଫ କରି ଜେଲ୍‌ ମଧ୍ୟ ପଠାଇ ଦେଇଥିଲା। ଅସନ୍ତୋଷର ମାତ୍ରା ଏଭଳି ବଢ଼ିଥିଲା ଯେ ଦାରୁଠେଙ୍ଗବାସୀ ସେତେବେଳେ ନିର୍ବାଚନରେ ମତଦାନ କରିନଥିଲେ। କିନ୍ତୁ ଏଥର ପ୍ରତିଶ୍ରୁତି ମୁତାବକ ସରକାର ଏହି ପ୍ଲାଣ୍ଟ ପ୍ରତିଷ୍ଠା‌ କରିବାକୁ ଯାଉଥିବାରୁ ପଞ୍ଚାୟତବାସିନ୍ଦା ଖୁସିବ୍ୟକ୍ତ କରିଛନ୍ତି। ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନରେ ମଧ୍ୟ ପଞ୍ଚାୟତବାସୀ ଭାଗ ନେବାକୁ ଯାଉଥିବା ପୂର୍ବତନ ସରପଞ୍ଚ ତଥା ମୁଖ୍ୟ ଆନ୍ଦୋଳନକାରୀ ପ୍ରଶାନ୍ତ କୁମାର ରାଉତରାୟ ସୂଚନା ଦେଇଛନ୍ତି।
ପ୍ରଥମେ ୨୦୧୯ ମସିହାରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଯୋଜନା ହୋଇଥିଲା। ୬୩ କୋଟି ଟଙ୍କା ଖର୍ଚ୍ଚ ହେବାକୁ ରହିଥିଲା। ହେଲେ ବିଏମ୍‌ସିର ଅପାରଗତା ଯୋଗୁଁ ଏହା ହୋଇପାରିଲା ନାହିଁ। ଦୁଇ ବର୍ଷ ପରେ ଅର୍ଥାତ୍‌ ୨୦୨୧ ଏପ୍ରିଲ ମାସରେ ପୁଣି ଥରେ ଯୋଜନା ହେଲା, ହେଲେ ଏଥର ପ୍ରକଳ୍ପ ମୂଲ୍ୟ ୪୦ ‌କୋଟି ବଢ଼ିଗଲା। ଅର୍ଥାତ୍‌ ଏବେ ୧୦୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପ ତିଆରି କରିବାକୁ ଦୁଇଟି ସଂସ୍ଥାଙ୍କୁ ଟେଣ୍ଡର୍‌ ମିଳିଛି। ସେମାନେ ହେଲେ, ଜାଗୃତି ଓ ଜନଆଧାର ସେବାଭାବି ସଂସ୍ଥା। ଚୁକ୍ତିନାମା ସ୍ବାକ୍ଷର ହେବା ପରେ ଚଳିତ ମାସ ୧ତାରିଖରୁ କାମ ଆରମ୍ଭ ହୋଇ ୨୦୨୫ ସୁଦ୍ଧା ସରିବା ପାଇଁ ଯୋଜନା ହୋଇଥିଲା। ଜାନୁଆରି ପ୍ରଥମ ସପ୍ତାହରୁ କାମ ଆରମ୍ଭ ହେବାକୁ ଥିଲେ ମଧ୍ୟ ଦୀର୍ଘ ଦିନ ଧରି ଗୃହ ଓ ନଗର ଉନ୍ନୟନ ବିଭାଗରେ ଫାଇଲ ପଡ଼ି ରହିବାରୁ ବିଳମ୍ବ ହୋଇଥିଲା। କିନ୍ତୁ ଏବେ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ରୂପ ନେଇଛି ଓ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଭୁଆସୁଣିର ପ୍ରାୟ ୬୦ ଏକର ଜାଗାରେ ୧୬ଲକ୍ଷ ମେଟ୍ରିକ୍ ଟନ୍ ଆବର୍ଜନା ଗଦା ହୋଇ ରହିଛି। ଏହା ପୃଥକ୍‌ ହୋଇନଥିବାରୁ ସବୁ ପ୍ରକାରର ଆବର୍ଜନା ଏକାଠି ହୋଇ ରହିଛି। ଫଳରେ ଏହାକୁ ପରିଚାଳନା କରିବା ସମ୍ଭବ ହେଉ ନାହିଁ। ବାୟୋମାଇନିଂ ବ୍ୟବସ୍ଥା ଦ୍ବାରା ଏହାକୁ ପୃଥକ୍‌ କରାଯିବା ସହ ଅଲଗା ଅଲଗା ପରିଚାଳନା କରାଯିବ। ଦିନକୁ ୨ହଜାର ଟନ୍ ଆବର୍ଜନା ପୃଥକୀକରଣ ଓ ପ୍ରକ୍ରିୟାକରଣ ହେବ। ପୃଥକ୍‌ ହେଉଥିବା ଜୈବ ଆବର୍ଜନାରୁ ଖତ ହେବ। ପୁନଃ ବିନିଯୋଗ ହୋଇପାରୁ ନଥିବା ଆବର୍ଜନା (ପ୍ଲାଷ୍ଟିକ, ପଲିଥିନ୍) ପ୍ରକ୍ରିୟାକରଣ ହେବା ପରେ ରାସ୍ତା ତିଆରିରେ ବ୍ୟବହାର ହେବାକୁ ଯୋଜନା ହୋଇଛି। ୬୦ ଏକର ଜମିକୁ ଆବର୍ଜନାମୁକ୍ତ କରାଯାଇ ପୂର୍ବାବସ୍ଥାକୁ ଫେରାଇ ଅଣାଯିବା ସହ ଏକ ପାର୍କର ପରିକଳ୍ପନା କରାଯାଇଛି। ଫେବୃଆରିରେ ଆରମ୍ଭ ହୋଇ ଏହି କାମ ୨୦୨୫ ମସିହା ଜୁଲାଇ ମାସ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର