ଦେଶୀ ପଞ୍ଜୁରିରେ ବିଦେଶୀ ଚଢ଼େଇ

ସହରରେ ଗାଡ଼ିମଟରର କାନଫଟା ଶବ୍ଦରୁ ସମସ୍ତେ ଟିକିଏ ନିସ୍ତାର ଚାହାନ୍ତି। ରାଜଧାନୀ କଂକ୍ରିଟ ଜଙ୍ଗଲରେ ପରିଣତ ହେଉଥିବା ବେଳେ ପାରମ୍ପରିକ ପକ୍ଷୀ ଆଉ ଦେଖିବାକୁ ମିଳୁନାହାନ୍ତି। ତା’ ଛଡ଼ା ଶୁଆ ବା ମଇନା ଭଳି ନିଜ ଘରେ କୌଣସି ଦେଶୀ ପକ୍ଷୀ ପାଳିବା ବି ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ଭାବେ ପରିଗଣିତ ହେଉଛି। ତେବେ ବିଦେଶୀ ରଖିବାରେ କିଛି କଟକଣା ନାହିଁ। ତେଣୁ ରାଜଧାନୀରେ ଏବେ ଅନେକଙ୍କ ଘରେ ଏବେ ଦେଶୀ ପଞ୍ଜୁରି ଭିତରେ ବିଦେଶୀ ପକ୍ଷୀଙ୍କ କିଚିରି ମିଚିରି ଶୁଭୁଛି। ଅବସର ସମୟ ବିତାଇବା ସହ କ୍ଳାନ୍ତି ମେଣ୍ଟାଇବା ପାଇଁ କ୍ରମଶଃ ବଢ଼ି ବଢ଼ି ଚାଲିଛି ଏଭଳି ଚଢ଼େଇ ସଉକ। ରାଜଧାନୀରେ ମିଳୁଥିବା ଏଭଳି ଚଢ଼େଇଙ୍କୁ ନେଇ ରିତେନ୍ଦ୍ର ଛାଟୋଇଙ୍କ ସ୍ୱତନ୍ତ୍ର ରିପୋର୍ଟ।

ଲଭ୍‌ ବାର୍ଡ

ପକ୍ଷୀ ପ୍ରେମୀଙ୍କ ମଧ୍ୟରେ ଏହି କ୍ଷୁଦ୍ର ପକ୍ଷୀଟି ପ୍ରତି ବିଶେଷ ଆକର୍ଷଣ ରହିଛି। ଆକୃତିରେ ମାତ୍ର ୫ ରୁ ୬ ଇଞ୍ଚ ବଢୁଥିବା ଲଭ୍‌ ବାର୍ଡ ନୀଳ, କମଳା, ହଳଦିଆ ରଙ୍ଗର ସାଧାରଣତଃ ଦେଖା ଦେଇଥାନ୍ତି। ପଞ୍ଜୁରିରେ ପୋଷା ମାନି ରହୁଥିବା ଲଭ୍‌ ବାର୍ଡ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥା’ନ୍ତି। ମେଲ୍‌ ଓ ଫିମେଲ୍‌ ଲଭ୍‌ବାଡ୍‌ର୍କୁ ଏକାଠି ରଖିବାକୁ ହୋଇଥାଏ। ଏମାନେ ପରସ୍ପର ସହ ଖୁବ୍‌ ନିବିଡ଼ ଭାବେ ରହିଥା’ନ୍ତି। ସାଧାଣତଃ ଏମାନେ ଦିନ ସାରା ବିଭିନ୍ନ ପ୍ରକାର ଶବ୍ଦ କରିଥାନ୍ତି। ଏମାନଙ୍କ ମଧ୍ୟରେ ଥିବା ଅତୁଟ ପ୍ରେମ ଘରେ ତଥା ଦମ୍ପତିଙ୍କ ମଧ୍ୟରେ ଏକ ଶାନ୍ତ ବାତାବରଣ ବଜାୟ ରଖିଥାଏ ବୋଲି ବିଶ୍ୱାସ କରାଯାଏ। ଜନପଥ ‘ଡଗ୍‌ ଆଣ୍ଡ୍‌ ଆକ୍ୱା କେୟାର’ର ମାଲିକ ଅଭିଜିତ୍‌ ସାହୁ କହିଛନ୍ତି, କୋଲକାତାର ବିଦେଶୀ ପକ୍ଷୀଙ୍କ ପ୍ରଜନନ କେନ୍ଦ୍ରରୁ ଏହି ପକ୍ଷୀମାନଙ୍କୁ ଆଣି ଏଠି ବିକ୍ରି କରାଯାଉଛି।

ମାକଓ୍ଵା

ପଞ୍ଜୁରି ଭିତରେ ପୋଷା ମାନି ରହୁଥିବା ଶୁଆ ପ୍ରଜାତିର ପକ୍ଷୀଙ୍କ ମଧ୍ୟରେ ମାକଓ୍ଵା ହେଉଛି ଆକୃତିରେ ସବୁଠୁ ବଡ଼। ପ୍ରାୟ ୪୦ ଇଞ୍ଚ୍‌ ପର୍ଯ୍ୟନ୍ତ ବଢ଼ିଥାଏ। ଏହି ଚଢ଼େଇର ସୃଷ୍ଟି ଦକ୍ଷିଣ ଆମେରିକାରେ ବୋଲି ବିଶେଷଜ୍ଞ ମାନେ ମତଦେଇଛନ୍ତି। ଲମ୍ବା ପର ସାଙ୍ଗକୁ ଏହାର ଥଣ୍ଟ ଲମ୍ବାଳିଆ ଆକୃତିର। ଏହା ବିଭିନ୍ନ ପକାର ଦାନାକୁ ଥଣ୍ଟରେ ହାଣି ହାଣି ଖାଇଥାଏ। ଏମାନେ ବଡ଼ ଆକୃତିର ପଞ୍ଜୁରିରେ ରହିବାକୁ ପସନ୍ଦ କରିଥା’ନ୍ତି। ମାକଓ୍ଵାର ସବୁ ପ୍ରଜାତିର ପକ୍ଷୀ ପୋଷା ମାନି ନଥ’ାନ୍ତି। ଯଦିଓ ଏମାନେ ଖୁବ୍‌ ଜୋରରେ ଶବ୍ଦ କରିଥା’ନ୍ତି। କିନ୍ତୁ ଏମାନଙ୍କୁ ପ୍ରଶିକ୍ଷଣ ଦିଆଗଲେ ଏମାନେ ମଣିଷ ସହ ରେଡିଓ, ଟେଲିଭିଜନ ଆଦିରୁ ଶୁଣୁଥିବା ଶବ୍ଦକୁ ମନେ ରଖି ଶୁଣାଇପାରନ୍ତି। ଉପଯୁକ୍ତ ଯତ୍ନ ନେଲେ ଏମାନେ ୩୦ ବର୍ଷରୁ ଅଧିକ ସମୟ ବଞ୍ଚି ପାରନ୍ତି।

କାକତୁଆ

ବିଭିନ୍ନ ପ୍ରଜାତିର ଶୁଆଙ୍କ ମଧ୍ୟରେ କାକତୁଆ ବେଶ୍‌ ମନଲୋଭା ଓ ଆକର୍ଷଣୀୟ। କାକତୁଆର ମୁଣ୍ଡରେ ଥିବା କୌତୂହଳପ୍ରଦ ଚୂଳ ଖୁବ୍‌ ମନଲୋଭା। ଏମାନେ ସାଧାରଣତଃ ଅଷ୍ଟ୍ରେଲିଆ ଓ ଇଣ୍ଡୋନେସିଆ ଆଦି ଦେଶରେ ବହୁଳଭାବେ ଦେଖାଯା’ନ୍ତି। ଏହା ମଣିଷ ପରି ମଧ୍ୟ ଭାବପ୍ରବଣତା ପକାଶ କରିଥାଏ। ଆକୃତିରେ ମଧ୍ୟମ ଓ ବଡ଼ ଧରଣର କାକତୁଆ ଦେଖିବାକୁ ମିଳିଥାଏ। ପାଖାପାଖି ୩୦ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବା କାକତୁଆ କଳା, ଧୂସର, ଧଳା ଓ ଗୋଲାପି ରଙ୍ଗର ଦେଖିବାକୁ ମିଳିଥାନ୍ତି। କାକତୁଆ ଉଚ୍ଚ ସ୍ୱରରେ ଶବ୍ଦ କରିଥାଏ। ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ କିଚିରିମିଚିର ଶବ୍ଦ କରିବା ଏହାର ସ୍ୱତନ୍ତ୍ରତା। ଏହି ପକ୍ଷୀର ଦାମ୍‌ ଅନ୍ୟ ପକ୍ଷୀଙ୍କ ତୁଳନାରେ ବେଶ୍‌ ଅଧିକ।

ଜେବ୍ରା ଫିଞ୍ଚ୍‌

କ୍ଷୁଦ୍ର ଆକୃତିର ଏହି ଜେବ୍ରା ଫିଞ୍ଚ୍‌ ଚଢ଼େଇ ସାଧାରଣତଃ ମଧ୍ୟ ଅଷ୍ଟ୍ରେଲିଆରେ ଅଧିକମାତ୍ରାରେ ଦେଖାଦେଇଥା’ନ୍ତି। ଏଥିସହିତ ଏହା ଇଣ୍ଡୋନେସିଆରେ ମଧ୍ୟ ଦେଖା ଦେଇଥାନ୍ତି। ଗୃହପାଳିତ ପକ୍ଷୀଙ୍କ ମଧ୍ୟରେ ଜେବ୍ରା ଫିଞ୍ଚ୍‌ ପକ୍ଷୀ ପ୍ରେମୀଙ୍କ ଅନ୍ୟତମ ଆକର୍ଷଣ ପାଲଟିଛି। ପ୍ରାୟ ଦଶ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରୁଥିବା ଏହି ଚଢ଼େଇ ବିଭିନ୍ନ ରଙ୍ଗର ଦେଖିବାକୁ ମିଳିଥା’ନ୍ତିି। ମେଲ୍‌ ଜେବ୍ରା ଫିଞ୍ଚ୍‌ର ସାଧାରଣତଃ ଥଣ୍ଟ ଲାଲ ହୋଇଥିବା ବେଳେ ଫିମେଲ୍‌ ଜେବ୍ରା ଫିଞ୍ଚ୍‌ର ଥଣ୍ଟ କମଳା ରଙ୍ଗର ହୋଇଥାଏ। ଏଥିସହିତ ମେଲ୍‌ ଜେବ୍ରା ଫିଞ୍ଚ୍‌ ବେକରେ ବିଭିନ୍ନ ରଙ୍ଗର ପଟି ପଡ଼ିଥିବା ପରି ଦାଗ ଦେଖାଦେଇଥାଏ। ମେଲ୍‌ ଫିଞ୍ଚ୍‌ କ୍ଷୀଣ ସ୍ୱରରେ ବିଭିନ୍ନ ପ୍ରକାରର ଶବ୍ଦ କରିଥାଏ। କିନ୍ତୁ ଫିମେଲ୍‌ ଫିଞ୍ଚ୍‌ ସାଧାରଣତଃ ନିରବ ରହିଥାଏ। ଏଥିସହିତ ଗୋଲ୍ଡ ଫିଞ୍ଚ୍‌, ବଜ୍ରିଗର, ଜାଭା ସ୍ପାରୋ, ଅଷ୍ଟ୍ରେଲିଆନ ପ୍ୟାରଟ୍‌ ଆଦି ପକ୍ଷୀ ପ୍ରେମୀଙ୍କ ଅନ୍ୟତମ ଆକର୍ଷଣ ପାଲଟିଛି।

ସମ୍ବନ୍ଧିତ ଖବର