୧୯୪୮ ଏପ୍ରିଲ୍ ୧୩ରେ ତତ୍କାଳନୀ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ରାଜଧାନୀ ପ୍ରତିଷ୍ଠା ଫଳକ ଉନ୍ମୋଚନ କରି ହୀରାକୁଦ ବନ୍ଧ ଉଦ୍ଘାଟନ ପାଇଁ ସମ୍ବଲପୁର ଯାଇଥିଲେ। ଏହି ସମୟରେ ଏକ ପାରା ଯୋଗେ ନେହେରୁ ନିଜ ହାତ ଲେଖା ଓ ଦସ୍ତଖତ ସହ ଏକ ଚିଠି ସମ୍ବଲପୁରରୁ କଟକକୁ ପଠାଇଥିଲେ। ପ୍ରଧାନମନ୍ତ୍ରୀ କଟକରେ ପହଞ୍ଚିବାକୁ ୭ ଘଣ୍ଟା ସମୟ ନେଇଥିଲେ ହେଁ ପାରା ୫ ଘଣ୍ଟାରେ ଚିଠିଟି ନେଇ ପହଞ୍ଚାଇ ଦେଇଥିଲା। ଯେଉଁ ଚିଠି ଏବେ ବି ମହଜୁଦ ଅଛି।
ଭୁବନେଶ୍ୱର: କବୁତର୍ ଯା ଯା ଯା...ପେହେଲେ ପ୍ୟାର୍କି ପେହେଲି ଚିଠି ସାଜନ୍କୋ ଦେ ଆ...। ନବେ ଦଶକର ଏ ଗୀତଟି ସଂଗୀତ ରସିକଙ୍କର ନିଶ୍ଚେ ଖିଆଲ ଥିବ। ତେବେ ସତରେ କ’ଣ ପାରାଟିଏ ଚିଠି ନେଇ ଠିକଣା ଲୋକ ପାଖରେ ପହଞ୍ଚାଇ ଦିଏ ? ମାତ୍ର ଆଜି ଯେତେବେଳେ ଠିକ୍ ସକାଳ ୯ଟା ୫୫ ମିନିଟ୍ରେ ଓୟୁଏଟି ପଡ଼ିଆରୁ ଐତିହ୍ୟର ବାର୍ତା ନେଇ ୨୪ଟି ପାରା କଟକକୁ ଉଡ଼ିବା ଆରମ୍ଭ କରି ଠିକ୍ ୨୫ ମିନିଟ୍ରେ ଠିକଣା ଜାଗାରେ ପହଞ୍ଚିଥିଲେ ମନରେ ଉଙ୍କି ମାରୁଥିବା ପ୍ରଶ୍ନର ଉତ୍ତର ମିଳିସାରିଥିଲା। ଇନ୍ଟାକ୍ ପକ୍ଷରୁ ଓଡ଼ିଶା ପୁଲିସ୍ ପିଜନ୍ ସର୍ଭିସ୍ ସହଯୋଗରେ ଅନୁଭବ ଐତିହ୍ୟକୁ ପୁନର୍ଜୀବନ ଦେବା ପାଇଁ ଏକ ବିଶେଷ ଆୟୋଜନ କରାଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଥିଲେ ଏହାର ମୂକସାକ୍ଷୀ। ଓୟୁଏଟିରୁ କଟକ ବକ୍ସିବଜାରସ୍ଥିତ ପୁଲିସ୍ ହେଡ୍କ୍ୱାର୍ଟର୍ସ ସଂଲଗ୍ନ ଲଫ୍ଟ ବ୍ରିଡିଙ୍ଗ୍ ସେଣ୍ଟର୍ ପର୍ଯ୍ୟନ୍ତ ୨୫ କିଲୋମିଟର ଦୂରତାକୁ ୨୫ ମିନିଟ୍ରେ ଅତିକ୍ରମ କରି ପହଞ୍ଚିଥିଲେ। ପରେ ତାଙ୍କ ଗୋଡ଼ରେ ବନ୍ଧା ଯାଇଥିବା ମେସେଜ୍ କ୍ୟାପ୍ସୁଲ୍ରୁ ଇନ୍ଟାକ୍ର ଐତିହ୍ୟ ବାର୍ତା ବାହାର କରାଯାଇଥିଲା। ପାରାମାନଙ୍କୁ ୩ଦିନ ଧରି ତାଲିମ୍ ଦିଆଯିବା ପରେ ସେମାନେ ଆଜି ଏହି ଅଭିଯାନକୁ ସଫଳ କରିପାରିଥିଲେ। ଏସ୍ପି (ସିଗ୍ନାଲ୍) ବିଏନ୍ ଦାସଙ୍କ କହିବା ମୁତାବକ, ଜନ୍ତୁମାନଙ୍କର ଘରକୁ ଫେରିବାର ପ୍ରବୃତ୍ତି ଥିବା ବେଳେ ପାରାମାନଙ୍କଠାରେ ଏହି ପ୍ରବୃତ୍ତିର ମାତ୍ରା ଅଧିକ। ତୀକ୍ଷ୍ଣ ନଜର ହେତୁ ଘର ଚିହ୍ନିବା ସେମାନଙ୍କ ପାଇଁ କଷ୍ଟ ହୁଏନି। ଛଞ୍ଚାଣ ଅନେକ ସମୟରେ ମାରିବାକୁ ଆସିଲେ ବି ତାଲିମ୍ ନେଇଥିବା ପାରାମାନେ ତାଙ୍କ କବଳରେ ପଡ଼ନ୍ତି ନାହିଁ। ତେଣୁ ଏମାନଙ୍କୁ ବାର୍ତା ନେଣଦେଣରେ ସହଜରେ ବ୍ୟବହାର କରି ହୁଏ ବୋଲି ସେ କହିଛନ୍ତି।
୧୯୪୬ରେ ଓୟାରଲେସ୍ ଓ ଟେଲିଫୋନ୍ ସଂଯୋଗ ନଥିବାରୁ ବାର୍ତାଳାପ ପାଇଁ ସେନା ତରଫରୁ ଓଡ଼ିଶା ପୁଲିସ୍ ପିଜନ୍ ସର୍ଭିସ୍କୁ ୨୦୦ ପାରା ପରୀକ୍ଷାମୂଳକ ଭାବେ ଦିଆଯାଇଥିଲା। ଯଦିଓ ଆଜିର ଫୋର୍-ଜି ଇଣ୍ଟରନେଟ୍ ଯୁଗରେ ଏହାର ପ୍ରାସଙ୍ଗିକତା ନାହିଁ, ମାତ୍ର ସତୁରି ବର୍ଷ ପରେ ବି ଏହି ସେବା ମହଜୁଦ ଅଛି। ଇନ୍ଟାକ୍ର ରାଜ୍ୟ ଆବାହକ ତଥା ପୂର୍ବତନ ଡିଜିପି ଅମିୟ ଭୂଷଣ ତ୍ରିପାଠୀ ଆଗକୁ ମଧ୍ୟ ଏହି ସେବାର ଆବଶ୍ୟକ ପଡ଼ିବ ବୋଲି କହିଛନ୍ତି। ଇନ୍ଟାକ୍ର ଗବେଷକ ଅନିଲ୍ ଧୀର୍ କହିଛନ୍ତି ଯେ, ଏହା ଓଡ଼ିଶାର ଐତିହ୍ୟର ଅଂଶବିଶେଷ। ଆଧୁନିକତା ସହ ସାମିଲ୍ ହୋଇଥିଲେ ହେଁ ଆମ ପରମ୍ପରାକୁ ବଜାୟ ରଖିବାର ଏହା ଏକ ଜ୍ୱଳନ୍ତ ପ୍ରମାଣ। ପରିବେଶ୍ବିତ୍ ଡ.ବିଶ୍ୱଜିତ ମହାନ୍ତି ଏ ବାବଦରେ କହିଛନ୍ତି ଯେ, ପାରାମାନେ ବନ୍ୟଜନ୍ତୁ ସଂରକ୍ଷଣ ଆଇନ୍ ପରିସରଭୁକ୍ତ ହୋଇ ନଥିବାରୁ ଏହି ପାରମ୍ପରିକ ସେବାକୁ ବଜାୟ ରଖାଯିବାରେ ସମସ୍ୟା ନାହିଁ। ପକ୍ଷୀ ବିଜ୍ଞାନୀ ପଞ୍ଚମୀ ମାନୁ ଉକିଲ୍ କହିଛନ୍ତି ମୋଗଲ୍ ସମୟରୁ ପାରାଙ୍କ ମାଧ୍ୟମରେ ବାର୍ତା ପ୍ରେରଣ ଆରମ୍ଭ ହୋଇଥିବା ବେଳେ ସେନା ବାହିନୀକୁ ଗୁପ୍ତ ସୂଚନା ଦେବାରେ ମୁଖ୍ୟ ଭୂମିକା ତୁଲାଉଥିଲେ। ଶାହଜହାଁ ବି ପାରାମାନଙ୍କୁ ପାଳୁଥିଲେ। ତେଣୁ ଏହି ପରମ୍ପରାକୁ ସଂରକ୍ଷଣ କରାଯିବା ଉଚିତ ବୋଲି ସେ କହିଥିଲେ। ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ଯେତେବେଳେ ସମସ୍ତ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଯାଏ ସେତେବେଳେ ଏହି ପାରାମାନେ ହିଁ ବାର୍ତାଳାପ କରନ୍ତି। ଅତୀତରେ ୧୯୯୯ ମହାବାତ୍ୟା ସମୟରେ ଜଗତସିଂପୁର, ବାଙ୍କୀ ଓ ଏହାର ଆଖପାଖ ଅଞ୍ଚଳରେ ଏହି ପାରାମାନେ ହିଁ ଯୋଗାଯୋଗର ସୂତ୍ରଧର ସାଜିଥିଲେ ବୋଲି ଏସ୍ଆଇ ନିହାର ରଂଜନ ବିଶ୍ୱାଳ କହିଛନ୍ତି।
ଏବେ ଅଛନ୍ତି ୧୫୦ ତାଲିମ୍ପ୍ରାପ୍ତ ପାରା
ସବୁ ସବ୍ଡିଭିଜନ୍ରେ ପିଜନ୍ ଲଫ୍ଟ ଥିଲା। କିନ୍ତୁ ଓ୍ଵାଲେସ୍ ଆସିବା ପରେ ବ୍ୟବହାର କମିଗଲା। ଏବେ କେବଳ କଟକ ବକ୍ସିବଜାରରେ୧୦୦ଟି ଏବଂ ଅନୁଗୁଳରେ ୫୦ଟି ତାଲିମପ୍ରାପ୍ତ ଚିଠି ଦେଣନେଣ କରିବା ଭଳି ତାଲିମ୍ପ୍ରାପ୍ତ ପାରା ଅଛନ୍ତି। ଗୋଟେ ପାରା ୧୫ ବର୍ଷ ଯାଏଁ ବଞ୍ଚେ। ୭-୮ ବର୍ଷ ଭଲ କାମ କରିବା ପରେ ମାନ୍ଦା ହୋଇଯାଏ। ଏମାନଙ୍କୁ ବୁଟ, ମଟର, ଗହମ, ମାଣ୍ଡିଆ, ମକା, ବାଜରା, ମୁଗ ଆଦି ଦିନକୁ ୬୦ ଗ୍ରାମ ଲେଖାଏଁ ଖାଇବାକୁ ଦିଆଯାଏ।
୨୫୦ କିଲୋମିଟର ବାର୍ତା ନେଇ ଉଡ଼ିପାରନ୍ତି
କୌଣସି ନିର୍ଦିଷ୍ଟ ସ୍ଥାନକୁ ଯା-ଆସ ପାଇଁ ଏମାନଙ୍କୁ ରୁଟ୍ ଟ୍ରେନିଂ ଦିଆଯାଏ। ମନ୍ଦିର, ପୋଖରୀ, ନାଳ, କୋଠା ଓ ଗଛ ଦେଖି ସେମାନେ ଉଡ଼ନ୍ତି। ଘଣ୍ଟାକୁ ୬୦ରୁ ୭୫ କିଲୋମିଟର ବେଗରେ ଉଡ଼ୁଥିବା ବେଳେ ୨୫୦ କିଲୋମିଟର ପର୍ଯ୍ୟନ୍ତ ଉଡ଼ିପାରନ୍ତି। ଘର ଫେରନ୍ତା ପକ୍ଷୀ ହୋଇଥିବାରୁ ଏମାନେ ଠିକଣା ସ୍ଥାନରେ ପହଞ୍ଚିପାରନ୍ତି। ସଂପ୍ରତି କେବଳ ଷ୍ଟାଟିକ୍ ସର୍ଭିସ୍ (କେବଳ ଗୋଟିଏ ସ୍ଥାନକୁ ଯିବା) ଚାଲିଛି। ତେବେ ବୁମେରାଂ ସେବା (ପଠାଇଥିବା ଜାଗାକୁ ଯାଇ ଫେରିଆସିବା) ଏବଂ ମୋବାଇଲ୍ ସର୍ଭିସ୍ ବନ୍ଦ ହୋଇଯାଇଛି।
ଇଂରାଜୀରେ ବୋଲ ମାନନ୍ତି
ଏମାନେ ଇଂରାଜୀରେ ହିଁ ବୋଲ ମାନନ୍ତି। ତାଲିମ୍ ଦେବା ବେଳେ ‘ଆଉଟ୍’ କହିଲେ ଏମାନେ ପିଞ୍ଜରା ଭିତରୁ ବାହାରି ଚିଠି ନେଇ ଉଡ଼ିଯାଆନ୍ତି। ପାଦରେ ମେସେଜ୍ କ୍ୟାପ୍ସୁଲ୍ ମଧ୍ୟରେ ହାଲ୍କା କାଗଜରେ ବାର୍ତା ଲେଖାଯାଇ ଭର୍ତି କରି ପଠାଯାଏ। ସେହିଭଳି ପହଞ୍ଚିବା ପରେ ଚିଠି ସଂଗ୍ରହ କରି ‘ଗେଟ୍-ଇନ୍’ କହିଲେ ଘର ଭିତରକୁ ପ୍ରବେଶ କରନ୍ତି।