୧୧କୁ ଘୁଞ୍ଚିଲା ଚନ୍ଦକା‌ ପକ୍ଷୀ ଗଣନା

ଖଣ୍ଡଗିରି : ଆସନ୍ତାକାଲି ଅର୍ଥାତ୍ ୯ ତାରିଖରେ ହେବାକୁ ଥିବା ଚନ୍ଦକା ଅଭୟାରଣ୍ୟର ପକ୍ଷୀ ଗଣନା କାର୍ଯ୍ୟକ୍ରମ ୧୧ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ବନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲେ ବି ଭାରତ ବନ୍ଦ ଯୋଗୁଁ କାର୍ଯ୍ୟକ୍ରମକୁ ସାମୟିକ ଭାବେ ଘୁଞ୍ଚାଇବାକୁ ପଡ଼ିଛି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଚନ୍ଦକା ଅଭୟାରଣ୍ୟକୁ ବହୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ଜଣାପଡ଼ିଛି। ଗତବର୍ଷ ପ୍ରାୟ ୧୦ରୁ ଅଧିକ ପ୍ରଜାତିର ୩ ହଜାର ବିଦେଶୀ ପକ୍ଷୀ ଏହି ଅଭୟାରଣ୍ୟରେ ଦେଖିବାକୁ ମିଳିଥିଲା। ତେଣୁ ଚଳିତ ବର୍ଷ ଏହି ସଂଖ୍ୟା ବଢ଼ିପାରେ ବୋଲି ଆକଳନ କରାଯାଇଛି। ଏହି ଅଭୟାରଣ୍ୟର ବିଭିନ୍ନ ରେଞ୍ଜରେ ଥିବା ପ୍ରାକୃତିକ ଓ କୃତ୍ରିମ ଜଳାଶୟମାନଙ୍କରେ ଶୀତ ଦିନ‌ରେ ବିଦେଶୀ ପକ୍ଷୀ ଦେଖିବାକୁ ମିଳନ୍ତି। ବି‌ଶେଷକରି ଏହି ଅଭୟାରଣ୍ୟ ସୀମା ଭିତରେ ରହିଥିବା କ୍ଷୁଦ୍ର ଜଳସେଚନ ବିଭାଗର ଜଳଭଣ୍ଡାରରେ ଏହି ପକ୍ଷୀମାନେ ବିଚରଣ କରନ୍ତି। ଡେରାସ, ଝୁମୁକା, କଜଳାଗଣ୍ଡ, କୁମାରଖୁଣ୍ଟି, ଅମ୍ବିଲ ଓ କୁଜିମହୁଲ ପାଟ ଆଦି ଜଳଭଣ୍ଡାରରେ ବିଦେଶୀ ପକ୍ଷୀ ଦେଖିବାକୁ ମିଳନ୍ତି। ତେବେ ଡମପଡ଼ା ରେଞ୍ଜର ମହାନଦୀ ତଟବର୍ତ୍ତୀ ଅଞ୍ଚଳ, ମୁଣ୍ଡଳୀ, କୁଆଖାଇ ନଦୀ ଓ ପୁରୀ କେନାଲରେ ମଧ୍ୟ ବହୁ ବିଦେଶୀ ପକ୍ଷୀ ଦେଖାଯାଆନ୍ତି। ଏହି ସବୁ ଅଞ୍ଚଳରେ ବିଦେଶୀ ପକ୍ଷୀମାନେ ସ୍ବତନ୍ତ୍ର ବସା କରି ଅଣ୍ଡା ଦେବାର ନଜିର ମଧ୍ୟ ରହିଛି। ବହୁ ସମୟରେ ଭରତପୁର ସଂରକ୍ଷିତ ଜଙ୍ଗଲ ଓ ଏକାମ୍ର କାନନରେ ମଧ୍ୟ କିଛି ନବାଗତା ପକ୍ଷୀଙ୍କୁ ଦେଖିବାକୁ ମିଳେ।

ସମ୍ବନ୍ଧିତ ଖବର