୧୫ ହଜାର କୁକୁଡ଼ାଙ୍କୁ ଟିକା

ଉପଖଣ୍ଡରେ କୁକୁଡ଼ାଙ୍କୁ ଆର୍‌ଡି ଟିକାକରଣ, କୁକୁଡ଼ାଙ୍କ ଟ୍ରାକିଆଲ୍ ଓ କୋଆକଲ ସ୍ବାବ୍ ସଂଗ୍ରହ

ଭୁବନେଶ୍ବର : ରାଜଧାନୀରେ ବାର୍ଡ ଫ୍ଲୁ ନେଇ କୌଣସି ସୂଚନା ଏ ପର୍ଯ୍ୟନ୍ତ ଆସିନାହିଁ। କାଁ ଭାଁ କାଉ ଓ ପାରା ମରି ପଡ଼ୁଥିବା ଦେଖା ଯାଉଥିଲେ ହେଁ, ତାହା ବାର୍ଡ ଫ୍ଲୁଜନିତ ମୃତ୍ୟୁ ବୋଲି ସ୍ପଷ୍ଟ ହୋଇନାହିଁ। ତେବେ ବାର୍ଡ ଫ୍ଲୁକୁ ନଜରରେ ରଖି ରାଜଧାନୀ ଉପଖଣ୍ଡ ଓ ବସ୍ତିଗୁଡ଼ିକରେ ରାଣିଖେତ ଡିଜିଜ୍ ବା ଆର୍‌ଡି ଟିକାକରଣ କରାଯାଇଛି। ଯଦିଓ ଏହାଏକ ନିୟମିତ ପ୍ରକ୍ରିୟା। ତେବେ ଏହି ରୋଗ ସହିତ ବାର୍ଡ ଫ୍ଲୁ ସହିତ ସମାନ ଲକ୍ଷଣ ରହିଥିବାରୁ ଏହି ଟିକାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ଆସନ୍ତାକାଲି ସହିଦ ନଗର ଅଞ୍ଚଳରୁ କୁକୁଡ଼ାଙ୍କ ବିଭିନ୍ନ ନମୁନା ସଂଗ୍ରହ ହେବ ବୋଲି ଜଣାପଡ଼ିଛି।

ଏସ୍‌ଡିଭିଓ ଡା.ହରେକୃଷ୍ଣ ସାହୁଙ୍କ କହିବାନୁଯାୟୀ, ରାଜଧାନୀ ଉପଖଣ୍ଡରେ ୧୫ହଜାର ଟିକାକରଣ କରାଯାଇଥିବା ଜଣାପଡ଼ିଛି। ରାଜଧାନୀରେ ଯେଉଁ ବସ୍ତିଗୁଡ଼ିକରେ ଲୋକମାନେ କୁକୁଡ଼ା ପାଳନ କରୁଛନ୍ତି ଓ ବାଲିପାଟଣା, ବାଲିଅନ୍ତାରେ ଥିବା କୁକୁଡ଼ା ଫାର୍ମରେ ଏହି ଟିକାକରଣ ହୋଇଛି। ଆର୍‌ଡିର ୩ଟି ପ୍ରକାର ଭେଲୋଜେନିକ୍, ମେସୋଜେନିକ୍ ଓ ଲେଣ୍ଟୋଜେନିକ୍। ଭେଲୋଜେନିକ୍‌ରେ ଅଧିକ ସଂଖ୍ୟାରେ କୁକୁଡ଼ା ମରୁଥିବା ବେଳେ ମେସୋଜେନିକ୍‌ରେ ଓ ଲେଣ୍ଟୋଜେନିକ୍‌ରେ କମ୍ ସଂଖ୍ୟାରେ ମରିଥାନ୍ତି। ତେଣୁ ଏହି ଟିକାକରଣ ପରେ ‌ଯଦି କୌଣସି ପ୍ରକାର ରୋଗ ଦେଖାଯାଏ ତେବେ ତାହା ବାର୍ଡ ଫ୍ଲୁ କିମ୍ବା ଆରଡି‌ ଯୋଗୁଁ ହୋଇଛି ସେ ସଂପର୍କରେ ସୂଚନା ମିଳିପାରିବ। ଶୀତଦିନରେ ଏହି ଟିକାକରଣ ହେଉଥିଲେ ହେଁ ଚଳିତବର୍ଷ ବାର୍ଡ ଫ୍ଲୁକୁ ନଜରରେ ରଖି ଅଧିକ ଗୁରୁତ୍ବ ଦିଆଯାଇଛି। ୭୦ ଡିଗ୍ରିରୁ ଅଧିକ ତାପମାତ୍ରାରେ ଅଣ୍ଡା ଓ ଚିକିନେ୍ ରାନ୍ଧିଲେ ତହିଁରେ ଯଦି ଭୂତାଣୁ ରହିଥିବେ ତେବେ ତାହା ନଷ୍ଟ ହୋଇଯିବେ।

