ବାୟୋମାଇନିଂ ପ୍ରକଳ୍ପ: ବିଏମ୍‌ସିର ବୁଦ୍ଧି ବଣା

ଶୁଣିବାକୁ ନାରାଜ ଗ୍ରାମବାସୀ
କମିସନର ଆଲୋଚନାକୁ ଯାଉନାହାନ୍ତି କାହିଁକି?
ଅଧିକ ଏମ୍‌ସିସି କରିବ ବିଏମ୍‌ସି

ଭୁବନେଶ୍ୱର : ଭୁଆସୁଣିରେ ବାୟୋମାଇନିଂ ପ୍ରକଳ୍ପ କାର୍ଯ୍ୟକ୍ଷମକୁ ନେଇ ବିଏମ୍‌ସିର ବୁଦ୍ଧି ହଜିଲାଣି। ଅଳିଆ ଅନ୍ୟ କେଉଁଠି ପକାଇବାକୁ ଜାଗା ନାହିଁ। ଗ୍ରାମବାସୀ ଜିଦିରେ ଅଟଳ ଅଛନ୍ତି, ଭୁଆସୁଣିରେ ଅଳିଆ ପକା ବନ୍ଦ କଲେ ଯାଇ ବା‌ୟୋମାଇନିଂ ହେବ, ନ ହେଲେ ହେବ ନାହିଁ। ସହରରୁ ଦୈନିକ ବାହାରୁଥିବା ଅଳିଆକୁ ପରିଚାଳନା କରିବା ଭଳି ବିଏମ୍‌ସି ତିଆରି କରିଥିବା ଏମ୍‌ସିସିଗୁଡ଼ିକର କ୍ଷମତା ନାହିଁ। ଫଳରେ ନା ଅଳିଆ ଭୁଆସୁଣିକୁ ବନ୍ଦ କରାଯାଇ ପାରୁଛି ନା ବାୟୋମାଇନିଂ ପାଇଁ ବାଟ ଫିଟୁଛି। ଏଣେ ଫସି ରହିଛି ଠିକା ସଂସ୍ଥା। ନା ମେସିନ୍‌ ଆଣି ପାରୁଛି ନା ଡମ୍ପିଂୟାର୍ଡରେ ପଶି ପ୍ରସ୍ତୁତି ଆରମ୍ଭ କରିପାରୁଛି।

ଏଭଳି ସ୍ଥିତି ଆଜି ନୁହେଁ, ବରଂ ଯେବେ ବା‌ୟୋମାଇନିଂ ପ୍ରକଳ୍ପ ଠିକା ଦିଆଗଲା, ସେବେଠାରୁ ଜାରି ରହିଛି। ସମାଧାନ ପାଇଁ ଯେମିତି ସମସ୍ତେ କାନ୍ଦୁଛନ୍ତି, ହେଲେ କାହା ଆଖିରେ ଲୁହ ନାହିଁ। ଆବର୍ଜନା ଗଦା ହୋଇ ବାୟୋମାଇନିଂ ଆରମ୍ଭ ହେଲେ ସମସ୍ୟା ହେବ ନାହିଁ ବରଂ ଥରେ ଆରମ୍ଭ ହୋଇଗଲେ ନୂଆ ପୁରୁଣା ସବୁ ଆବର୍ଜନା ପରିଚାଳନା ସମ୍ଭବ ହେବ ବୋଲି ଗ୍ରାମବାସୀଙ୍କୁ ଠିକ୍‌ ଭାବେ ବୁଝାଯାଇପାରୁ ନାହିଁ। ଏଥିପାଇଁ କେବଳ ରାଜନୈତିକ ଇଚ୍ଛା ଶକ୍ତି ନୁହେଁ, ବରଂ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଦେଖାଦେଇଛି। ବିଶେଷକରି ବିଏମ୍‌ସି କମିସନର୍‌ ସଞ୍ଜୟ ସିଂହଙ୍କ ବେପରୱା ଆଭିମୁଖ୍ୟ ସମସ୍ୟାକୁ ଆହୁରି ବଢ଼ାଇ ଦେଉଛି। ଏଯାବତ୍‌ ବିଏମ୍‌ସି କମିସନର ସଞ୍ଜୟ ସିଂହ ଘଟଣାସ୍ଥଳକୁ ଯାଇ ଦାରୁଠେଙ୍ଗ ଗ୍ରାମବାସୀଙ୍କ ସହ ଆଲୋଚନା କରିନାହାନ୍ତି। ନିର୍ବାଚନ ପରେ ଥରେ ନବନିର୍ବାଚିତ ମେୟର ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ, ଯଦିଓ ତାହା ବିଫଳ ହୋଇଥିଲା। ଏହି ବୈଠକରେ ମଧ୍ୟ କମିସନର୍‌ଙ୍କୁ ଦେଖିବାକୁ ମିଳି ନ ଥିଲା। ଶ୍ରୀ ସିଂହ ଥରୁଟିଏ ବି ଆଲୋଚନା ପାଇଁ ଆଗ୍ରହ ଦେଖାଇ ନାହାନ୍ତି। ପୂର୍ବରୁ ଥରେ କମିସନର ଆଲେ‌ାଚନା କରିବା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ଅସୁସ୍ଥତା ଦର୍ଶାଇ ସେ ଯାଇ ନଥିଲେ କିମ୍ବା ତା’ ପରେ ବି ଆଉ ଯାଇନାହାନ୍ତି। ଗ୍ରାମବାସୀଙ୍କ ଅସନ୍ତୋଷର ଏହା ମଧ୍ୟ ଆଉ ଏକ କାରଣ। ବିଏମ୍‌ସିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଏକାଧିକଥର ଗ୍ରାମକୁ ଯାଇ ଆଲୋଚନା କରିଥିଲେ ମଧ୍ୟ ତାହା ଫଳପ୍ରଦ ହେଉନାହିଁ। କମିସନର୍‌ ନିଜେ କାହିଁକି ଆଲୋଚନାକୁ ଯାଉନାହାନ୍ତି, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଲୋକଙ୍କୁ ସାମ୍ନା କରିବାକୁ ସେ ଭୟ କରୁଛନ୍ତି ନା ଏହି ପ୍ରକଳ୍ପ ତାଙ୍କ ପାଇଁ ଗୁରୁତ୍ବ ବହନ କରୁନି? ଶ୍ରୀ ସିଂହ ଏବେ ତତ୍ପରତା ପ୍ରକାଶ ନ କଲେ, ଭବିଷ୍ୟତରେ ‌ସାରା ସହର ଯେ ସମସ୍ୟାରେ ପଡ଼ିଯିବ, ତାହା ବୁଝିବା ଉଚିତ ବୋଲି ସଚେତନ ନାଗରିକମାନେ ମତପ୍ରକାଶ କରିଛନ୍ତି।

Telegraph India

ଅପରପକ୍ଷେ, ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ କହିଛନ୍ତି ଯେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ ଅଳିଆ ପକାଇବାକୁ ମନା କରିଛନ୍ତି। କିନ୍ତୁ ବିଏମସି ଆଣି ଅଳିଆ ପକାଉଛି। ତା’ ଛଡ଼ା ଅଳିଆ ବନ୍ଦ ନ କରି ବାୟୋମାଇନିଂ ଆରମ୍ଭ କଲେ ଗୋଟିଏ ପଟେ ଅଳିଆ ଖାଲି ହେବ, ଆଉ ଗୋଟିଏ ପଟେ ବିଏମ୍‌ସି ନୂଆ ଅଳିଆ ପକାଇ ପାହାଡ଼ କରିବ। କ’ଣ ଲାଭ ହେବ? ଏଣୁ ଏହାକୁ ବରଦାସ୍ତ କରାଯିବ ନାହିଁ। ଆମେ ବାୟୋମାଇନିଂ ପ୍ରକଳ୍ପକୁ ବିରୋଧ କରୁନୁ କିନ୍ତୁ ନୂଆ ଅଳିଆ ଆଣି ପକାଇଲେ ଆମେ ବିରୋଧ କରିବୁ ବୋଲି କହିଛନ୍ତି। କିନ୍ତୁ ପ୍ରତ୍ୟେକ ଦିନ ଏଠାରେ ନୂଆ ଅଳିଆ ପଡ଼ୁଛି। ତାକୁ କେହି ବିରୋଧ କରୁନାହାନ୍ତି। ଗତ ମଙ୍ଗଳବାର ଠିକାସଂସ୍ଥା ବାୟୋମାଇନିଂ ପ୍ରକଳ୍ପ ପାଇଁ ମେସିନ୍‌ ନେଇ ଯିବା ବେଳେ ବିରୋଧ ହୋଇଥିଲା। ଯାହାକୁ ନେଇ ଚନ୍ଦକା ଥାନାରେ ଏତଲା ହୋଇଛି।

