ବିପ୍ଲବୀ ଚାଖି ଖୁଣ୍ଟିଆଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ: ଜୀବନୀ ଉପରେ ଗବେଷଣା ଜରୁରି

ଭୁବନେଶ୍ବର: ବିପ୍ଲବୀ ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀ ତାଙ୍କର ଏକନିଷ୍ଠ ସାଧନା, ବଳିଷ୍ଠ ନେତୃତ୍ବ, ଦେଶପ୍ରେମ, ତ୍ୟାଗ ତଥା ଅସାଧାରଣ ବ୍ୟକ୍ତିତ୍ବ ପାଇଁ ପ୍ରତି ଓଡ଼ିଆଙ୍କ ପ୍ରାଣରେ ସ୍ମରଣୀୟ ହୋଇ ରହିବେ ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ବର ମହାନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ପୁରୀର ଚାଖି ଖୁଣ୍ଟିଆ ସ୍ମୃତି ସମିତି ପକ୍ଷରୁ ଆଜି ଜୟଦେବ ଭବନଠାରେ ଆୟୋଜିତ ‘ବିପ୍ଲବୀ ଚାଖି ଖୁଣ୍ଟିଆଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାନ୍ତି ଏହା କହିଛନ୍ତି। ସେ ଆହୁରି କହିଲେ, ଚାଖି ଖୁଣ୍ଟିଆଙ୍କୁ ସ୍ବାଧୀନତା ସଂଗ୍ରାମୀ ଭା‌ବେ ମାନ୍ୟତା ଦିଆନଯିବା ଏକ ଐତିହାସିକ ତ୍ରୁଟି। ସିପାହୀ ବିଦ୍ରୋହକୁ ଐତିହାସିକମାନେ ଗୁରୁତ୍ବ ଦେଉଥିବା ବେଳେ ଏହି ବିଦ୍ରୋହର ନେତୃତ୍ବରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିବା ଚାଖି ଖୁଣ୍ଟିଆଙ୍କୁ ଅଣଦେଖା ନିଶ୍ଚିତ ଭାବେ ଏକ ଅନ୍ୟାୟ। ଚାଖି ଖୁଣ୍ଟିଆଙ୍କ ଜୀବନ ଦର୍ଶନ ଓ କାର୍ଯ୍ୟାବଳୀ ନେଇ ଗବେଷଣାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାନ୍ତି କହିଥିଲେ।

କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ବବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ପ୍ରଫେସର ଲକ୍ଷ୍ମୀକାନ୍ତ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଲେ, ଚାଖି ଖୁଣ୍ଟିଆ ସିପାହୀ ବିଦ୍ରୋହର ଇତିହାସରେ ପୁରୀ ଏବଂ ଓଡ଼ିଶାକୁ ଅନବଦ୍ୟ ସ୍ଥାନ ଦେଇଛନ୍ତି। ଧାର୍ମିକ ପର୍ଯ୍ୟଟନରେ ସଂପୃକ୍ତ ରହି ଚାଖି ଜଗନ୍ନାଥ ଦର୍ଶନର ପ୍ରଚାର କରିବା ସହିତ ଝାନ୍‌ସିରାଣୀ ଲକ୍ଷ୍ମୀବାଇଙ୍କ ପରାମର୍ଶଦାତା ଓ ସିପାହୀ ବିଦ୍ରୋହର ଅନ୍ୟତମ ଚତୁର ଯୋଦ୍ଧା ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ। ତାଙ୍କର ବ୍ୟକ୍ତିଗତ ଚିଠି, ବିଭିନ୍ନ ରେକର୍ଡ, ଦଲିଲ ପରି ଐତିହାସିକ ଉପାଦାନଗୁଡ଼ିକର ଆଧାରରେ ଅଧିକ ଅଧ୍ୟୟନ କରାଯାଇପାରିବ ବୋଲି ପ୍ରଫେସର ମିଶ୍ର କହିଥିଲେ। ଏହି ଅବସରରେ ଗବେଷକ କୃଷ୍ଣଚନ୍ଦ୍ର ମହାପାତ୍ର, ଭୀମସେନ ହଜୁରୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। ସୂଚନାଧିକାରୀ ଦୀପ୍ତିମୟୀ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସ୍ମୃତି ସମିତି ଭୁବନେଶ୍ବର ଶାଖା ସଭାପତି ବସନ୍ତ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବାହ୍ନରେ କଳ୍ପନା ଛକସ୍ଥିତ ଚାଖି ଖୁଣ୍ଟିଆଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଉପନିର୍ଦ୍ଦେଶକ ବିପିନ ବିହାରୀ ବାରିକ, ସହକାରୀ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ଓ ବରିଷ୍ଠ ଅଧିକାରୀ ମାଲ୍ୟାର୍ପଣ କରିଥିଲେ।

ସମ୍ବନ୍ଧିତ ଖବର