ରାଜଧାନୀର ୫ଟି ବ୍ଲକ୍ ପାଇଁ ରାପିଡ୍ ରେସପନ୍‌ସ ଟିମ୍ ବା ଆର୍‌ଆର୍‌ଟି ଗଠନ କରାଯାଇଛି। ଏହି ଟିମ୍ ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହିତ କଂସେଇଖାନା ଓ ଯେଉଁ ଷ୍ଟଲ୍‌ଗୁଡ଼ିକରୁ କୁକୁଡ଼ା ରହିଛନ୍ତି ସେମାନଙ୍କର ଟ୍ରାକିଆଲ୍ ଓ କୋଆକଲ ସ୍ବାବ୍ ସଂଗ୍ରହ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଏହାସହ ଯେଉଁ ପାଣି ବା ଫିଡର୍‌ ବ୍ୟବହାର ହେଉଛି ତାହାର ନମୁନା ସଂଗ୍ରହ ହେଉଛି। ନମୁନାକୁ ଫୁଲନଖରାସ୍ଥିତ ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନ ବା ଏଡିଆର୍‌ଆଇକୁ ପଠାଯାଉଛି। ସେଠାରେ ସ୍ବତନ୍ତ୍ରଭାବେ ପକ୍ଷୀମାନଙ୍କ ପାଇଁ ଏକ ଗବେଷଣାଗାର ରହିଛି। ନିୟମିତ ବ୍ୟବଧାନରେ ଏହି ନମୁନା ସଂଗ୍ରହ କରାଯାଉଥିଲେ‌ ହେଁ, ପାରିକୁଦ/ମାଲୁଦରେ ବାର୍ଡ ଫ୍ଲୁ ଦେଖା ଦେଇଥିବାରୁ ନମୁନା ସଂଗ୍ରହକୁ ଜୋରଦାର କରାଯାଇଥିବା ଡା.ସାହୁ କହିଛନ୍ତି।

ଏସ୍‌ଡିଭିଓ କାର୍ଯ୍ୟାଳୟରେ ମିନି ପରୀକ୍ଷାଗାର

ସହିଦନଗରସ୍ଥିତ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟରେ ଏକ ମିନି ପରୀକ୍ଷାଗାର ପ୍ରତିଷ୍ଠା ହେବ। ଯାହାଫଳରେ ପ୍ରତି କ୍ଷେତ୍ରରେ ଏଡିଆର୍‌ଆଇ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ରାଜଧାନୀର ଅଧିକାଂଶ ଲୋକ ଘରେ କୁକୁର ଓ ବିଲେଇ ରଖୁଥିବାରୁ କୁକୁରମାନଙ୍କ ଦେହରେ ମେଞ୍ଜ ବା ଚର୍ମରୋଗ ଦେଖା ଦେଇଥାଏ। ରକ୍ତ ପରୀକ୍ଷା ପାଇଁ ଏଡିଆର୍‌ କିମ୍ବା ଓୟୁଏଟିରେ ଥିବା ପରୀକ୍ଷାଗାରକୁ ପଠାଇବାକୁ ପଡ଼ୁଛି। ଏହି ପରୀକ୍ଷାଗାର ପ୍ରତିଷ୍ଠା ହେଲେ ସଙ୍ଗେ ସଙ୍ଗେ ଡାଏଗ୍ନୋସିସ୍ ହୋଇପାରିବ। ଏହାସହ ଥେଲେରିଆ ଭଳି ରୋଗର ଡାଏଗ୍ନୋସିସ୍ ସମ୍ଭବ ହେବ। ହେମୋଗ୍ଲୋବିନ୍, ଷ୍ଟୁଲ୍ ଓ ଅନ୍ୟାନ୍ୟ ପରୀକ୍ଷା ହୋଇପାରିବ। ଏଥିପାଇଁ ଅଲିମ୍ପସ୍‌ର ମାଇକ୍ରୋସ୍କୋପ୍ ସଂଗ୍ରହ କରାଯିବା ସହିତ ଡାକ୍ତରମାନଙ୍କୁ ତାଲିମ୍ ଦିଆଯିବ। ଆସନ୍ତା ଜାନୁଆରି ମାସ ଦ୍ବିତୀୟ ସପ୍ତାହରେ ଏହି ପରୀକ୍ଷାଗାର କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରଖାଯାଇଥିବା ଏସ୍‌ଡିଭିଓ ଡା.ହରେକୃଷ୍ଣ ସାହୁ କହିଛନ୍ତି। ଏହାସହ ଦୁର୍ଘଟଣାର ଶିକାର ହେଉଥିବା ଗାଈଗୋରୁଙ୍କ ପାଇଁ ଥିବା ଆମ୍ବୁଲାନ୍‌ସ ଫିଟ୍‌ନେସ ଅଭାବରୁ ଅଚଳ ହୋଇ ପଡ଼ିଥିଲା। ଏବେ ତାହା କାର୍ଯ୍ୟକ୍ଷମ ହୋଇଛି। ଯାହାଫଳରେ ଜାତୀୟ ରାଜପଥ କିମ୍ବା ଅନ୍ୟାନ୍ୟ ସ୍ଥାନରେ ଦୁର୍ଘଟଣାର ଶିକାର ହେଉଥିବା ପଶୁମାନଙ୍କ ପାଇଁ ଏହା ସହାୟକ ହୋଇପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର