‌ଖଣ୍ଡଗିରି: ପୁରୀ ଜିଲ୍ଲାର ଡେଲାଙ୍ଗ ଓ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା, ବାଲିପାଟଣା ଓ ଜଙ୍କିଆ ଆଦି ଅଞ୍ଚଳରେ ବାର୍ଡ ଫ୍ଲୁ ମାଡ଼ିମାଡ଼ି ଚାଲିଛି। ଏସବୁ ଅଞ୍ଚଳ ଭୁବନେଶ୍ବରର ନିକଟବର୍ତ୍ତୀ ହୋଇଥିବାରୁ ବାର୍ଡ ଫ୍ଲୁ ପ୍ରଭାବ, ରାଜଧାନୀର ଚିକେନ୍‌ ବେପାରକୁ ପ୍ରଭାବିତ କରିଛି। ସପ୍ତାହେ ହେଲା ଚିକେନ୍‌ ବେପାର ବହୁ ପରିମାଣରେ ହ୍ରାସ ପାଇଛି ଏବଂ ଆମିଷପ୍ରିୟ ଲୋକେ ମାଛ ବଜାରକୁ ଲମ୍ପ ମାରିଛନ୍ତି। ଫଳରେ ରୋହି, ଭାକୁଡ଼, ଚିଙ୍ଗୁଡ଼ି ଆଦି ମାଛର ଭାଉ ବଢ଼ିଛି। ଚିକେନ୍‌ ଦର ପାଖାପାଖି ୮୦ ଟଙ୍କା କମିଯାଇଥିବା ବେଳେ ମାଛ ଭାଉ ପ୍ରାୟ ୨୦ଟଙ୍କା ବଢ଼ିଛି।  

Advertisment

ଆଜି ଶୁକ୍ରବାର ପାଇଁ ସ୍ବାଭାବିକ ଭାବେ ଆମିଷ ବଜାରରେ ଗହଳି ଲାଗିଥିଲା। କିନ୍ତୁ ଚିକେନ୍‌ କାଉଣ୍ଟର ଥିଲା ଖାଁ ଖାଁ। ଗତ ସପ୍ତାହରେ ଚିକେନ୍‌ ଦର କିଲୋ ପିଛା ୨୪୦ ଟଙ୍କା(ସାଧାରଣ ମାଂସ)ରୁ ୨୮୦ ଟଙ୍କା(ଲେଗ୍‌ ପିସ୍)  ଥିଲା। କିନ୍ତୁ ଆଜି ଦର ଥିଲା ୧୬୦ ଟଙ୍କାରୁ ୨୦୦ ଟଙ୍କା। ଖଣ୍ଡଗିରି ଓ ଖୋର୍ଦ୍ଧା ସଂଲଗ୍ନ ଅଞ୍ଚଳରେ ଚିକେନ୍‌ କିଲୋ ପିଛା ୧୪୦ ଟଙ୍କାକୁ ଖସି ଆସିଛି। ଦର କମିବା ପରେ ବି ବାର୍ଡ ଫ୍ଲୁ ଭୟରେ ବହୁ ଗ୍ରାହକ ଚିକେନ୍‌ରୁ ମୁହଁ ଫେରାଇବା ଦେଖାଯାଇଛି। କିନ୍ତୁ ଆଜି ମାଛ ଦୋକାନରେ ପ୍ରବଳ ଗହଳି ଲାଗି ରହିଥିଲା। ଅଲଗା ଦିନ ଅପେକ୍ଷା ଆଜି ରୋହି, ଭାକୁଡ଼ ଓ ଚିଙ୍ଗୁଡ଼ିର ମୂଲ୍ୟ ବୃଦ୍ଧି ପାଇଥିଲା। ମାଛ ଚାହିଦା ବଢ଼ିବାରୁ ଦର ବଢ଼ିଯାଇଥିଲା। ପୂର୍ବରୁ ରୋହି, ଭାକୁଡ଼ ଦର ୧୬୦ ଟଙ୍କାରୁ ୧୮୦ ଭିତରେ ଟଙ୍କା ଥିଲା। କିନ୍ତୁ ଆଜି ୧୮୦ରୁ ୨୦୦ ଟଙ୍କାକୁ ବଢ଼ିଥିଲା। ବଡ଼ ସାଇଜ୍‌ ଭାକୁଡ଼ କିଲୋ ୨୨୦ ଟଙ୍କା ହୋଇଯାଇଥିଲା। ଫାଷ୍ଟଫୁଡ୍‌ ବଜାର ଉପରେ ବାର୍ଡ ଫ୍ଲୁ ପାହାର ପଡ଼ିଛି। ବେପାର ପୂରା ମାନ୍ଦା। ଚିକେନ୍‌ ଆଇଟମ୍‌ ବିକ୍ରି ବହୁ ପରିମାଣରେ ହ୍ରାସ ପାଇଛି।

