ଖଣ୍ଡଗିରି: ପୁରୀଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିଛି। ଦୁଇଦିନରେ ତିନିହଜାର କୁକୁଡ଼ା ମଡ଼କ ପରେ ଏବେ ଚିନ୍ତାରେ ଚାଷୀ। ଭୁବନେଶ୍ବରର ବ୍ୟବସାୟୀମାନେ କୁକୁଡ଼ା ପାଇଁ ମୁଖ୍ୟତଃ ଡେଲାଙ୍ଗ, ପିପିଲି, ନିମାପଡ଼ା ଉପରେ ନିର୍ଭର କରନ୍ତି। ଡେଲାଙ୍ଗ ବାର୍ଡଫ୍ଲୁ ରାଜଧାନୀ କୁକୁଡ଼ାବଜାର ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଡେଲାଙ୍ଗରେ ବାର୍ଡ ଫ୍ଲୁ ବ୍ୟାପିଥିବା ଜଣା ପଡ଼ିବା ପରେ ଚିକେନ ବଜାର ପ୍ରଭାବିତ ହୋଇଛି। ଚିକେନ୍‌ ବିରିଆନି, ପକୋଡ଼ା, ଚିକେନ୍‌-ଅଣ୍ଡା ରୋଲ୍‌ ଓ ଚପ୍‌, ଚିକେନ୍‌ ଚାଓମିନ୍‌ ଓ ଚିକେନ୍‌ ମୋମୋ ଭଳି ଆଇଟମ୍‌ରୁ ଗ୍ରାହକମାନେ ମୁହଁ ଫେରାଉଛନ୍ତି। ଘାଟିକିଆର ଫାଷ୍ଟ୍‌ଫୁଡ୍‌ ବ୍ୟବସାୟୀ କୁଳମଣି ନାୟକ କହିଛନ୍ତି ଦୁଇ ଦିନ ଭିତରେ ଚିକେନ୍‌ ଆଇଟମ୍‌ ବିକ୍ରି ସାମାନ୍ୟ କମିଛି। ଯେଉଁଠି ଦୈନିକ ୨୦୦ ପ୍ଲେଟ୍‌ ବିକ୍ରି ହେଉଥିଲା ଏବେ ସେଠାରେ ୧୫୦ ପ୍ଲେଟ୍‌ ବିକ୍ରି ହେଉଛି।

Advertisment

ମଣିଷକୁ ବ୍ୟାପିପାରେ 
ପ୍ରାଣୀ ବିଶେଷଜ୍ଞଙ୍କ ମତରେ ବାର୍ଡ ଫ୍ଲୁ ଏକ ଭୂତାଣୁଜନିତ ରୋଗ। ଏହା ‘ଏଚ୍‌ ୫ ଏନ୍‌ ୧’  ଭାଇରସ୍‌ ଯୋଗୁ ହୋଇଥାଏ। ବିଶେଷ ଭାବରେ ବନ୍ୟଜନ୍ତୁ ଓ ପକ୍ଷୀ ଏଥିରେ ଆକ୍ରାନ୍ତ ହୋଇଥାନ୍ତି। ଏହା ପକ୍ଷୀମାନଙ୍କଠାରୁ ମନୁଷ୍ୟକୁ ମଧ୍ୟ ବ୍ୟାପିବାର ଆଶଙ୍କା ରହିଛି। ଏଥିରେ ଆକ୍ରାନ୍ତ ହେବା ପରେ ଏହା ଫୁସଫୁସ, ମସ୍ତିଷ୍କ ଓ ଶ୍ବାସକ୍ରିୟା ସମେତ ଶରୀରର ଅନ୍ୟ ଅଙ୍ଗ ଉପରେ ପ୍ରଭାବ ପକାଇଥାଏ। ସଂକ୍ରମିତ ପକ୍ଷୀର ଲାଳ, ମଳ ସଂସ୍ପର୍ଶରେ ଆସିବା ଦ୍ବାରା ମନୁଷ୍ୟ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଥାଏ।

ସମ୍ ହସ୍ପିଟାଲ ନିକଟ କୁକୁଡ଼ା ବ୍ୟବସାୟୀ ରହିମ୍ ଖାଁ କହିଛନ୍ତି ଯେ ଡେଲାଙ୍ଗରେ ବାର୍ଡ ଫ୍ଲୁ ହେଲେ ଆମେ କ୍ଷତି ସହିବୁ। କାରଣ ଭୁବନେଶ୍ୱର ବଜାର ଉପକଣ୍ଠ ଉପରେ ହିଁ ନିର୍ଭର କରିଥାଏ। ସେଠାରୁ କୁକୁଡ଼ା ନ ଆସି ପାରିଲେ ବାହାରୁ ଆଣିବାକୁ ପଡ଼ିବ। ଖର୍ଚ୍ଚ ବଢ଼ିବ। ତେଣୁ ମୂଲ୍ୟ ବଢ଼ାଇବାକୁ ପଡ଼ିପାରେ। ଏସମ୍ପର୍କରେ ଅଲ୍‌ ଓଡ଼ିଶା ନନ୍‌ଭେଜ୍‌ ଟ୍ରେଡର୍ସ ଫେଡେରେସନ୍‌ର ରାଜ୍ୟ ସଭାପତି ଶେଖ୍‌ ମୁନ୍ତାକିମ୍‌ ବକ୍ସ କହିଛନ୍ତି ଯେ, ଡେଲାଙ୍ଗ ଅଞ୍ଚଳର ୧୦ କିଲୋମିଟର ପରିଧି ମଧ୍ୟରେ ଥିବା କୌଣସି ବ୍ୟବସାୟୀଙ୍କଠାରୁ କୁକୁଡ଼ା କିଣାବିକା ଉପରେ କଟକଣା ଜାରି କରାଯାଇଛି। ଏବେ କେବଳ ଟାଙ୍ଗୀ, ଅଡଶପୁର୍, ଖୋର୍ଦ୍ଧାରୁ ସମସ୍ତ କୁକୁଡ଼ା ଅଣାଯାଉଛି।

ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି ଯେ ଡେଲାଙ୍ଗ ଅଞ୍ଚଳରେ ପ୍ରାୟ ୩ ହଜାର କୁକୁଡ଼ା ମରିଛନ୍ତି। ପ୍ରାଣୀବିଜ୍ଞାନ ବିଭାଗ ନମୁନା ସଂଗ୍ରହ କରିଛି। । ଜନସ୍ୱାସ୍ଥ୍ୟ ଟିମ୍‌ ଡେଲାଙ୍ଗରେ ବୁଲୁଛନ୍ତି। ଯେଉଁ ଫାର୍ମରେ ଯିଏ କାମ କରୁଥିଲେ, ସେମାନଙ୍କ ଘରକୁ ଯାଇ ଥଣ୍ଡା ଜ୍ୱର ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବାର୍ଡ ଫ୍ଲୁ କଥା ଆସିଲେ ଓୟୁଏଟିସ୍ଥିତ  କୁକୁଡ଼ା ଗବେଷଣା କେନ୍ଦ୍ର ସବୁବେଳେ ନଜରରେ ଥାଏ। ୨୦୨୦ରେ ଏଠାରେ ବାର୍ଡ ଫ୍ଲୁ ବ୍ୟାପିବାରୁ ହଜାର ହଜାର କୁକୁଡ଼ାଙ୍କୁ ମାରିବାକୁ ପଡ଼ିଥିଲା। ଏଥର ଯେମିତି କୁକୁଡ଼ାଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ ନ ବ୍ୟାପେ ସେଥିପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରାଣୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶେନ୍ କୁମାର ପଣ୍ଡା କହିଛନ୍ତି ଯେ ଆମ ଫାର୍ମରେ ଜୈବ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ବାହାରୁ ଯେପରି କୌଣସି ପକ୍ଷୀ ସଂସ୍ପର୍ଶରେ ନ ଆସିବେ ସେଦିଗରେ ପଦକ୍ଷେପ ନିଆଯାଇଛି।