ଭୁଆସୁଣି ଡମ୍ପିଂୟାର୍ଡରେ ହେବ ବାଇଓମାଇନିଂ; ଆବର୍ଜନାରୁ ଖତ ବାହାରିବ, ଖର୍ଚ୍ଚ ହେବ ୧୦୦କୋଟି

ଗଦା ହୋଇଛି ୧୬ଲକ୍ଷ ଟନ୍ ଆବର୍ଜନା, ବିଏମ୍‌ସି ଆକଳନ କରିଥିଲା ୯ଲକ୍ଷ ଟନ୍

ଭୁବନେଶ୍ବର: ଭୁଆସୁଣି ଡମ୍ପିଂୟାର୍ଡରେ ଏବେ ୧୬ ଲକ୍ଷ ମେଟ୍ରିକ୍ ଟନ୍ ଆବର୍ଜନା ଗଦା ହୋଇଛି। ଦାରୁଠେଙ୍ଗ ଗ୍ରାମବାସୀ ଏଠାରେ ଅଳିଆ ନ ପକାଇବାକୁ ବାରମ୍ବାର ଦାବି କଲେଣି। ତେଣୁ ଏହି ଆବର୍ଜନାକୁ ବାଇଓମାଇନିଂ କରିବା ସହ ୬୦ ଏକର ଜମିକୁ ପୂର୍ବାବସ୍ଥାକୁ ଫେରାଇ ନେବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି। ଦୀର୍ଘ ଦେଢ଼ ବର୍ଷ ହେଲା ବିଏମ୍‌ସି ଭୁଆସୁଣି ଡମ୍ପିଂୟାର୍ଡରେ ବାଇଓମାଇନିଂ କରିବା ନେଇ ଆର୍‌ଏଫ୍‌ପି ଆହ୍ବାନ କରିଛି। କିନ୍ତୁ ୧୫ରୁ ଅଧିକ ଥର ଏହାର ସଂଶୋଧନ କରିବା ସହ ଦିନ ଗଡ଼ାଇ ଚାଲିଥିଲା। ଫଳରେ ଏହି ବାଇଓମାଇନିଂ ହେବ ନା ନାହିଁ, ସେନେଇ ସନ୍ଦେହ ଉପୁଜିଥିଲା। କିନ୍ତୁ ଏ‌େବ ନଗର ଉନ୍ନୟନ ବିଭାଗ ବିଏମ୍‌ସିର ଆର୍‌ଏଫ୍‌ପିକୁ ସବୁଜ ସଂକେତ ଦେଇଥିବାରୁ ଖୁବ୍‌ଶୀଘ୍ର ବିଏମ୍‌ସି ପକ୍ଷରୁ ନୂଆ ଆର୍‌ଏଫ୍‌ପି ଆହ୍ବାନ କରିବାକୁ ନିଷ୍ପତ୍ତି ହୋଇଛି। ଏପରିକି ଖୁବ୍‌ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ କରି କାମ ଆରମ୍ଭ ହେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ବିଏମ୍‌ସି ଡେପୁଟି କମିସନର (ପରିମଳ) ଶୁଭେନ୍ଦୁ କୁମାର ସାହୁଙ୍କ ସୂଚନା ଅନୁଯାୟୀ, ଏହି ବାଇଓମାଇନିଂ ପାଇଁ ପ୍ରାୟ ୧୦୦ କୋଟି ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି। ଯେଉଁ ସଂସ୍ଥା ବାଇଓ ମାଇନିଂ କରିବାକୁ ଟେଣ୍ଡର୍‌ ପାଇବ, ସେ ଦୁଇରୁ ଅଢ଼େଇ ବର୍ଷରେ ‌ସମସ୍ତ କାର୍ଯ୍ୟ କରିବ। ଦୈନିକ ୨ ହଜାର ମେଟ୍ରିକ୍‌ ଟନ୍ ଆବର୍ଜନାର ପୃଥକୀକରଣ ଓ ପ୍ରକ୍ରିୟାକରଣ କରିବ। ଏଥି‌ରେ ଜୈବ ଆବର୍ଜନାରୁ ଖତ ବାହାରିବ। ଅଜୈବ ଆବର୍ଜନା ତଥା ପ୍ଲାଷ୍ଟିକ, ପଲିଥିନ୍ ଏବଂ ଅନ୍ୟାନ୍ୟ ଆବର୍ଜନାକୁ ପୃଥକ୍‌ କରି ରଖିବ। ଏହାକୁ ବିକ୍ରି କରାଯିବ। ଏହି ସମସ୍ତ ପ୍ରକ୍ରିୟା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବର୍ଜ୍ୟ ପରିଚାଳନା ନିୟମ-୨୦୧୬ ଅନୁଯାୟୀ ହେବ।
ବିଏମ୍‌ସି କର୍ତ୍ତୃପକ୍ଷ ଏବେ ୧୬ ଲକ୍ଷ ମେଟ୍ରିକ୍ ଟନ୍ ଆବର୍ଜନାର ବାଇଓମାଇନିଂ ନେଇ ଯେଉଁ ହିସାବ କରିଛନ୍ତି, ତାହାକୁ ନେଇ କିଛି ବିବାଦ ରହିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଏମ୍‌ସି କର୍ତ୍ତୃପକ୍ଷ ଭୁଆସୁଣିରେ ଯେତିକି ଆବର୍ଜନା ପକାଇଛନ୍ତି, ତା’ର ହିସାବ କରିଥିଲେ। ଭୁଆସୁଣିରେ ୯ଲକ୍ଷ ମେଟ୍ରିକ ଟନ୍ ଆବର୍ଜନା ପଡ଼ିଥିବା ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏପରିକି ପ୍ରତିି ମେଟ୍ରିକ୍‌ ଟନ୍ ଆବର୍ଜନାର ପୃଥକୀକରଣ ପାଇଁ ୭୦୦ ଟଙ୍କା ହିସାବରେ ୬୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଥିଲା। ଚେନ୍ନାଇରେ ଏକ ସଂସ୍ଥା ୭୦୦ ଟଙ୍କା ହିସାବରେ ବାଇଓମାଇନିଂ କରୁଥିବାରୁ ବିଏମ୍‌ସି କର୍ତ୍ତୃପକ୍ଷ ସେହି ହିସାବ ନେଇଥିଲେ।

କିନ୍ତୁ ଏହା ଅଧିକ ହୋଇଯାଉଛି ବୋଲି ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ କହିଥିଲେ। ଏହା ପରେ କିଟ୍‌ ବିଶ୍ବବିଦ୍ୟାଳୟକୁ ଏହାର ମୂଲ୍ୟାୟନ କରିବାକୁ ଦେଇଥିଲା। କିଟ୍‌ର ଏକ ଟିମ୍ ଏହାର ସର୍ଭେ କରି ରିପୋର୍ଟ ଦେଇଥିଲା ଯେ ଭୁଆସୁଣିରେ ୯ ଲକ୍ଷ ମେଟ୍ରିକ ଟନ୍ ନୁହେଁ, ୧୬ ଲକ୍ଷ ମେଟ୍ରିକ୍ ଟନ୍ ଆବର୍ଜନା ପଡ଼ିଛି। ଏହାର ପ୍ରକ୍ରିୟାକରଣ ପାଇଁ ୧୦୦କୋଟି ଖର୍ଚ୍ଚ ହେବ। ବିଏମ୍‌ସି ହିସାବରେ ୯ଲକ୍ଷ ମେଟ୍ରିକ୍ ଟନ୍ ଆବର୍ଜନା ପଡ଼ିଥିବା ବେଳେ କିଟ୍‌ ହିସାବରେ ଏହା ୧୬ଲକ୍ଷ ମେଟ୍ରିକ୍ ଟନ୍ ହୋଇଗଲା। କିନ୍ତୁ ମେଟ୍ରିକ୍ ଟନ୍ ପିଛା ୭୦୦ ଟଙ୍କା ବଦଳରେ ୬୨୫ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯିବାରୁ ନଗର ଉନ୍ନୟନ ବିଭାଗର ଅଧିକାରୀ ରାଜି ହୋଇଯାଇଥିଲେ। କିନ୍ତୁ ୯ଲକ୍ଷ ମେଟ୍ରିକ ଟନ୍ ଆବର୍ଜନା କିପରି ୧୬ଲକ୍ଷ ମେଟ୍ରିକ୍ ଟନ୍ ହେଲା, ତାହା ପଚାରିଲେନି।

ଏ ନେଇ ବିଏମ୍‌ସିର ଡେପୁଟି କମିସନର(ପରିମଳ) ଶୁଭେନ୍ଦୁ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସଫେଇ ସଂସ୍ଥା ଦ୍ବାରା ଯେତିକି ଆବର୍ଜନା ପକାଯାଇଥିଲା ତା’ର ହିସାବ ଅନୁଯାୟୀ, ୯ଲକ୍ଷ ମେଟ୍ରିକ ଟନ୍ ଆବର୍ଜନା ପଡ଼ିଛି। କିନ୍ତୁ ତାହା ପୂର୍ବରୁ ବିଏମ୍‌ସି ନିଜ ଗାଡ଼ିରେ ଯେଉଁ ଆବର୍ଜନା ପକାଇଥିଲା, ତାହା ହିସାବ ହୋଇ ନଥିଲା। କିଟ୍‌ର ଏକ ଟିମ୍ ସେସବୁକୁ ହିସାବ କରି ଦେଇଥିବାରୁ ୧୬ଲକ୍ଷ ମେଟ୍ରିକ ଟନ୍ ଆବର୍ଜନା ହୋଇଛି। ସେହି ଅନୁଯାୟୀ ଆର୍‌ଏଫ୍‌ପି ଆହ୍ବାନ ହୋଇଛି। ଆମେ ଯେଉଁ ୧୦୦କୋଟି ଆକଳନ କରିଛୁ ତାହାଠାରୁ କମ୍‌ ଖର୍ଚ୍ଚରେ ବି ସଂସ୍ଥା ଏହି କାମ କରିପାରନ୍ତି। ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର