ବାର୍ଡ ଫ୍ଲୁ ଆତଙ୍କ : ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ, ଓୟୁଏଟିଠାରୁ ୩ କିମି ଭିତରେ କରାଯିବ ଯାଞ୍ଚ

ଅନୁଧ୍ୟାନ କଲା କେନ୍ଦ୍ରୀୟ ପ୍ରତିନିଧି ଦଳ, ୧୦ଦିନ ପର୍ଯ୍ୟନ୍ତ ଭୁବନେଶ୍ୱରରେ ରହିବେ

ଭୁବନେଶ୍ବର : ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ(ଓୟୁଏଟି)ର କୁକ୍କୁଟ ପ୍ରଜନନ ଓ ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ସ୍ଥିତିର ଅନୁଧ୍ୟାନ କରିଛି ୩ ଜଣିଆ କେନ୍ଦ୍ରୀୟ ପ୍ରତିନିଧିଦଳ। ଏହି ପ୍ରତିନିଧିଦଳ ଆଜି ଦିନତମାମ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ବୈଠକ କରିଥିଲେ। ଏଥିସହ ସଂକ୍ରମଣ ସ୍ଥାନକୁ ଗସ୍ତ କରି ଅନୁଧ୍ୟାନ କରିଛନ୍ତି। ଠିକ୍‌ ସମୟରେ ଭୂତାଣୁ ଚିହ୍ନଟ କରାଯାଇ ପଦକ୍ଷେପ ନିଆଯାଇଥିବାରୁ ବାର୍ଡ-ଫ୍ଲୁକୁ ରୋକାଯାଇ ପାରିଛି। ତେଣୁ ଭୟଭୀତ ନ ହେବାକୁ ପ୍ରତିନିଧିଦଳ ପରାମର୍ଶ ଦେଇଛନ୍ତି।

ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହାଇଜିନ୍‌ ଓ ପବ୍ଲିକ୍‌ ହେଲ୍‌ଥର ନିର୍ଦେଶକ ପ୍ରଫେସର୍‌ ଆଲୋକ ବାଜପେୟୀ, ଭୁବନେଶ୍ୱରସ୍ଥିତ ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)ର ବୈଜ୍ଞାନିକ ଦେବଦତ୍ତ ଭଟ୍ଟାଚାର୍ଯ୍ୟ, ନୂଆଦିଲ୍ଲୀର ଲେଡି ହାର୍ଡିଞ୍ଜ ମେଡିକାଲ୍‌ କଲେଜର ମେଡିସିନ୍‌ ବିଭାଗର ସହକାରୀ ପ୍ରଫେସର ଅଂଶୁମାନ ଶ୍ରୀବାସ୍ତବ ଆଜି ମଧ୍ୟାହ୍ନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଭେଟି ରାଜ୍ୟରେ ବାର୍ଡ ଫ୍ଲୁର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ଅଜିତ୍‌ କୁମାର ମହାନ୍ତିଙ୍କୁ ଭେଟିଥିଲେ। ଏହାପରେ ପ୍ରତିନିଧି ଦଳ ଓୟୁଏଟି ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି କେନ୍ଦ୍ରୀୟ ଟିମ୍ ୧୦ ଦିନ ପର୍ଯ୍ୟନ୍ତ ଭୁବନେଶ୍ୱରରେ ରହି ସ୍ଥିତି ଅନୁଧ୍ୟାନ କରିବ। ଓୟୁଏଟି ଫାର୍ମକୁ କିପରି ବିଶୋଧନ କରାଯିବ, ସେ ନେଇ ୧କିଲୋମିଟର ବ୍ୟାସାର୍ଦ୍ଧରେ କୁକୁଡ଼ାମରା ଅଭିଯାନ ତ୍ୱରାନ୍ୱିତ କରାଯିବ। ୧୦ କିଲୋମିଟର ଧରି କୁକୁଡ଼ା ରକ୍ତ ନମୁନା ସଂଗ୍ରହ ସହ ସପ୍ତାହକୁ ଦୁଇଥର ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ୩ କିଲୋମିଟର ବ୍ୟାସାର୍ଦ୍ଧରେ ପ୍ରତିଦିନ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ମୋବାଇଲ ଟିମ୍‌ ସହରର ବିଭିନ୍ନ ସ୍ଥାନ ବୁଲି ଲୋକଙ୍କ ଥଣ୍ଡା, କାଶ, ଜ୍ୱର ପରୀକ୍ଷା କରିବ। କୁକୁଡ଼ା ମରା ଅଭିଯାନରେ ସାମିଲ ହୋଇଥିବା ଟିମ୍‌ର ସଦସ୍ୟମାନଙ୍କ ସ୍ୱତନ୍ତ୍ର ଚିକିତ୍ସା କରାଯିବ। ଏହାଦ୍ୱାରା ବାର୍ଡ ଫ୍ଲୁକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରାଯାଇପାରିବ ବୋଲି ଆଶାପ୍ରକଟ କରାଯାଇଛି।

