ରାଜଧାନୀରେ ମେଲୁଛି ପକ୍ଷୀ ପସରା: ଲଭ୍ ବାର୍ଡ, ମକାଉ ଓ ଲରି ବିକ୍ରି ବଢ଼ୁଛି

ଭୁବନେଶ୍ବର: ଗତ କିଛି ବର୍ଷ ହେଲା ରାଜଧାନୀରେ ସୌକିନ୍‌ ପକ୍ଷୀ ବେପାର ବଢ଼ିବାରେ ଲାଗିଛି। ଅଶୀ ଦଶକରେ ରାଜଧାନୀ ପାଇଁ ବିରଳ ଥିବା ଏହି ବେପାର ନବେ ଦଶକର ଶେଷ ଆଡ଼କୁ କାଁ ଭାଁ ପ୍ରସାର ଲାଭ କରିଥିଲା। କିନ୍ତୁ ଗତ ୧୦ ବର୍ଷ ହେଲା ଏହି କାରବାର ଢେର୍ ବଢ଼ିଛି। ରସୁଲଗଡ଼ ଅଞ୍ଚଳରେ ଏହି ରଙ୍ଗିନ୍‌ ବିଦେଶୀ ପକ୍ଷୀ ବିକୁଥିବା ଜଣେ ବ୍ୟବସାୟୀଙ୍କ କହିବାନୁଯାୟୀ ଗତ ଜୁନ୍‌ ମାସରେ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ବ ଛୋଟ ଚଢ଼େଇ ବିକ୍ରି ହୋଇଛି। ସେଥିମଧ୍ୟରୁ କେବଳ ୪ ହଜାର ଯୋଡ଼ା ବଜିସ୍ ଓ ୨ ହଜାର ଯୋଡ଼ା ଲଭ୍ ବାର୍ଡ ବିକ୍ରି ହୋଇଛନ୍ତି। ତେଣୁ ଏଥିରୁ ସ୍ପଷ୍ଟ ବାରି ହେଉଛି ରାଜଧାନୀରେ ପକ୍ଷୀ ବେପାର ବେଶ୍ ଭଲ ପ୍ରସାର ଲାଭ କଲାଣି। ଆଗରୁ ଲୋକେ ସଉକରେ ଘରେ କୁକୁର, ବିଲେଇ, ମାଛ ରଖୁଥିଲେ। ଏବେ ପକ୍ଷୀ ରଖିବାର ସଉକ ବଢ଼ୁଛି। ଏଥିପାଇଁ କୋଲକାତା, ପୁନେ, ବେଙ୍ଗାଲୁରୁ, ମୁମ୍ବାଇ ଓ ଦିଲ୍ଲୀ ଆଦି ମେଟ୍ରୋ ସହର ଭଳି ଭୁବନେଶ୍ବର ବିଦେଶୀ ପକ୍ଷୀ ବିପଣନରେ ଏକ ଛୋଟ ହବ୍ ପାଲଟିଛି। ରାଜଧାନୀର ସହିଦନଗର, ଶୈଳଶ୍ରୀବିହାର, ଜନପଥ ରୋଡ୍, ପୁରୁଣା ଭୁବନେଶ୍ବର, ୟୁନିଟ୍-୮ ସ୍ଥିତ ଗୋପବନ୍ଧୁ ନଗର, ଜୟଦେବ ବିହାର ଓ ରସୁଲଗଡ଼ ଭଳି ପ୍ରମୁଖ ଅଞ୍ଚଳରେ ବର୍ତ୍ତମାନ ଚଢ଼େଇ ବ୍ୟବସାୟ ଚାଲିଛି।

