ରାଜଧାନୀରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍‌ ଓ ଅଣ୍ଡାକୁ ଡର

ଭୁବନେଶ୍ବର: ରାଜଧାନୀରେ ବ୍ୟାପିଛି ବାର୍ଡ ଫ୍ଲୁ। ଓୟୁଏଟିସ୍ଥିତ କୁକୁଡ଼ା ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବା ପରେ ଆଜି ସରକାରଙ୍କ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ଏହି କେନ୍ଦ୍ରର ଏକ କିଲୋମିଟର ବ୍ୟା‌ସାର୍ଦ୍ଧ ଭିତରେ ରହୁଥିବା ଏକାଧିକ ଦୋକାନ ଉପରେ ଚଢ଼ଉ କରାଯାଇ ୧୧୭ଟି କୁକୁଡ଼ା ଓ ୭ଟି ବତକ ମାରି ଦିଆଯାଇଥିବା ବେଳେ ୩୪୧୬ଟି ଅଣ୍ଡା ଓ ୭ କେଜି କୁକୁଡ଼ା ଦାନା ନଷ୍ଟ କରାଯାଇଛି। ଏଥିସସହ ଏକ କିମି ବ୍ୟାସାର୍ଦ୍ଧ ଅଞ୍ଚଳ ଭିତରେ ଆସନ୍ତା ୩ ମାସ ଯାଏ ମାଂସ ଦୋକାନ ବନ୍ଦ କରିବା ପାଇଁ କୁହାଯାଇଛି। ଚିକେନ୍‌ ଓ ଅଣ୍ଡା ନ ଖାଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ବାର୍ଡ ଫ୍ଲୁକୁ ନେଇ ରାଜଧାନୀର ବିଭିନ୍ନ ସ୍ଥାନରେ ଆତଙ୍କ ଖେଳିଯାଇଛି। ଶିରିପୁର ଛକ ଓ ଆଖପାଖରେ ଚିକେନ୍‌ ତଥା କୁକୁଡ଼ା ମାଂସ ଓ ଅଣ୍ଡା ଦୋକାନ ବନ୍ଦ ରହିଥିଲା। ଖଣ୍ଡଗିରି, ୟୁନିଟ୍‌-୪, ୟୁନିଟ୍‌-୮, ସହିଦନଗର ମାର୍କେଟ, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି, ପଟିଆ, ମଞ୍ଚେଶ୍ବର ପ୍ରଭୃତି ଅଞ୍ଚଳରେ ଆଜି ଚିକେନ୍ ଦୋକାନ ଖାଲି ପଡ଼ିଥିଲା। କେତେକ ବ୍ୟବସାୟୀ କମ୍ ଦାମରେ କୁକୁଡ଼ା ମାଂସ ବିକ୍ରି କରୁଥିଲେ ମଧ୍ୟ ଗ୍ରାହକଙ୍କ ଦେଖା ମିଳି ନଥିଲା। କାଁ ଭାଁ ଆସୁଥିଲେ ମଧ୍ୟ ନେବା ପୂର୍ବରୁ ଦୁଇ ଥର ଚିନ୍ତା କରୁଥିଲେ ବୋଲି ବ୍ୟବସାୟୀ ଅରୁଣ ପାତ୍ର ମତପ୍ରକାଶ କରିଛନ୍ତି। ଲୋକମାନେ ଅଣ୍ଡା ପ୍ରତି ମଧ୍ୟ ମୁହଁ ଫେରାଉଥିବା ଡମଣା ହାଟ ବ୍ୟବସାୟୀମାନେ କହିଛନ୍ତି।

ଅନ୍ୟପକ୍ଷରେ ଆଜି ନନ୍ଦନକାନନ ପକ୍ଷୀବିହାର ବନ୍ଦ ଥିବାରୁ ପର୍ଯ୍ୟଟକମାନେ ଉକ୍ତ ରାସ୍ତା ଦେଇ ଯାତାୟାତ କରି ନଥିଲେ। ସେହିପରି ଶିଖରଚଣ୍ଡି ପାହାଡ଼ ନିକଟରେ ଦୁଇଟି ମୃତ କାଉ ଦେଖି ସ୍ଥାନୀୟ ଲୋକ ବନ ବିଭାଗକୁ ସୂଚନା ଦେଇଥିଲେ। ସ୍ଥାନୀୟ ଅଞ୍ଚଳରେ ବାର୍ଡ ଫ୍ଲୁ ହୋଇଥିବା ଆଶଙ୍କା କରାଯାଇ ମୃତ କାଉଙ୍କ ପ୍ରାଥମିକ ପରୀକ୍ଷା କରାଯାଇଥିଲା। ଉକ୍ତ ଦୁଇଟି କାଉ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡ଼ିଥିଲା। ରାଜଧାନୀ ଉପକଣ୍ଠରେ ଥିବା କୁକୁଡ଼ା ଫାର୍ମଗୁଡ଼ିକ ଶାଗମାଛ ମୂଲ୍ୟରେ କୁକୁଡ଼ା ବିକ୍ରି କରି ଦେଉଥିବା ଜଣାପଡ଼ିଛି। ‌ଚି‌କେନ୍‌ ନ ଥିବାରୁ ଅଧିକାଂଶ ସ୍ଥାନରେ ଫାଷ୍ଟ ଫୁଡ଼୍ ଷ୍ଟଲ୍ ବନ୍ଦ ରହିଥିବା ବେଳେ ଅଧିକାଂଶ ଆମିଷ ହୋଟେଲ୍‌ରେ ଗ୍ରାହକମାନେ ସାଧା ଖାଦ୍ୟ ଖାଇବାକୁ ପସନ୍ଦ କରିଥିବା ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ହୋଟେଲ ମାଲିକ ସତ୍ୟଜିତ୍ ମହାପାତ୍ର କହିଛନ୍ତି।

ପରୀକ୍ଷା ପାଇଁ ପଠାଗଲା ଚିଲିକା ପକ୍ଷୀଙ୍କ ଲାଳ
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ବାର୍ଡ ଫ୍ଲୁ ଆତଙ୍କ ପରେ ରାଜ୍ୟର ସବୁଠୁ ବଡ଼ ପକ୍ଷୀ ଅଭୟାରଣ୍ୟ ଚିଲିକା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ନେଇ ଭୟ ସୃଷ୍ଟି ହୋଇଛି। ଚିଲିକାରେ ବାର୍ଡ ଫ୍ଲୁ ସଂକ୍ରମଣ ହୋଇଛି କି ନାହିଁ, ତାହା ଜାଣିବାକୁ ପୂର୍ବରୁ ନଳବଣରୁ ୩୫ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରୁ ୧୨୭୫ଟି ପକ୍ଷୀଙ୍କ ଲାଳ ଓ ମଳ ନମୁନା ସଂଗ୍ରହ ହୋଇଥିଲା। ଏବେ ବାର୍ଡ ଫ୍ଲୁ ବ୍ୟାପିବା ପରେ ଆଜି ଆଉ କିଛି ବିଦେଶୀ ପକ୍ଷୀଙ୍କ ଲାଳ ନମୁନା ସଂଗ୍ରହ ହୋଇଛି। ତାହାକୁ ଫୁଲନଖରାସ୍ଥିତ ପଶୁ ଗବେଷଣା କେନ୍ଦ୍ରକୁ ପରୀକ୍ଷା ପାଇଁ ପଠାଯାଇଛି। ଚିଲିକାରୁ ୩ଟି ପର୍ଯ୍ୟାୟରେ ୫୦ରୁ ଅଧିକ ପକ୍ଷୀଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସବୁ ନେଗେଟିଭ୍‌ ବାହାରିଥିଲା।

ସମ୍ବନ୍ଧିତ ଖବର