ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ, ସାଲିସ୍‌ବିହୀନ ସଂଗ୍ରାମ କରିଥିଲେ ଚକ୍ରଧର

ଭୁବନେଶ୍ବର: କନିକା କ୍ରାନ୍ତିର ମହାନାୟକ ବିପ୍ଳବୀ ଚକ୍ରଧର ବେହେରାଙ୍କ ୧୨୫ତମ ଜୟନ୍ତୀ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆଜି ଜୟଦେବ ଭବନରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ କହିଲେ, କନିକାର ପ୍ରଜା ଯେତେବେଳେ ରାଜା ଦ୍ବାରା ଅତ୍ୟାଚାରର ଶିକାର ହେଉଥିଲେ, ସେମାନଙ୍କୁ ନିର୍ଯାତନାରୁ ମୁକ୍ତି ଦେବା ଲାଗି ଆଗେଇ ଆସିଥିଲେ ସ୍ବର୍ଗତ ବେହେରା। ତାଙ୍କର ସାଲିସବିହୀନ ସଂଗ୍ରାମ ଓ ଜୀବନଚର୍ଯ୍ୟା ଅନ୍ୟମାନଙ୍କୁ ପଥ ପ୍ରଦର୍ଶନ କରିବାରେ ସହାୟକ ହେବ। ଆଜିର ଯୁବପିଢ଼ି ଏହାକୁ ଅନୁକରଣ କଲେ ସମାଜରେ ପରିବର୍ତନ ଆସିପାରିବ। ଆଜିର ସମୟରେ ସମସ୍ତେ ନିଜ ସ୍ବାର୍ଥ ପଛରେ ଧାଇଁଥିବା ବେଳେ ସ୍ବର୍ଗତ ବେହେରା କିନ୍ତୁ ଏହାର ବିପରୀତ ଥିଲେ। ପ୍ରଜାମାନଙ୍କ ପାଇଁ ସେ ଲଢ଼େଇ କରିଥିଲେ ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ।

ମୁଖ୍ୟବକ୍ତା ‘ସମ୍ବାଦ’ ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ମଧୁସୂଦନ, ଗୋପବନ୍ଧୁ, ନୀଳମଣି, ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀଙ୍କ ଭଳି ବ୍ୟକ୍ତିତ୍ବଙ୍କ ସହିତ ସମସ୍କନ୍ଧ ଥିଲେ ଚକ୍ରଧର। ଓଡ଼ିଶାର ଇତିହାସ ଲେଖିଥିବା ବ୍ୟକ୍ତିମାନେ କାହିଁକି ଏଥିରୁ ତାଙ୍କୁ ବଞ୍ଚିତ କରିଛନ୍ତି, ତାହାକୁ ତର୍ଜମା କରିବାର ଆବଶ୍ୟକତା ରହିଛି। ଯେଉଁମାନଙ୍କ ବିଷୟରେ ବେଶି ଲେଖାଯିବାର ଆବଶ୍ୟକତା ରହିଛି, ସେମାନଙ୍କ ବିଷୟରେ ବହୁତ କମ୍ ଲେଖାଯାଇଛି। ଅପରପକ୍ଷରେ ଯେଉଁମାନଙ୍କର ବ୍ୟକ୍ତିତ୍ବ ସଂପର୍କରେ ବହୁତ କମ୍ ଲେଖାଯିବା କଥା, ସେମାନଙ୍କ ସଂପର୍କରେ ବହୁତ କଥା ଲେଖାଯାଇଛି। ତେବେ ବିଳମ୍ବରେ ହେଲେ ମଧ୍ୟ ତାଙ୍କୁ କୃତଜ୍ଞତା ଜଣାଇବା ପାଇଁ ତାଙ୍କର ଜନ୍ମଦିନ ପାଳନ କରାଯାଇଛି। କନିକା ରାଜାଙ୍କ ଅତ୍ୟାଚାର ବିରୋଧରେ ପ୍ରତିବାଦର ସ୍ବର ଉତ୍ତୋଳନ କରିଥିଲେ ଚକ୍ରଧର। ହେଲେ ଆମ ସମାଜର ବୁଦ୍ଧିମାନ ବ୍ୟକ୍ତିମାନେ ଆଜି ନିରବ ରହିବାକୁ ପସନ୍ଦ କରୁଛନ୍ତି। ଯେଉଁମାନେ ପ୍ରତିବାଦ କଲେ ସେମାନଙ୍କ ସ୍ବର ସୁଦୂରପ୍ରସାରୀ ହେବ, ସେମାନେ ଚୁପ୍ ରହୁଛନ୍ତି। ପ୍ରତିକୂଳ ପରିସ୍ଥିତିରେ କିଭଳି ପ୍ରତିବାଦ କରାଯାଇପାରେ, ଚକ୍ରଧର ହେଉଛନ୍ତି ଏହାର ନମୁନା ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।

ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଲେ, ରାଜ୍ୟ ସରକାର ମହାପୁରୁଷମାନଙ୍କ ଜୟନ୍ତୀ ଓ ସ୍ମୃତିଚାରଣ ସଭା ପାଳନ କରି ଆସୁଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗ ଓ ସଂସ୍କୃତି ବିଭାଗ ଏ ଦିଗରେ ଯତ୍ନଶୀଳ। ସ୍ବାଧୀନତା ସଂଗ୍ରାମ ସମୟରେ ଯେଉଁ ବ୍ୟକ୍ତିମାନେ ରାଜାଙ୍କ ବିରୋଧରେ ହୋଇଥିବା ଆନ୍ଦୋଳନର ନେତୃତ୍ବ ନେଇଥିଲେ, ସେମାନଙ୍କୁ ମହାପୁରୁଷ ଭାବେ ବିବେଚନା କରାଯାଉଛି। ମାତ୍ର ଚକ୍ରଧର ଲୋକମାନଙ୍କ ପାଇଁ ଅପରିଚିତ ରହିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି। ଏମ୍‌ଏଲ୍‌ଏ ପାଣ୍ଠିରୁ ଭଦ୍ରକ ସହରରେ ପ୍ରତିମୂର୍ତି ନିର୍ମାଣ କରାଯିବା ସହ ତାଙ୍କର ଜୀବନୀ ପୁସ୍ତକ ପ୍ରସ୍ତୁତ କରିବା ଉପରେ ଗୁରୁତ୍ବ ଦିଆଯାଉ ବୋଲି ଶ୍ରୀ ସାମଲ କହିଥିଲେ। ବିଧାୟକ ବିଷ୍ଣୁ ସେଠୀ କହିଲେ, ଚକ୍ରଧରଙ୍କ ସଂପର୍କରେ ବିସ୍ତୃତ ପୁସ୍ତକ ପ୍ରକାଶ କରିବା ସହିତ ଏହାକୁ ପାଠ୍ୟପୁସ୍ତକରେ ସାମିଲ କରିବା ଦିଗରେ ଉଦ୍ୟମ କରାଯାଉ।

ବିପ୍ଳବୀ ଚକ୍ରଧର ବେହେରା ସ୍ମୃତି ସଂସଦର ସଭାପତି ତଥା ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ କହିଲେ, ପାଇକ ମେଳିଠାରୁ ଆରମ୍ଭ କରି କେନ୍ଦୁଝର ମେଳି, ଦଶପଲ୍ଲା ଓ ଅନ୍ୟାନ୍ୟ ମେଳିର ସ୍ମୃତିରକ୍ଷା ପାଇଁ କାମ ହୋଇଛି। ମାତ୍ର କନିକା ମେଳି ପାଇଁ ବିଶେଷ ଉଦ୍ୟମ ହୋଇନାହିଁ। ଏହି ପ୍ରଜା ମେଳିର ନେତୃତ୍ବ ନେଇଥିବା ଚକ୍ରଧରଙ୍କ ଜନ୍ମ ଶତବାର୍ଷିକୀ ପଳାଇଥିଲେ ମଧ୍ୟ ତାଙ୍କ ପ୍ରତିମୂର୍ତିରେ ଫୁଲ ମାଳଟିଏ ମଧ୍ୟ ଦିଆଯାଇ ନାହିଁ। ତେବେ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଏ ଦିଗରେ ଉଦ୍ୟମ ଆରମ୍ଭ କରିଛନ୍ତି। ଚକ୍ରଧରଙ୍କ ଜୀବନୀ ସଂପର୍କରେ ପୁସ୍ତକ ପ୍ରକାଶ ସହିତ ଏକ ଡକ୍ୟୁମେଣ୍ଟାରି ପ୍ରସ୍ତୁତ ପାଇଁ ଉଦ୍ୟମ ହେବା ଆବଶ୍ୟକ। ତାଙ୍କର ଆଦର୍ଶ ଓ ମୂଲ୍ୟବୋଧ ସଂପର୍କରେ ଉତ୍ତରପିଢ଼ି ଜାଣିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ମହୀଧର ରଣା ଓ ମୌଷଧୀ ବାଗ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦେଶକ କୃପାସିନ୍ଧୁ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅତିରିକ୍ତ ନିର୍ଦେଶକ ନିରଞ୍ଜନ ସେଠୀ ଧନ୍ୟବାଦ ଦେଇଥିଲେ। ଆଜି ସକାଳେ ରାଜଭବନସ୍ଥିତ ଚକ୍ରଧର ବେହେରାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଧାୟକ ବ୍ୟୋମକେଶ ରାୟ, ବିଧାୟକ ପ୍ରଫୁଲ୍ଲ ସାମଲ, ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ, ସତ୍ୟାନନ୍ଦ ରାଉତଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର