ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ୧୬ରେ

ଭୁବନେଶ୍ବର: କନିକାର ବିପ୍ଳବୀ ପ୍ରଜାନେତା, ଚାନ୍ଦବାଲିର ପ୍ରଥମ ବିଧାୟକ, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧୀ-ଉତ୍କଳମଣି ଶିଷ୍ୟ ଚକ୍ରଧ‌ର ବେହେରାଙ୍କ ୧୨୫ତମ ରାଜ୍ୟସ୍ତରୀୟ ଜୟନ୍ତୀ ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ। ରାଜ୍ୟ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନରେ ସନ୍ଧ୍ୟା ସାଢ଼େ ୬ଟାରେ ଏହା ଅନୁଷ୍ଠିତ ହେବ। ସେଦିନ ସକାଳ ୯ଟାରେ ରାଜଭବନ ଛକ ନିକଟରେ ଥିବା ବିପ୍ଳବୀ ଚକ୍ରଧରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବ।

ଉଲ୍ଲେଖଯୋଗ୍ୟ ବିପ୍ଳବୀ ଚକ୍ରଧର ବେହେରାଙ୍କ ସ୍ମୃତିରକ୍ଷା ପାଇଁ ‘ଚକ୍ରଧର ସ୍ମୃତି ସମିତି’ର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରଥମଥର ପାଇଁ ଏହା ଆୟୋଜନ କରାଯାଉଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ। ବିଧାୟକ ଓ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେବେ। ସଭାରେ ଭଦ୍ରକର ବିଧାୟକ ପ୍ରଫୁଲ୍ଲ ସାମଲ, ବିଷ୍ଣୁ ସେଠୀ, ବ୍ୟୋମକେଶ ରାୟ, ସଂଜୀବ ମଲ୍ଲିକ ବିଷ୍ଣୁବ୍ରତ ରାଉତରାୟ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମେତ ଚକ୍ରଧର ସ୍ମୃତି ସମିତିର ସଭାପତି ଗୌରହରି ଦାସ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ନିର୍ଦେଶକ କୃପାସିନ୍ଧୁ ମିଶ୍ର ସୂଚନା ଦେଇଛନ୍ତି। ଉଭୟ କାର୍ଯ୍ୟକ୍ରମରେ ରାଜଧାନୀର ବୁଦ୍ଧିଜୀବୀ ତଥା ସବୁବର୍ଗର ନାଗରିକଙ୍କୁ ବହୁ ସଂଖ୍ୟାରେ ଯୋଗଦେବାକୁ ସ୍ମୃତି ସମିତି ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର