ଭୁବନେଶ୍ୱର: ରାଜ୍ୟରେ ପୁଣିଥରେ ବାର୍ଡଫ୍ଲୁ ଚିହ୍ନଟ ହୋଇଛି। ପୁରୀଜିଲ୍ଲା ଡେଲାଙ୍ଗ ବ୍ଲକ୍ର ବଡ଼ଆଙ୍କୁଲାରେ ବାର୍ଡଫ୍ଲୁ ଚିହ୍ନଟ ପରେ ସଂପୃ୍କ୍ତ ଫାର୍ମ ଓ ଆଖପାଖ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଆଖପାଖ ଅଞ୍ଚଳରେ କଟକଣା ଲଗାଯାଇଛି। କୁକୁଡ଼ା ଚାଷୀ ଏଥିରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ତେବେ ପୁରୀ ଜିଲ୍ଲାର ପିପିଲି ଓ ଡେଲାଙ୍ଗ ବ୍ଲକ୍ରୁ ବାର୍ଡଫ୍ଲୁ ଚିହ୍ନଟ ହେବା ପ୍ରଥମ ନୁହେଁ। ପ୍ରତିବର୍ଷ ପୁରୀ ଜିଲ୍ଲା ପିପିଲି ଓ ଡେଲାଙ୍ଗ ବ୍ଲକ୍ରୁ ବାର୍ଡଫ୍ଲୁ ଚିହ୍ନଟ ହେଉଛନ୍ତି। ଏଥିପାଇଁ ଚାଷୀକୂଳ ନୟାନ୍ତ ହେଉଛନ୍ତି। ଖର୍ଚ୍ଚ କରି କୁକୁଡ଼ା ବିକ୍ରି କରିବା ବେଳକୁ ବାର୍ଡଫ୍ଲୁ ପାଇଁ ଚାଷୀ ଦେବାଳିଆ ସ୍ଥିତିକୁ ଚାଲି ଯାଉଛନ୍ତି। କୁକୁଡ଼ା ସହ ଲାଳନପାଳନ ଖର୍ଚ୍ଚ ବି ବୁଡ଼ିଯାଉଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, ପ୍ରତିବର୍ଷ ରାଜ୍ୟର ପ୍ରଥମ ବାର୍ଡଫ୍ଲୁ କାହିଁକି ପିପିଲି ଓ ଡେଲାଙ୍ଗରୁ ଚିହ୍ନଟ ହେଉଛନ୍ତି? କାହିଁକି ପ୍ରାଣୀ ସଂପଦ ବିଭାଗ ଏହି ଅଞ୍ଚଳକୁ ସଂକ୍ରମଣମୁକ୍ତ କରିପାରୁନି? ସଂକ୍ରମଣମୁକ୍ତ କରିବାକୁ ଜାରି ନିୟମାବଳୀ ଚାଷୀମାନେ ଅନୁପାଳନ କରୁଛନ୍ତି ତ? ରାଜ୍ୟ ସରକାର ଏ ଦିଗରେ ଚିନ୍ତନ କରିବାର ସମୟ ଆସିଛି।
ରାଜ୍ୟରେ ସପ୍ତାହକୁ ୭୦ଲକ୍ଷରୁ ଅଧିକ ବ୍ରଏଲର୍ କୁକୁଡ଼ା(ପ୍ରାୟ ଅଢ଼େଇ କେଜି) ବାହାରୁଛନ୍ତି। ଯେଉଁଥିରୁ ପ୍ରାୟ ୩୦ ପ୍ରତିଶତ ଭରଣା କରୁଛନ୍ତି ପିପିଲି ଓ ଡେଲାଙ୍ଗ ଚାଷୀ। ୨୦ହଜାରରୁ ଅଧିକ କୁକୁଡ଼ା ଫାର୍ମ ଏଠାରେ ରହିଛି। କିଏ ଇଣ୍ଟିଗ୍ରେଟେଡ୍(କମ୍ପାନି ଜରିଆରେ ଚିଆଁ ଆଣି ଲାଳନପାଳନ କରିବା) କୁକୁଡ଼ା ଚାଷ କରୁଛନ୍ତି ତ କିଏ ନିଜେ ଚିଆଁ ଆଣି ଲାଳନପାଳନ କରି ବିକ୍ରି କରୁଛନ୍ତି। ବ୍ରଏଲର୍ କୁକୁଡ଼ା ପ୍ରାୟ ୩୫ ଦିନରେ ବିକ୍ରିଯୋଗ୍ୟ ହୋଇଥା’ନ୍ତି। ଚଳିତବର୍ଷ କୁକୁଡ଼ା ବିକ୍ରି ବେଳକୁ ବାର୍ଡଫ୍ଲୁ ଚିହ୍ନଟ ହେବା ଚାଷୀଙ୍କୁ ଶଙ୍କାରେ ପକାଇଛି। ରାଜ୍ୟ ପୋଲଟ୍ରି ମହାସଂଘ ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତିକାନ୍ତ ମହାପାତ୍ର କହିଛନ୍ତି, ପ୍ରତି ସପ୍ତାହରେ ପିପିଲି ଓ ଡେଲାଙ୍ଗ ବ୍ଲକ୍ରେ ୩ରୁ ୪ଲକ୍ଷ କୁକୁଡ଼ା ଚିଆଁ ଫାର୍ମକୁ ଆସିଥାନ୍ତି। ରାଜ୍ୟରେ ପୁରୀ ଓ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ବ୍ରଏଲର୍ କୁକୁଡ଼ା ଚାଷ ହୁଏ। ବାର୍ଡଫ୍ଲୁ ଏଭଳି ଏକ ଭୂତାଣୁ, ଯାହା ବର୍ଷା ଆସିଲେ ବ୍ୟାପିଥାନ୍ତି। ଖରାଦିନରେ ସୁପ୍ତ ଅବସ୍ଥାରେ ଥିବା ଏହି ଭୂତାଣୁ ବର୍ଷାରେ ବଂଶବିସ୍ତାର କରିଥାନ୍ତି। କାରଣ ଯେଉଁ ଫାର୍ମରେ କୁକୁଡ଼ାଠାରୁ ବାର୍ଡଫ୍ଲୁ ଚିହ୍ନଟ ହୁଏ, ସେଠାରେ ସଂପୂର୍ଣ୍ଣ ଭାବେ ଭୂତାଣୁ ମରିପାରେନି। ଫାର୍ମ ପାଖରେ ପଡ଼ିଥିବା କତାଗୁଣ୍ଡ ଅବା ଅନ୍ୟ ଜିନିଷରେ ପଡ଼ି, ଏହା ସୁପ୍ତ ଅବସ୍ଥାରେ ଥାଆନ୍ତି। ପିପିଲି ଓ ଡେଲାଙ୍ଗରୁ ନିୟମିତ ବାର୍ଡଫ୍ଲୁ ଚିହ୍ନଟ ହେବା ଏହାର ପ୍ରମୁଖ କାରଣ। ଚାଷୀମାନେ ବି ସଂକ୍ରମଣମୁକ୍ତ ପାଇଁ ଯେଉଁ ନିୟମ ରହିଛି, ତାକୁ ଠିକ୍ ଭାବେ ଅନୁପାଳନ କରୁନାହାନ୍ତି। କୁକୁଡ଼ାକୁ ପୋତିବା ବଦଳରେ ବାହାରେ ଫିଙ୍ଗି ସଂକ୍ରମଣକୁ ବଢ଼ାଉଛନ୍ତି। ଯେଉଁ ଫାର୍ମରୁ ବାର୍ଡଫ୍ଲୁ ଚିହ୍ନଟ ହେବ, ସେ ଫାର୍ମରେ ୩ ମାସ ପର୍ଯ୍ୟନ୍ତ କୁକୁଡ଼ା ଚିଆଁ ପଡ଼ି ପାରିବନି। କିନ୍ତୁ ଚାଷୀ ଏହାକୁ ମାନୁନାହାନ୍ତି।
ଅଖିଳ ଭାରତ କୃଷକ ମହାସଭାର ରାଜ୍ୟ ସଂପାଦକ ଅଶୋକ ପ୍ରଧାନ କହିଛନ୍ତି, ପିପିଲି ଓ ଡେଲାଙ୍ଗ ବ୍ଲକ୍ରୁ ନିୟମିତ ବାର୍ଡଫ୍ଲୁ ଚିହ୍ନଟରୁ ସ୍ପଷ୍ଟ ହେଉଛି, ପ୍ରାଣୀ ସଂପଦ ବିଭାଗ ବାର୍ଡଫ୍ଲୁ ଚିହ୍ନଟ ଫାର୍ମ ତଥା ଅଞ୍ଚଳକୁ ସଂପୂର୍ଣ୍ଣ ସଂକ୍ରମଣମୁକ୍ତ କରିବାରେ ବିଫଳ ହେଉଛନ୍ତି। ଅପରପକ୍ଷେ ବାର୍ଡଫ୍ଲୁ ଚିହ୍ନଟ ପରେ ସଂପୃକ୍ତ ଚାଷୀଙ୍କୁ ନିଜସ୍ବ ଖର୍ଚ୍ଚରେ ଗାତ ଖୋଳି ମଲାକୁକୁଡ଼ାଙ୍କୁ ପୋତିବାକୁ କୁହାଯାଉଛି। ଚାଷରେ କ୍ଷତି ବେଳେ ଗାତଖୋଳି କୁକୁଡ଼ାଙ୍କୁ ପୋତିବାରେ ଖର୍ଚ୍ଚ କରିବା ବଦଳରେ ଚାଷୀମାନେ ଲୁଚାଛପାରେ ବାର୍ଡଫ୍ଲୁ ସଂକ୍ରମିତ ମଲାକୁକୁଡ଼ାକୁ ଫିଙ୍ଗି ଦେଉଛନ୍ତି। ଅନେକ ଚାଷୀ ଦୟା ନଦୀରେ ବି ଭସାଇ ଦେଉଛନ୍ତି। ଯାହା ବାର୍ଡଫ୍ଲୁ ସଂକ୍ରମଣ ବଢ଼ାଉଛି। ଲୋକେ ବି ଦୟା ପାଣି ବ୍ୟବହାର କରିବା ଫଳରେ ଝାଡ଼ାବାନ୍ତି ଭଳି ରୋଗରେ ପଡ଼ୁଛନ୍ତି। ଚାଷୀମାନେ ନିର୍ଦ୍ଦେଶାବଳୀର ଠିକ୍ ଅନୁପାଳନ କରୁଛନ୍ତି କି ନାହିଁ, ବିଭାଗୀୟ ଅଧିକାରୀମାନେ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି।
ପୁରୀ ଜିଲ୍ଲା ପ୍ରାଣୀ ସଂପଦ ଅଧିକାରୀ ଡା.ଶରତ କୁମାର ବେହେରା କହିଛନ୍ତି, ନିର୍ଦ୍ଦେଶାବଳୀ ରହିଛି, ଯେଉଁଠି ବାର୍ଡଫ୍ଲୁ ଚିହ୍ନଟ ହେବ, ସେଠାରେ ତିନି ମାସ ପର୍ଯ୍ୟନ୍ତ କୁକୁଡ଼ା ଚିଆଁ ପଡ଼ିପାରିବନି। ୩ ମାସ ପରେ ୪୦/୫୦ଟି ଚିଆଁ ପରୀକ୍ଷାମୂଳକ ଭାବେ ରଖାଯିବ। ତଥାପି ଯଦି ବାର୍ଡଫ୍ଲୁ ଚିହ୍ନଟ ହୁଏ, ପୁନର୍ବାର ସେସବୁ ପୋତାଯାଇ ବିଶୋଧନ କରାଯିବ। ସଂକ୍ରମଣମୁକ୍ତ ପାଇଁ ବିଶୋଧନକୁ ଗୁରୁତ୍ବ ଦିଆଯାଇଛି। କିନ୍ତୁ ଚାଷୀମାନେ ଏଥିରେ ଖିଲାପ କରୁଛନ୍ତି। ଯେଉଁଠାରେ ଧରାପଡ଼ୁଛନ୍ତି, ସେଠାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଶ୍ରୀ ବେହେରା କହିଛନ୍ତି।
ପିପିଲି, ଡେଲାଙ୍ଗରୁ ବ୍ୟାପୁଛି ବାର୍ଡଫ୍ଲୁ
ରାଜ୍ୟରେ ପୁଣିଥରେ ବାର୍ଡଫ୍ଲୁ ଚିହ୍ନଟ ହୋଇଛି। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ର ବଡ଼ଆଙ୍କୁଲାରେ ବାର୍ଡଫ୍ଲୁ ଚିହ୍ନଟ ପରେ ସଂପୃ୍କ୍ତ ଫାର୍ମ ଓ ଆଖପାଖ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଆଖପାଖ ଅଞ୍ଚଳରେ କଟକଣା ଲଗାଯାଇଛି। କୁକୁଡ଼ା ଚାଷୀ...
/sambad/media/media_files/2025/07/15/pwkjfiwvgywqdv-2025-07-15-07-13-56.jpg)