ଭୁବନେଶ୍ବର: ଭୁବନେଶ୍ବର ଭିତରେ ଆଉ ରହିବନି ପକ୍ଷୀ ଗବେଷଣା କେନ୍ଦ୍ର। ଓୟୁଏଟିରେ ଥିବା କୁକ୍କୁଟ ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଓୟୁଏଟିସ୍ଥିତ କୁକ୍କୁଟ ଗବେଷଣା କେନ୍ଦ୍ର ସହ କଳିଙ୍ଗ ଷ୍ଟୁଡିଓ ନିକଟରେ ଥିବା କେନ୍ଦ୍ରୀୟ ପକ୍ଷୀ ଗବେଷଣା କେନ୍ଦ୍ର(କେରି), ଜୟଦେବ ବିହାରରେ ଥିବା କେନ୍ଦ୍ରୀୟ କୁକ୍କୁଟ ବିକାଶ ସଙ୍ଗଠନ(ସିପିଡିଓ) ଓ ଲକ୍ଷ୍ମୀସାଗରଠାରେ ଥିବା ରାଜ୍ୟ ସରକାରଙ୍କ ଏକ ଗବେଷଣା ସଂସ୍ଥାକୁ ସହର ବାହାରକୁ ସ୍ଥାନାନ୍ତର କରାଯିବ। ଯେତେଶୀଘ୍ର ସମ୍ଭବ ସହରଠାରୁ ଦୂରରେ ବିକଳ୍ପ ଜାଗା ଚିହ୍ନଟ କରି ଉକ୍ତ ୪ଟି ଗବେଷଣା ସଂସ୍ଥାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି।

Advertisment

ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକର ଆଲୋଚନା ଅନୁଯାୟୀ ୨୦୧୮ରେ କଳିଙ୍ଗ ଷ୍ଟାଡିୟମ୍‌ର ସମ୍ପ୍ରସାରଣ ସମୟରେ ସିପିଡିଓର ୫୦ ଭାଗ ସ୍ଥାନାନ୍ତର ହୋଇସାରିଛି। ଗବେଷଣା ପାଇଁ ନରାଜ ନିକଟରେ ଉକ୍ତ ସଙ୍ଗଠନକୁ ଜମି ଯୋଗାଇ ଦିଆଯାଇଛି। ସେଠାକୁ ସମସ୍ତ କୁକୁଡ଼ା ସ୍ଥାନାନ୍ତର ହୋଇଛନ୍ତି। ତେବେ ଚିଆଁ ଓ ସିପିଡିଓ କାର୍ଯ୍ୟାଳୟ ଏଠାରେ କାର୍ଯ୍ୟକ୍ଷମ ରହିଛି। ତାହାକୁ ମଧ୍ୟ ସ୍ଥାନାନ୍ତର କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କର୍ତୃପକ୍ଷଙ୍କୁ କୁହାଯାଇଛି। ଓୟୁଏଟିର କୁକୁଡ଼ା ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଏହାକୁ ମଧ୍ୟ ସହର ବାହାରକୁ ସ୍ଥାନାନ୍ତର କରାଯିବ। ଏହି ଗବେଷଣା କେନ୍ଦ୍ର ଆଖପାଖରେ ଜନବସତି ଥିବାରୁ ବାର୍ଡ ଫ୍ଲୁ ସଂକ୍ରମଣରେ ମଣିଷ ଜୀବନ ଯିବାର ଆଶଙ୍କା ସୃଷ୍ଟି ହୋଇଛି। ବାର୍ଡ ଫ୍ଲୁ ପରେ ଏବେ ଏଠାରେ ଆଉ କୁକୁଡ଼ା ନାହାନ୍ତି। ଗବେଷଣା ପାଇଁ ଥିବା ଘର ବି ଅଧା ଭାଙ୍ଗିଗଲାଣି ଏବଂ ଆସନ୍ତା ୩ ମାସ ପର୍ଯ୍ୟନ୍ତ ଏଠାରେ ଗବେଷଣା ହେବନି। ତେଣୁ ଏହି ସମୟରେ ଗବେଷଣା କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ।

ଅନ୍ୟପକ୍ଷରେ କଳିଙ୍ଗ ଷ୍ଟୁଡିଓ ନିକଟରେ ଥିବା କେରିରେ ଏବେ ଅଳ୍ପ ପକ୍ଷୀ ରହିଛନ୍ତି। କେବଳ ଛାତ୍ରଛାତ୍ରୀ ଗବେଷଣା କରୁଛନ୍ତି। ତେଣୁ ସେମାନଙ୍କୁ ସହର ବାହାରେ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ କୌଣସି ଅସୁବିଧା ନାହିଁ। ଭୁବନେଶ୍ବର ସହର ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ଭବିଷ୍ୟତରେ ଯଦି ଏଠାରେ ବାର୍ଡ ଫ୍ଲୁ ହୁଏ ତେବେ ଲୋକେ ଅସୁବିଧାର ସମ୍ମୁଖୀନ ହେବେ। ତାହାକୁ ନଜରରେ ରଖି ଏହି ଗବେଷଣା କେନ୍ଦ୍ରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ସେହିପରି ଲକ୍ଷ୍ମୀସାଗରରେ ଥିବା ଗ‌ବେଷଣା କେନ୍ଦ୍ରକୁ ରାଜ୍ୟ ସରକାର ଯେଉଁଠିକୁ ବି ଚାହିଁବେ ସ୍ଥାନାନ୍ତର କରିପାରିବେ। ତେବେ ଆଜିର ବୈଠକରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ସମସ୍ତ ସଂସ୍ଥାର ମୁଖ୍ୟଙ୍କ ସହ କେବଳ ଆଲୋଚନା କରାଯିବା‌ ସହ ମତାମତ ନିଆଯାଇଥିଲା। ଗବେଷଣା କେନ୍ଦ୍ରଗୁଡ଼ିକୁ ସ୍ଥାନାନ୍ତର କରିବାକୁ ସମସ୍ତ ସଂସ୍ଥାର ମୁଖ୍ୟମାନେ ମତପୋଷଣ କରିଛନ୍ତି। ତେବେ କେଉଁ ସଂସ୍ଥାକୁ କେଉଁଠି ଜମି ଯୋଗାଇ ଦିଆଯିବ ତାହା ଉପରେ ନଜର ରହିଛି। ସିପିଡିଓ ନରାଜ ନିକଟକୁ ଯାଇଥିବାରୁ ଅନ୍ୟ ସଂସ୍ଥାଗୁଡ଼ିକୁ ମଧ୍ୟ ଚନ୍ଦକା ନିକଟବର୍ତୀ ଅଞ୍ଚଳକୁ ନେବାର ଯୋଜନା କରାଯାଇଛି।

ଆହୁରି ଧରପଗଡ଼ ଚାଲିଛି
ବାର୍ଡ ଫ୍ଲୁ ନିୟନ୍ତ୍ରଣ ନିମନ୍ତେ ଓୟୁଏଟି କୁକୁଡ଼ା ଫାର୍ମର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ କୁକୁଡ଼ା ମରା ଓ ବିଶୋଧନ କାର୍ଯ୍ୟ ଅବ୍ୟାହତ ରହିଛି। ଏଥିପାଇଁ ନିୟୋଜିତ ୭ଟି ରାପିଡ ରେସପନ୍ସ ଟିମ୍‌ ଫାର୍ମର ଏକ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ ବ୍ଲିଚିଂ ପାଉଡର ଓ ୨% ସୋଡିଅମ୍‌ ହାଇପୋ‌କ୍ଲୋରାଇଟ ଦ୍ରବଣ ସିଞ୍ଚନ କରି ବିଶୋଧନ କରିଥିଲେ। ଏଥିସହ କମ୍ବିଂ ଅଭିଯାନ ମଧ୍ୟ ଚାଲିଥିଲା। ଏହି ଟିମ୍‌ ଆଜି ଜଣେ କୁକୁଡ଼ା ଚାଷୀଙ୍କ ନିକଟରୁ ଗୋଟିଏ କୁକୁଡ଼ା ଜବତ କରିଛି। କୁକୁଡ଼ାଟି ଧରାପଡ଼ିବା ପରେ ତାହାକୁ ମାରି ଗଭୀର ଗାତରେ ପୋତି ଦେଇଛନ୍ତି। ପୋତିବା ସମୟରେ ବିଶୋଧକ ଭାବେ ଚୂନ ଓ ବ୍ଲିଚିଂ ପାଉଡର ପ୍ରୟୋଗ କରାଯାଇଥିଲା। କମ୍ବିଂ ଅଭିଯାନ ଚାଲିଥିବାରୁ ଆଜି କୌଣସି କ୍ଷତିପୂରଣ ଦିଆଯାଇ ନାହିଁ। ଏହାବ୍ୟତୀତ ୧ରୁ ୧୦ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଅଞ୍ଚଳରେ ୬ଟି ରାପିଡ୍‌ ରେସପନ୍ସ ଟିମ୍‌ ବିଭିନ୍ନ ସ୍ଥାନରେ ତନ୍ନ ତନ୍ନ କରି ନୀରିକ୍ଷଣ କରିଥିଲେ। ନୀରିକ୍ଷଣ ସମୟରେ କୌଣସି କୁକୁଡ଼ା ରୋଗାକ୍ରାନ୍ତ ଥିବାର ଦେଖାଯାଇ ନ ଥିଲା। ଏହି ନୀରିକ୍ଷଣ ପ୍ରକ୍ରିୟା ଆସନ୍ତାକାଲି ରବିବାର ମଧ୍ୟ ଚାଲୁ ରହିବ।