ବାଲିପାଟଣା: ବାଲିପାଟଣା ଓ ବାଲିଅନ୍ତା ଅଞ୍ଚଳରେ କୁକୁଡ଼ା ମଡ଼କ ଚାଷୀଙ୍କୁ ଚିନ୍ତାରେ ପକାଇଛି। କିଛି ଦିନ ହେଲା ଉଭୟ ବ୍ଲକ୍‌ର ବହୁ ଫାର୍ମରେ ହଜାର ହଜାର କୁକୁଡ଼ା ମରି ଯାଉଥିବା ଅଭିଯୋଗ ହୋଇଛି। ମଲା କୁକୁଡ଼ାଙ୍କୁ ଗାତ ଖୋଳି ପୋତିଦିଆଯାଇଛି। ହେଲେ କୁକୁଡ଼ା ମଡ଼କର ପ୍ରକୃତ କାରଣ ଜଣାପଡୁନାହିଁ। ପଡ଼ୋଶୀ ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁରେ ଅନେକ କୁକୁଡ଼ା ମରିଥିବାରୁ ବାଲିପାଟଣାକୁ ଏହା ବ୍ୟାପିଥିବା ସନ୍ଦେହ କରାଯାଉଛି। ତେଣୁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି ହୋଇଛି। 

Advertisment

ସୂଚନା ଅନୁସାରେ ବାଲିପାଟଣା ବ୍ଲକ୍‌ ପମ୍ପାଲୋ ପଞ୍ଚାୟତ ଡେଙ୍ଗ ଗ୍ରାମର ରବୀନ୍ଦ୍ର କୁମାର ଦାସଙ୍କ ଫାର୍ମରେ ଗତ ମେ’ ମାସ ୨୬ ତାରିଖରେ ୩୭୪୦ କୁକୁଡ଼ା ଚିଆଁ ଛାଡ଼ିଥିଲେ। ସେଥିରୁ ପ୍ରାୟ ୨୦୦ କୁକୁଡ଼ା ପର୍ଯ୍ୟାୟ କ୍ରମେ ମରିଯାଇଛନ୍ତି। ବଳକା କୁକୁଡ଼ାଗୁଡ଼ିକ ୨ କେଜିରୁ ଊର୍ଦ୍ଧ୍ବ ଓଜନର ହୋଇଯାଇଥିଲେ। କିନ୍ତୁ କିଛି ଦିନ ହେଲା କ୍ରମାଗତ ଭାବେ ସମସ୍ତ କୁକୁଡ଼ା ଫାର୍ମ ଭିତରେ ମରି ଯାଇଛନ୍ତି। ସେଗୁଡ଼ିକୁ ସେ ଗାତ ଖୋଳି ପୋତି ଦେଇଛନ୍ତି। ବହୁ ଟଙ୍କା ଖର୍ଚ୍ଚ କରି ଲାଭ ଆଶା ବେଳକୁ ରବିଙ୍କ ମୁଣ୍ଡରେ ଚଡ଼କ ପଡିଛି। ସେହିପରି ମାର୍ଥାପୁର ପଞ୍ଚାୟତର ଏକାଧିକ ଫାର୍ମରେ କୁକୁଡ଼ା ମଡ଼କ ହୋଇଥିବା ଜଣାପଡ଼ିଛି। ଗରମ କାରଣରୁ କୁକୁଡ଼ା ମରି ଯାଉଥିବା ଚାଷୀ ଅନୁମାନ କରୁଛନ୍ତି। ବାଲିପାଟଣା ପ୍ରାଣୀ ଚିକିତ୍ସା ଅଧିକାରୀ ଦୁର୍ମନ ବେହେରାଙ୍କ ସୂଚନା ଅନୁସାରେ କୁକୁଡ଼ା ମଡ଼କ ଜାଣିବା ପରେ କର୍ମଚାରୀ ପଠାଇ ଫାର୍ମ ଅନୁଧ୍ୟାନ କରିବା ସହ କୁକୁଡ଼ାଙ୍କୁ ତୁରନ୍ତ ବିକ୍ରି ପାଇଁ ପରାମର୍ଶ ଦିଆଯାଇଛି। ବାଲିପାଟଣା ବ୍ଲକ୍‌ରେ ୨୫୦ କୁକୁଡ଼ା ଫାର୍ମ ରହିଛି। ସେଥିରୁ ଅଧିକାଂଶ ଫାର୍ମ ଏବେ ଖାଲି ପଡ଼ିଛି। ଅବଶିଷ୍ଟ ଫାର୍ମ ଉପରେ ବିଭାଗ ଦୃଷ୍ଟି ରଖିଛି। ମଲା କୁକୁଡ଼ାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି।