ଖଣ୍ଡଗିରି : ଚନ୍ଦକାରେ ଜମିଲେଣି ଯାଯାବର ପକ୍ଷୀ। ଶୀତ ବଢ଼ିବା ସହ ଲାଗିଗଲାଣି ଚଢ଼େଇ ମେଳା। ସୁଦୂର ଉତ୍ତର ଭାରତରୁ ଉଡ଼ି ଆସିଲେଣି ମାଳମାଳ ଭ୍ରମଣଶୀଳ ପକ୍ଷୀ। ତେଣୁ ଶନିବାର ଚନ୍ଦକା ହସ୍ତୀ ଅଭୟାରଣ୍ୟରେ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା କରାଯିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ହସ୍ତୀ ଅଭୟାରଣ୍ୟ ଭାବେ ପରିଚିତ ଏହି ଜଙ୍ଗଲ ଭିତରେ ଓ ପାର୍ଶ୍ୱବର୍ତ୍ତୀ ଜଳାଶୟମାନଙ୍କରେ ଶୀତ ଦିନେ ବହୁ ଯାଯାବର ବା ଭ୍ରମଣଶୀଳ ପକ୍ଷୀ ଡେରା ପକାଉଥିବା କାରଣରୁ ପ୍ରତିବର୍ଷ ବନ ବିଭାଗ ଏହି କାର୍ଯ୍ୟକ୍ରମ କରିଥାଏ। ଲୁଣି ହ୍ରଦ ଚିଲିକା ଓ ମହାନଦୀ ସଂଲଗ୍ନ ମଧୁର ଜଳ ହ୍ରଦ ଅଂଶୁପାକୁ ଆସୁଥିବା ବହୁ ପ୍ରଜାତିର ଯାଯାବର ପକ୍ଷୀମାନେ ଚନ୍ଦକା ଅଭୟାରଣ୍ୟ ଅଞ୍ଚଳରେ ହିଁ ଆସ୍ଥାନ ଜମାଇଥାଆନ୍ତି। ଚଳିତ ବର୍ଷ ମଧ୍ୟ ବହୁ ପକ୍ଷୀଙ୍କ ଆଗମନ ହୋଇଥିବା ପରିଲକ୍ଷିତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ ଶୀତଋତୁ ପ୍ରବେଶ କରିବା ମାତ୍ରେ ଚନ୍ଦକା ଜଙ୍ଗଲର କୁମାରଖୁଣ୍ଟି, ଅମ୍ବିଲ, କଜଳାଗଣ୍ଡ, ଡେରାସ, ଝୁମୁକା, ଜାରିଆ, ଗୋଡ଼ିବାରୀ ଓ ଭରତପୁର ସଂରକ୍ଷିତ ଜଙ୍ଗଲ ଭିତର ଆଦି ଜଳାଶୟମାନଙ୍କରେ ବହୁ ଅତିଥି ପକ୍ଷୀଙ୍କୁ ଦେଖିବାକୁ ମିଳେ। ସେହିଭଳି ମହାନଦୀର ନରାଜ ଓ ମୁଣ୍ଡଳୀ ଏବଂ ପୁରୀ କେନାଲ ବହି ଯାଇଥିବା ଅଞ୍ଚଳରେ ମଧ୍ୟ ବହୁ ନୂତନ ପ୍ରଜାତିର ପକ୍ଷୀ ଦେଖାଯାଆନ୍ତି। ଡମପଡ଼ା ନିକଟ ମହାନଦୀ ଅବବାହିକାସ୍ଥିତ ଜଳାଶୟ ଗୁଡ଼ିକରେ ମଧ୍ୟ ବହୁ ପକ୍ଷୀ ଡେରା ପକାଇ ରୁହନ୍ତି। ବିଶେଷ କରି ବିଭିନ୍ନ ପ୍ରଜାତିର ହଂସ, ହଂସରାଳି, ଗେଣ୍ଡାଳିଆ, ପେଲିକାନ୍, ଫ୍ଲେମିଙ୍ଗୋ, କର୍ମୋମୋରାଣ୍ଟ, ପିଣ୍ଟେଲ୍, ପୋଚାର୍ଡ ଭଳି ଯାଯାବର ଶ୍ରେଣୀୟ ପକ୍ଷୀମାନେ ଚନ୍ଦକା ଅଭୟାରଣ୍ୟକୁ ପ୍ରତିବର୍ଷ ଆସନ୍ତି। ଡେରାସ ଓ ଝୁମୁକାରେ ଜନଗହଳି ଲାଗି ରହୁଥିବାରୁ ସେଠାରେ ଅଧିକ ପକ୍ଷୀ ରହନ୍ତି ନାହିଁ। କିନ୍ତୁ କୁମାରଖୁଣ୍ଟି, ଅମ୍ବିଲ, କଜଳାଗଣ୍ଡ, ଜାରିଆ ଓ ଅନ୍ୟ ସ୍ଥାନରେ ପ୍ରଚୁର ପକ୍ଷୀଙ୍କୁ ଦେଖିବାକୁ ମିଳେ।
ଅଭୟାରଣ୍ୟର ପ୍ରାୟ ୨୧ଟି ସ୍ଥାନକୁ ଚିହ୍ନଟ କରାଯାଇଛି। ଦିନିକିଆ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବନ ବିଭାଗର ୨୦ କର୍ମଚାରୀଙ୍କ ସହ ବାହାରୁ ପ୍ରାୟ ୩୫ ଜଣଙ୍କୁ ସାମିଲ୍ କରାଯାଇଛି। ବିଜୁ ପଟ୍ଟନାୟକ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଫରେଷ୍ଟ୍ରି କଲେଜ ଛାତ୍ରଛାତ୍ରୀଙ୍କ ସହ ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନର ଛାତ୍ରଛାତ୍ରୀ ଏବଂ ଗବେଷଣା କରୁଥିବା ଛାତ୍ରଛାତ୍ରୀମାନେ ଏଥିରେ ସାମିଲ୍ ହୋଇଛନ୍ତି। ମୋଟ୍ ୧୧ଟି ଟିମ୍ ଗଠନ କରାଯାଇଛି ଓ ଏହି ଟିମ୍ ପର୍ଯ୍ୟାୟକ୍ରମେ ୨୧ଟି ସ୍ଥାନକୁ ଯାଇ ପକ୍ଷୀ ଗଣନା କରିବେ।
ଏସିଏଫ୍ ଶରତ କୁମାର ବେହେରାଙ୍କ କହିବା କଥା ଚଳିତ ବର୍ଷ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବେଶ୍ ହ୍ରାସ ପାଇଛି। ତେଣୁ ଚନ୍ଦକାରେ କି ପ୍ରକାର ଫଳାଫଳ ମିଳିବ, ତାହାର ପୂର୍ବାନୁମାନ କରିବା ଅସମ୍ଭବ। ତେବେ ପ୍ରତିଦିନ ଲକ୍ଷ୍ୟ କରୁଥିବା ବନ କର୍ମଚାରୀମାନେ ମଧ୍ୟ ଏଭଳି ଆଶଙ୍କା ପ୍ରକଟ କରିଛନ୍ତି। ଚଳିତ ବର୍ଷ ସେଭଳି ଆଖିଦୃଶିଆ ସଂଖ୍ୟାରେ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳୁନଥିବା ସେମାନେ ସୂଚନା ଦେଇଛନ୍ତି। କିଛି ପକ୍ଷୀ ନିୟମିତ ମହାନଦୀ ପାର୍ ହୋଇ ଚନ୍ଦକା ଅଭୟାରଣ୍ୟ ଓ ଅଂଶୁପା ହ୍ରଦ ମଧ୍ୟରେ ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳୁଛି ବୋଲି ସେମାନେ ସୂଚନା ଦେଇଛନ୍ତି।