ବାଲିଅନ୍ତା‌: ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ଅଞ୍ଚଳକୁ ବାର୍ଡଫ୍ଲୁ ବ୍ୟାପିଛି। ଆଜି ଗୋଟିଏ ଫାର୍ମରେ ଏକାଥରକେ ୫୦୦୦ କୁକୁଡ଼ା ମରିଯାଇଛନ୍ତି। ସେହିଭଳି ଅନ୍ୟ ଏକ ସ୍ଥାନରେ କେନାଲ ବନ୍ଧରେ ବସ୍ତାବସ୍ତା ମଲା କୁକୁଡ଼ା ପଡ଼ିଥିବା ଦେଖିବାକୁ ମିଳିଛି। ଆଜି ଏହି ଖବର ପ୍ରଚାରିତ ହେବା ପରେ ବାଲିଅନ୍ତା ଓ ବାଲିପାଟଣା ବ୍ଲକ୍‌ ଅଞ୍ଚଳରେ କୁକୁଡ଼ା ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ଦୁଇ ବ୍ଲକ୍‌ ଅଞ୍ଚଳର ଶହଶହ କୁକୁଡ଼ା ଚାଷୀ ବିପୁଳ କ୍ଷତି ସହିବା ଚିନ୍ତାରେ ମୁଣ୍ଡରେ ହାତ ଦେଇଛନ୍ତି। ସେହିଭଳି ଆଜି ଜୟଦେବ ନିର୍ବାଚନମଣ୍ଡଳୀର ବହୁ ଅଞ୍ଚଳରେ ଚିକେନ୍‌ ସେଣ୍ଟର ସବୁ ବନ୍ଦ ହୋଇଯାଇଛି। 

Advertisment

ପ୍ରତାପଶାସନ ପଞ୍ଚାୟତ ବସନ୍ତପେଡ଼ି ଗ୍ରାମର ପଞ୍ଚାୟତ ରୋଡ୍‌ଛକ ନିକଟରେ ରହିଛି ମାନସ ମହାନ୍ତିଙ୍କର କୁକୁଡ଼ା ଫାର୍ମ। ଆଜି ସକାଳେ ମାନସ ଫାର୍ମ ଭିତର ସଫା କରିବା ସହ କୁକୁଡ଼ାଙ୍କୁ ଦାନା ଦେବାକୁ ଯାଇଥିବା ବେଳେ ଶହଶହ କୁକୁଡ଼ା ମରିପଡ଼ିଥିବା ଦେଖିଥିଲେ। କେବଳ ସେତିକି ନୁହେଁ, ବହୁ କୁକୁଡ଼ା ଛଟପଟ ହେଉଥିବା ଦେଖିବାକୁ ପାଇଥ‌ିଲେ। ଏହା ଦେଖି ତାଙ୍କ ମୁଣ୍ଡ ଘୂରାଇଦେଇଥିଲା ଏବଂ ସେ ତୁରନ୍ତ ବାଳକାଟି ପ୍ରାଣୀ ଚିକିତ୍ସା କେନ୍ଦ୍ର ସହ ଯୋଗାଯୋଗ କରିଥିଲେ। ପ୍ରାଣୀ ଚିକିତ୍ସା ଅଧିକାରୀ ତାଙ୍କୁ ମଲା କୁକୁଡ଼ାତକ ଏକ ପରିତ୍ୟକ୍ତ ତଥା ଦୂର ସ୍ଥାନରେ ଗାତଖୋଳି ପୋତିଦେବାକୁ ପରାମର୍ଶ ଦେଇଥିଲେ। ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କଥା ଅନୁସାରେ ମାନସ ଫାର୍ମଠାରୁ କିଛି ଦୂରରେ ଗାତ ଖୋଳି ମଲା କୁକୁଡ଼ାଗୁଡ଼ିକୁ ପୋତି ଦେଇଥିଲେ।

ମାନସଙ୍କ କହିବା କଥା ସେ ମୋଟ ୫୦୦୦ କୁକୁଡ଼ା ପୋତିଛନ୍ତି। ଲକ୍ଷଣ ଅନୁସାରେ କୁକୁଡ଼ାଗୁଡ଼ିକ ବାର୍ଡଫ୍ଲୁ’ରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି। ସେହିପରି ସରକଣା ପଞ୍ଚାୟତ ଅଧୀନ ଅନ୍ଧୋଟି ଗ୍ରାମ ଉନ୍ନୟନ ରାସ୍ତାକଡ଼ ଶାଖା କେନାଲ ବନ୍ଧ ନିକଟରେ ଆଜି ଅଖାରେ ଭର୍ତ୍ତି ହୋଇ ଶହଶହ ମଲା କୁକୁଡ଼ା ପଡ଼ିଥିବା ଦେଖାଯାଇଥିଲା। ପାଖାପାଖି ୩/୪ କ୍ବିଣ୍ଟାଲ୍ ମଲା କୁକୁଡ଼ାକୁ କେହି ସେଠାରେ ଫୋପାଡ଼ି ଚାଲିଯାଇଥିବା ଜଣାପଡ଼ିଛି। ଏହି ମଲା କୁକୁଡ଼ାଗୁଡ଼ିକ ମଧ୍ୟ ବାର୍ଡଫ୍ଲୁ ସଂକ୍ରମିତ ବୋଲି ଜଣାପଡ଼ିଛି। ଏସଂପର୍କରେ ବ୍ଲକ୍‌ ପ୍ରାଣୀଧନ ଅଧିକାରୀ ମୋନାଲିସା ପ୍ରିୟଦର୍ଶିନୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ କୁକୁଡ଼ା ମଡ଼କ କଥା ସତ। ଏନେଇ ଚାଷୀମାନଙ୍କୁ ସଚେତନ କରାଯାଉଛି ଏବଂ ମଲା କୁକୁଡ଼ାଗୁଡ଼ିକୁ ପୋତି ଦେବାକୁ ପରାମର୍ଶ ଦିଆଯାଇଛି।