ଏଭଳି ସ୍ଥିତିରେ ବିଏମ୍‌ସି ଏମ୍‌ସିସି(ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ସଂଖ୍ୟା ବଢ଼ାଇବାକୁ ଯାଉଛି। ବିଏମ୍‌ସି ଡେପୁଟି କମିସନର (ପରିମଳ) ଶୁଭେନ୍ଦୁ ସାହୁଙ୍କ କହିବା କଥା, ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ପୂର୍ବରୁ ଦୈନିକ ଯେତିକି ଅଳିଆ ଯାଉଥିଲା, ତା’ଠାରୁ ଦେଢ଼ଶହ ମେଟ୍ରିକ୍‌ ଟନ୍‌ କମ୍‌ ଯାଉଛି। ପାଖାପାଖି ୪୦ ଟ୍ରିପ୍‌ ଅଳିଆ ଯିବା ବନ୍ଦ ହୋଇଗଲାଣି। ଆମେ ଆଉ ୧୦ଟି ନୂଆ ଏମ୍‌ସିସି କରିବାକୁ ଯାଉଛୁ। ଏଥିପାଇଁ ଜାଗା ଚିହ୍ନଟ ହୋଇଛି। କାର୍ଯ୍ୟକ୍ଷମ ହୋଇଗଲେ ଆବର୍ଜନା ଯିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ଏଣୁ ବାୟୋମାଇନିଂ ପାଇଁ ସମସ୍ୟା ହେବ ନାହିଁ। କିନ୍ତୁ ବର୍ଷା ପୂର୍ବରୁ ପ୍ରକଳ୍ପ ଆରମ୍ଭ ହୋଇଗଲେ, ଧାର୍ଯ୍ୟ ସମୟ ମଧ୍ୟରେ ଦାରୁଠେଙ୍ଗ ଡମ୍ପିଂୟାର୍ଡ ଆବର୍ଜନାରୁ ମୁକ୍ତି ପାଇବ।

ଉଲ୍ଲେଖଯୋଗ୍ୟ, ଭୁଆସୁଣିର ପ୍ରାୟ ୬୦ଏକର ଜାଗାରେ ୧୬ଲକ୍ଷ ମେଟ୍ରିକ୍ ଟନ୍ ଆବର୍ଜନା ଗଦା ହୋଇ ରହିଥିଲା। କିନ୍ତୁ କ୍ରମାଗତ ଭାବରେ ଏଠାରେ ଆବର୍ଜନା ଜମା ହେଉଥିବାରୁ ଏହାର ପରିମାଣ ୧୬ଲକ୍ଷରୁ ବଢ଼ି ଗଲାଣି। ବିଏମ୍‌ସି ଏବେ ନୂଆ ଆବର୍ଜନା ଗଦା କରୁଛି। ତେବେ ଏଠାରେ ଜେସିବି ଲଗାଇ ଆବର୍ଜନାକୁ ଖେଳାଇ ଦେଉଛି। ଏହାକୁ ବାୟୋମାଇନିଂ ବେଳେ ପୁଣି ଖୋଳା ଯାଇ ଖରା ଦିଆଯିବ। ପୂର୍ବରୁ ଗଦା ହୋଇଥିବା ଅଳିଆ ଖେଳା ନ ଯାଇ ପାହାଡ଼ ଭଳି ଗଦା ହୋଇଥିବାରୁ ଖେଳାଇବାକୁ ସୁବିଧା ହେବ। କିନ୍ତୁ ନୂଆ ଅଳିଆକୁ ବାୟୋମାଇନିଂ ପାଇଁ ଖେଳାଇବାକୁ ହେଲେ ଦୁଇଗୁଣା ପରିଶ୍ରମ କରିବାକୁ ହେବ ବୋଲି କୁହାଯାଉଛି। ସେପଟେ ଏଠାରୁ ପ୍ରତ୍ୟେକ ଦିନ ଶହ ଶହ ଟ୍ରିପ୍‌ ମୋରମ୍‌ ଚୋରି ହେଉଛି। ଚନ୍ଦକା ଥାନାରେ ଏତଲା ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଥିବା ଜାଗା ଖାଲ ହୋଇଗଲାଣି। ଯାହା ପ୍ରକଳ୍ପ ପ୍ରତିଷ୍ଠା କରିବା ପାଇଁ ଘୋର ସମସ୍ୟା ସୃ‌ଷ୍ଟି କରିବ। ବର୍ଷା ହେଲେ ପୋଖରୀ ଭଳି ପାଣି ଗଦା ହେବ।

ସମ୍ବନ୍ଧିତ ଖବର