ବିଦେଶୀ ପକ୍ଷୀଙ୍କ ଉପରେ ନଜର
ପ୍ରାଣୀ ସମ୍ପଦ ବିକାଶ ସଚିବ ଆର. ରଘୁପ୍ରସାଦ ଆଜି ସକାଳେ ପ୍ରତିଷେଧାତ୍ମକ ପୋଷାକ ପିନ୍ଧି ଓୟୁଏଟି ଫାର୍ମରେ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ବିଭାଗୀୟ ଅଧିକାରୀଙ୍କୁ ନେଇ ଓୟୁଏଟିରେ ଏକ ସମୀକ୍ଷା ବୈଠକରେ ସ୍ଥିତି ବିଷୟରେ ପଚାରି ବୁଝିଥିଲେ। ଶ୍ରୀ ରଘୁପ୍ରସାଦଙ୍କ କହିବାନୁଯାୟୀ, ଫାର୍ମରେ ଥିବା ସମସ୍ତ କୁକୁଡ଼ା ମରା ଯାଇଛି। ତେଣୁ ବାର୍ଡ ଫ୍ଲୁ ଭୂତାଣୁ ଆଶଙ୍କା ନାହିଁ। ହେଲେ ସ୍ବଚ୍ଛତା ଓ ଭୂତାଣୁ ରୋକିବା ପାଇଁ ଆଉ ୩ରୁ ୪ ଦିନ ଲାଗିବ। ଏକ କିମି ବ୍ୟାସାର୍ଦ୍ଧ ମଧ୍ୟରେ କୁକୁଡ଼ା ମରା ସରିଯାଇଛି। ଯେଉଁମାନେ ଲୁଚାଇ ରଖିଛନ୍ତି ତାହାକୁ ଖୋଜିବା ପାଇଁ ଅଭିଯାନ ଜାରି ରହିଛି। ଚିଲିକା, ଭିତରକନିକାକୁ ବିଦେଶୀ ପକ୍ଷୀ ଆସୁଥିବାରୁ ଉକ୍ତ ସ୍ଥାନକୁ ଅଧିକ ଗୁରୁତ୍ବ ଦିଆଯାଇଛି। ଏବେ ସୁଦ୍ଧା ଆଉ କୌଣସି ବି ସ୍ଥାନରେ ନମୁନା ପଜିଟିଭ୍‌ ଦେଖାଯାଇ ନାହିଁ।

କମ୍ବିଂରେ ଧରାପଡ଼ିଲେ ୧୧ କୁକୁଡ଼ା
ସଂକ୍ରମିତ ସ୍ଥାନର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ଆଜି ତୃତୀୟ ଦିନ ପାଇଁ କୁକୁଡ଼ାମରା ଓ ବିଶୋଧନ କାର୍ଯ୍ୟ ଜାରି ରହିଥିଲା। ୭ଟି ରାପିଡ ରେସପନ୍ସ ଟିମ୍‌ ବ୍ଲିଚିଂ ପାଉଡର, ୨ ପ୍ରତିଶତ ସୋଡିଅମ ହାଇପୋକ୍ଲୋରାଇଟ ଓ ୪ ପ୍ରତିଶତ ଫର୍ମାଲିନ୍‌ ଦ୍ରବଣ ସିଞ୍ଚନ କରି ବିଶୋଧନ କରିଥିଲେ। ଅପରପକ୍ଷେ ରାପିଡ୍ ରେସପନ୍ସ ଟିମ୍‌ ସଂକ୍ରମିତ ସ୍ଥାନର ଏକ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ ଯାଞ୍ଚ ଅଭିଯାନ(କମ୍ବିଂ ଅପରେସନ) ଜାରି ରଖି କୁକୁଡ଼ା ଦୋକାନୀ ଓ କୁକୁଡ଼ା ଚାଷୀଙ୍କର ୧୧ଟି କୁକୁଡ଼ାଙ୍କୁ ମାରିଛନ୍ତି। ଏଥିସହ ୯୮ଟି ଅଣ୍ଡା ଗଭୀର ଗାତରେ ପୋତିଛନ୍ତି। କମ୍ବିଂ ଅଭିଯାନ ଚାଲିଥିବାରୁ କୌଣସି କ୍ଷତିପୂରଣ ଦିଆଯାଇ ନାହିଁ।

ମଲା କୁକୁଡ଼ାକୁ ପୋତି ପକାଇଲେ
ରାଜଧାନୀ ଉପକଣ୍ଠ ଦାଢ଼ା, ପାଣ୍ଡରା ଓ ଝିଙ୍କଢ଼ିଅ ଅଞ୍ଚଳରେ ଥିବା କୁକୁଡ଼ା ଫାର୍ମର ମାଲିକଙ୍କ ମଧ୍ୟରେ ଭୟ ଦେଖାଦେଇଛି। ତେଣୁ ସେମାନେ କୌଣସି ବିପଦ ଆଶଙ୍କା କରି ମୃତ କୁକୁଡ଼ାକୁ ଗାତ ଖୋଳି ପୋତି ଦେଉଥିବା ଆଜି ଦେଖିବାକୁ ମିଳିଥିଲା। ସେହିପରି ବାର୍ଡ ଫ୍ଲୁ ବ୍ୟାପି ଥିବାରୁ ନୂଆ କୁକୁଡ଼ା ଆଣିବାକୁ ଚାଷୀମାନେ ମନ ବଳାଉନାହାନ୍ତି। କୁକୁଡ଼ା ଚାଷରେ ଲକ୍ଷାଧିକ ଟଙ୍କା ବ୍ୟୟ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇଛନ୍ତି।

ଅଣ୍ଡା ତରକାରୀ ଜବତ
ରାପିଡ ରେସପନ୍ସ ଟିମ୍‌ ଆଜି ଓୟୁଏଟିର ୧ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ ଯାଞ୍ଚ କରିଥିଲା। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଏକ ହୋଟେଲରେ ଅଣ୍ଡା ତରକାରୀ ପ୍ରସ୍ତୁତ ହୋଇଥିଲା। ବ୍ୟବସାୟୀଜଣକ ଗ୍ରାହକଙ୍କୁ ଉକ୍ତ ତରକାରୀ ଖାଇବାକୁ ଦେଉଥିଲେ। ତାହା ନଜରକୁ ଆସିବା ପରେ ଟିମ୍‌ର ସଦସ୍ୟମାନେ ଅଣ୍ଡା ତରକାରୀକୁ ଜବତ କରି ପୋତିଥିଲେ। ଏହାକୁ ନେଇ ‌ଉକ୍ତ ହୋଟେଲରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକେ ହୋ-ହଲ୍ଲା କରିଥିଲେ। ଟିମ୍‌ର ସଦସ୍ୟମାନେ ଅଣ୍ଡା ତରକାରୀକୁ ଗାତରେ ପୋତି ଦେଇଥିଲେ।

ସହର ବାହାରକୁ କୁକୁଡ଼ା ଚାଲାଣ
ଭୁବନେଶ୍ବରରେ ବାର୍ଡ ଫ୍ଲୁ ବ୍ୟାପିଥିବାରୁ ବ୍ୟବସାୟୀମାନେ ବିକଳ୍ପ ବାଟ ଅପଣାଇଛନ୍ତି। କାଳେ ‌ଫାର୍ମରେ ଥିବା କୁକୁଡ଼ାଙ୍କୁ ହତ୍ୟା କରାଯିବ, ସେହି ଭୟରେ ବ୍ୟବସାୟୀମାନେ ସହର ବାହାରକୁ କୁକୁଡ଼ା ଓ ଅଣ୍ଡା ଚାଲାଣ କରୁଛନ୍ତି। ମଧ୍ୟ ରାତିରେ ଟ୍ରିପ୍‌ ଟ୍ରିପ୍‌ କୁକୁଡ଼ା ଗାଡ଼ି ସହର ବାହାରକୁ ଯାଉଛନ୍ତି। ଗାଡ଼ି ଚାଳକଙ୍କୁ ପଚାରିବାରୁ ସେମାନେ କିଛି କହି ନ ଥିଲେ। ତେବେ ଏହି କୁକୁଡ଼ା ବୋଝେଇ ଗାଡ଼ିଗୁଡ଼ିକ ଭୁବନେଶ୍ବର, ଜଟଣୀ ଅଞ୍ଚଳରୁ କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ ଆଦି ଜିଲ୍ଲାକୁ ଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର