ଭୁବନେଶ୍ବର: ଗତ ମାସ ଓୟୁଏଟିରେ ବ୍ୟାପିଥିବା ବାର୍ଡ-ଫ୍ଲୁର ବାହକ କାଉ, ବଗ କିମ୍ବା ବିଦେଶାଗତ ପକ୍ଷୀ ହୋଇଥାଇପାରନ୍ତି ବୋଲି ବିଶେଷଜ୍ଞ ଆଶଙ୍କା କରୁଛନ୍ତି। ବାର୍ଡ-ଫ୍ଲୁ ବ୍ୟାପିବା ପୂର୍ବରୁ ଓୟୁଏଟିର ଆଖପାଖ ଅଞ୍ଚଳରେ କିଛି ଦିନ ଧରି କାଉ ମଡ଼କ ହୋଇଥିଲା। ତେଣୁ କାଉଠାରୁ ଓୟୁଏଟି କୁକୁଡ଼ା ଫାର୍ମରେ ବାର୍ଡ-ଫ୍ଲୁ ବ୍ୟାପି ଥାଇପାରେ ବୋଲି ସନ୍ଦେହ ଦୃଢ଼ୀଭୂତ ହୋଇଛି। ଗତ ମାସ ୨୫ ତାରିଖ ଆଡ଼କୁ ଓୟୁଏଟି କୁକୁଡ଼ା ଫାର୍ମରେ ବାର୍ଡ-ଫ୍ଲୁ ଚିହ୍ନଟ ହୋଇଥିଲା। ପରବର୍ତୀ ସମୟରେ ଏହାର ୧ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ କୁକୁଡ଼ା ମରା ଅଭିଯାନ କରାଯାଇଥିଲା। ରାପିଡ୍ ଆକ୍ସନ୍ ଟିମ୍ ଏହି ଅଞ୍ଚଳରେ ୫/୬ ହଜାର କୁକୁଡ଼ା ମାରିଥିଲା। ଯଦିଓ ଏବେ ରାଜଧାନୀରେ ଆଉ ବାର୍ଡ-ଫ୍ଲୁର ଭୟ ନାହିଁ, ତଥାପି ଲୋକମାନଙ୍କ ମନରେ ଚିକେନ୍, ଅଣ୍ଡା ଖାଇବା ନେଇ ଭୟ ପ୍ରକାଶ କରୁଛନ୍ତି। ବାର୍ଡ-ଫ୍ଲୁ କିଭଳି ବ୍ୟାପିଲା, ତାହାର ତଦନ୍ତ ପାଇଁ ଓୟୁଏଟି ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି ବାର୍ଡ-ଫ୍ଲୁ ସଂପର୍କିତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିସାରିଥିବା କୁହାଯାଉଛି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜଧାନୀରେ ହଠାତ୍ ବାର୍ଡ-ଫ୍ଲୁ ବ୍ୟାପିବାକୁ ନେଇ ବିଦେଶାଗତ ପକ୍ଷୀ ଉପରେ ଅଧିକ ସନ୍ଦେହ କରାଯାଉଛି। ଚିଲିକା ଦେଇ ଅନେକ ବିଦେଶାଗତ ପକ୍ଷୀ ଆସୁଥିବାରୁ ସେମାନଙ୍କ ସହିତ ବଗ ଓ କାଉ ରହୁଛନ୍ତି। ତେଣୁ ସେମାନଙ୍କ ଜରିଆରେ ଭୂତାଣୁ ଓୟୁଏଟି କୁକୁଡ଼ା ଫାର୍ମରେ ପହଞ୍ଚିଥିବା ସନ୍ଦେହ କରାଯାଉଛି। ଶିରିପୁରରେ ବାର୍ଡ-ଫ୍ଲୁ ବ୍ୟାପିବାର କିଛି ଦିନ ପୂର୍ବରୁ କାଉ ମଡ଼କ ହୋଇଥିଲା। ତେଣୁ କାଉ ଜରିଆରେ ମଧ୍ୟ ଭୂତାଣୁ ଓୟୁଏଟିରେ ପହଞ୍ଚି ଥାଇପାରେ ବୋଲି ଆଶଙ୍କା କରାଯାଉଛି। ଓୟୁଏଟିରୁ ପ୍ରାଣୀ ବିଜ୍ଞାନ ଓ ପଶୁପାଳନ ମହାବିଦ୍ୟାଳୟର ଡିନ୍ ଲକ୍ଷ୍ମଣ କୁମାର ବାବୁ କହିଛନ୍ତି, ଏ ସଂକ୍ରାନ୍ତୀୟ ତଦନ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଛି। ବିଦେଶାଗତ ପକ୍ଷୀଙ୍କ ଯୋଗୁଁ ଓୟୁଏଟି କୁକୁଡ଼ା ଫାର୍ମାରେ ବାର୍ଡ ଫ୍ଲୁ ବ୍ୟାପିଥିବା ଆଶଙ୍କା କରାଯାଉଛି। ପ୍ରାୟତଃ ଶୀତଦିନେ ବାର୍ଡ ଫ୍ଲୁ ଦେଖା ଦେଉଛି। ବିଦେଶାଗତ ପକ୍ଷୀଙ୍କ ଝାଡ଼ାରେ ଯଦି ଭୂତାଣୁ ରହିଥିବେ ତାହାଦ୍ବାରା କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ବ୍ୟାପି ଥାଇପାରେ। କୁକୁଡ଼ା ଫାର୍ମରେ ହଠାତ୍ କୁକୁଡ଼ା ମରିବା ଯୋଗୁଁ ଏଡିଆରଆଇଙ୍କୁ ଖବର ଦିଆଯାଇଥିଲା। ସେମାନେ ସିରମ୍ ସଂଗ୍ରହ କରିବା ସହିତ ପରୀକ୍ଷା କରିଥିଲେ। ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଭୋପାଳସ୍ଥିତ ପରୀକ୍ଷାଗାରକୁ ପଠାଯାଇଥିଲା। ସେଠାରେ ପଜିଟିଭ୍ ଆସିବା ପରେ ଓୟୁଏଟି କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ସ୍ପଷ୍ଟ ହୋଇଥିଲା। ଗାଇଡଲାଇନ୍ ଅନୁଯାୟୀ କୁକୁଡ଼ା ଫାର୍ମକୁ ଆସନ୍ତା ୩ମାସ ପର୍ଯ୍ୟନ୍ତ ସିଲ୍ କରାଯାଇଛି।
ଅପରପକ୍ଷରେ ବିଶେଷଜ୍ଞ କହିବା କଥା, ଉପକୂଳ ଓଡ଼ିଶା ବାର୍ଡ-ଫ୍ଲୁ ନେଇ ସମ୍ବେଦନଶୀଳ ରହିଛି। ଚିଲିକାକୁ ବିଦେଶରୁ ବହୁ ପକ୍ଷୀ ଆସୁଥିବାରୁ ଭୂତାଣୁ ଓଡ଼ିଶାରେ ପହଞ୍ଚିବାରେ କୌଣସି ସମସ୍ୟା ନାହିଁ। କିଛି ବର୍ଷ ପୂର୍ବରୁ କେରଙ୍ଗରେ ହୋଇଥିବା ବାର୍ଡ-ଫ୍ଲୁ ବଗ ଜରିଆରେ ହୋଇଥିବା ଆଶଙ୍କା ସୃଷ୍ଟି ହୋଇଥିଲା। ଏହାସହ ସିପିଡିଓ ପରିସରରେ ହୋଇଥିବା ବାର୍ଡ-ଫ୍ଲୁ କାଉ ଜରିଆରେ ବ୍ୟାପିଥିବା ଅଧିକାରୀମାନେ ଏକପ୍ରକାର ସ୍ପଷ୍ଟ ହୋଇଥିଲେ। ଭୂତାଣରୁ ବାହକ ଥିବା ପକ୍ଷୀମାନେ ଏଥିରେ ମରୁ ନ ଥିବା ବେଳେ ସଂକ୍ରମିତ ପକ୍ଷୀ ହିଁ ପ୍ରାଣ ହରାଇଥାନ୍ତି। ଯଦିଓ ଭାରତରେ ବାର୍ଡ-ଫ୍ଲୁ ଯୋଗୁଁ ମଣିଷ ସଂକ୍ରମିତ ହୋଇଥିବାର କୌଣସି ଉଦାହରଣ ନାହିଁ, ତଥାପି ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ କୁକୁଡ଼ାକୁ ମରା ଯାଇଥାଏ। ଏହାସହ କୁକୁଡ଼ା ମାଂସ ଓ ଅଣ୍ଡାକୁ ୩୫ ଡିଗ୍ରିରୁ ଅଧିକ ତାପମାତ୍ରାରେ ସିଝାଇ ଖାଇଲେ ବାର୍ଡ ଫ୍ଲୁ ବ୍ୟାପିବାର କୌଣସି ଆଶଙ୍କା ନ ଥାଏ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।