ଚିକେନ୍‌ ବିରିଆନି, ପକୋଡ଼ା, ଚିକେନ୍‌-ଅଣ୍ଡା ରୋଲ୍‌ ଓ ଚପ୍‌, ଚିକେନ୍‌ ଚାଓମିନ୍‌ ଓ ଚିକେନ୍‌ ମୋମୋ ଭଳି ଆଇଟମ୍‌ ଆଡ଼କୁ ଗ୍ରାହକ ଚାହୁଁ ନାହାନ୍ତି। କିଛି ଅଣଓଡ଼ିଆ ଗ୍ରାହକଙ୍କ ପାଇଁ ଚିକେନ୍‌ ଆଇଟମ୍‌ ବେପାର ଚାଲିଛି। ଯେଉଁ ଫାଷ୍ଟ୍‌ଫୁଡ୍‌ କାଉଣ୍ଟରରେ ଦୈନିକ ୨୦୦ ପ୍ଲେଟ୍‌ ବିକ୍ରି ହେଉଥିଲା, ଏବେ ସେଠାରେ ୫୦ ପ୍ଲେଟ୍‌ ବିକ୍ରି ହେଉଛି। କାରଣ ଗ୍ରାହକମାନେ ଚିକେନ୍‌ ନାଁ ଶୁଣିଲେ ନାକ ଟେକୁଛନ୍ତି। ପକୋଡ଼ା, ଚାଓମିନ୍‌ ଭଳି ଆଇଟମ୍‌ରେ ଚିଙ୍ଗୁଡ଼ି, ଛତୁ ପକାଇବାକୁ ବରାଦ କରୁଛନ୍ତି। ବହୁ ଗ୍ରାହକ ଭେଜ୍‌ ଆଇଟମ୍‌କୁ ପସନ୍ଦ କରୁଛନ୍ତି। ବାର୍ଡ ଫ୍ଲୁ ସାଙ୍ଗକୁ ଶ୍ରାବଣ ମାସ ଚାଲିଥିବାରୁ ଚିକେନ୍‌ ବେପାର ବେଶି କମିଛି ବୋଲି ଘାଟିକିଆର ଫାଷ୍ଟଫୁଡ୍‌ ବ୍ୟବସାୟୀ ଅନନ୍ତ ଦାସ କହିଛନ୍ତି। ଅଲ୍‌ ଓଡ଼ିଶା ନନ୍‌ଭେଜ୍‌ ଟ୍ରେଡର୍ସ ଫେଡେରେସନ୍‌ର ରାଜ୍ୟ ସଭାପତି ଶେଖ୍‌ ମୁନ୍ତାକିମ୍‌ ବକ୍ସ କହିଛନ୍ତି ଯେ ବାର୍ଡ ଫ୍ଲୁ ଭୟରେ ଚାଷୀମାନେ କମ୍‌ ଦରରେ ଚିକେନ୍‌ ବିକି ଦେଉଛନ୍ତି। ବଜାରର ମାନ୍ଦା ଅବସ୍ଥା ଦେଖି ରାଜଧାନୀକୁ କମ୍‌ କୁକୁଡ଼ା ମଗାଯାଉଛି। ଆଗରୁ ୧୦୦ ଗାଡ଼ି କୁକୁଡ଼ା ଆସୁଥିବା ବେଳେ ଆଜି ମାତ୍ର ୩୦ରୁ ୩୫ ଗାଡ଼ି ଆସିଛି। ଏବେ ନିଆଳି, ଅଡ଼ଶପୁର ଓ କୋଣାର୍କ ଅଞ୍ଚଳରୁ ରାଜଧାନୀକୁ କୁକୁଡ଼ା ଆସୁଛି।