ଆମ ଦେଶରେ ୧୯୭୨ ବନ୍ୟଜନ୍ତୁ ସୁରକ୍ଷା ଆଇନ୍ ଅନୁଯାୟୀ କୌଣସି ଭାରତୀୟ ବନ୍ୟପ୍ରାଣୀଙ୍କୁ ଘରେ ଆଣି ରଖିବା, କିଣିବା ଓ ବିକିବା ଦଣ୍ଡନୀୟ ଅପରାଧ। ମାତ୍ର ଏଭଳି ଚଢ଼େଇ ରଖିବା ଉପରେ କଟକଣା ନାହିଁ। ୧୯୮୦ ମସିହାରେ ଭୁବନେଶ୍ବରରେ ଏହି ବେପାର ନୂଆ ନୂଆ ଆରମ୍ଭ ହେଲା। ମାତ୍ର ପ୍ରଚାର ପ୍ରସାର ଓ ଲୋକଙ୍କ ଆର୍ଥିକ ସମସ୍ୟା ଯୋଗୁଁ ଏହା ସେତେ ମାତ୍ରାରେ ଆଗେଇ ପାରିନଥିଲା। ତେବେ ୧୯୯୭ ବେଳକୁ ସମଗ୍ର ରାଜ୍ୟରେ ବର୍ଷକୁ ପ୍ରାୟ ୧୦ ରୁ ୧୨ ହଜାର ଛୋଟ ଚଢ଼େଇ ବିକ୍ରି ହୋଇପାରୁଥିଲା। ଅଧିକ ବିକ୍ରି ହେଉଥିବା ଚଢ଼େଇ ହେଲେ ବଜିସ୍, କକ୍‌ଟିଲ୍ସ, ଲଭ୍ ବାର୍ଡ୍ସ, ଜେବ୍ରା ଫିଞ୍ଚସ୍, ପାଇନାପୁଲ୍ କନ୍ୟୁର୍ସ, ଜାଭା। କିନ୍ତୁ ଏବେ ଧୀରେ ଧୀରେ ସନ୍ କନ୍ୟୁର୍ ଠୁ ଆରମ୍ଭ କରି ସ୍କାର୍‌ଲେଟ୍ ମକାଉ, ହାନ୍ସ ମକାଉ, ଜାର୍ଡିନ୍ ପ୍ୟାରୋଟ୍, ସେନେଗାଲ୍ ପ୍ୟାରୋଟ୍, ବ୍ଲାକ୍‌କ୍ୟାପ୍ ଲରି, ବ୍ଲାକ୍‌ଉଇଙ୍ଗ୍ ଲରି, କାର୍ଡିନାଲ୍ ଲରି, ରେନ୍‌ବୋ ଲରି, ଗ୍ରେ ପ୍ୟାରୋଟ୍ସ ଭଳି ବିଦେଶୀ ପକ୍ଷୀଙ୍କ ଚାହିଦା ବୃଦ୍ଧି ପାଉଛି। କିଛି ଚଢ଼େଇର ଦାମ୍‌ ଲକ୍ଷାଧିକ ଟଙ୍କା ହୋଇଥିଲେ ବି ଲୋକେ ସଉକରେ କିଣି ନେଉଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗତ ୭ ବର୍ଷ ହେବ ଏଭିକଲ୍‌ଚରିଷ୍ଟମାନେ ଭୁବନେଶ୍ବରର ପ୍ରାୟ ୫ଟି ସ୍ଥାନରେ ନିଜସ୍ବ ଉଦ୍ୟମରେ ଏହି ପ୍ରଜାତିର ପକ୍ଷୀ ପ୍ରଜନନ କଲେଣି। ଏଥିପାଇଁ ଫାର୍ମ ତିଆରି କରିଛନ୍ତି ଓ ପ୍ରଜନନ କରାଇ ପାରୁଛନ୍ତି। ଫଳରେ ପୂର୍ବ ଭଳି ଆଉ ଭୁବନେଶ୍ବରବାସୀ ଏଭଳି ସୌକିନ୍‌ ଚଢ଼େଇ ପାଇଁ ଅନ୍ୟ ସହରମାନଙ୍କ ଉପରେ ନିର୍ଭରଶୀଳ ହେଉନାହାନ୍ତି। ବରଂ ରାଜଧାନୀର ଏହି ସବୁ ସଂସ୍ଥା‌ ଏବେ ଦେଶର ଅନ୍ୟ ମେଟ୍ରୋ ସିଟିମାନଙ୍କୁ ପଠାଉଛନ୍ତି। ଭୁବନେଶ୍ବରର ବାପୁଜୀନଗର, ତ୍ରିଶୂଳିଆ, ଚନ୍ଦ୍ରଶେଖରପୁର, ରସୁଲଗଡ଼ରେ ଏହି ପକ୍ଷୀ ପ୍ରଜନନ ପାଇଁ ଫାର୍ମ ତିଆରି କରାଯାଇଛି।

ଏଭିକଲ୍‌ଚରିଷ୍ଟ ଶ୍ୟାମସୁନ୍ଦର ମିଶ୍ରଙ୍କ କହିବା କଥା ୨୦୦୦ ମସିହା ବେଳକୁ ଭୁବନେଶ୍ବରରେ ଛୋଟ ଚଢ଼େଇଙ୍କ ଚାହିଦା ବୃଦ୍ଧି ପାଇଥିଲା। ତେବେ ଏବେ ଲୋକଙ୍କ ସଉକ ବଦଳିଛି। ଗ୍ରାହକମାନେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଗଣି ଚଢ଼େଇ କିଣିବାକୁ ଆଗେଇ ଆସୁଛନ୍ତି। ମକାଉର ବହୁ ବିରଳ ପ୍ରଜାତିର ପକ୍ଷୀକୁ ଅଧିକ ଦାମ୍‌ ଦେଇ କିଣିବାକୁ ଗ୍ରାହକମାନେ ଆକୃଷ୍ଟ ହେଉଛନ୍ତି। ପକ୍ଷୀ ବଜାରର ବର୍ଦ୍ଧିତ ଚାହିଦା ଓ ଲୋକଙ୍କ ସଉକକୁ ଲକ୍ଷ୍ୟ ରଖି ଏବେ ସେମାନେ ଦାମୀ ଚଢ଼େଇଙ୍କ ପ୍ରଜନନ କରୁଛନ୍ତି ବୋଲି ସେ କହିଛନ୍ତି। ପୁରୁଣା ଭୁବନେଶ୍ବର ବାସିନ୍ଦା ତଥା ପକ୍ଷୀ ପ୍ରେମୀ ନୃପେଶ କୁମାର ନାୟକଙ୍କ କହିବା କଥା, ସ୍ମାର୍ଟ ସିଟିରେ ଚଢ଼େଇ ରଖିବା ସଉକ ବଢ଼ିଛି। ଏମିତିକି ସେମାନଙ୍କ ରକ୍ଷଣାବେକ୍ଷଣ ପାଇଁ ଲୋକେ ସ୍ବତନ୍ତ୍ର ତାଲିମ୍ ମଧ୍ୟ ନେବାକୁ ଆଗ୍ରହ କରୁଛନ୍ତି। ସେମାନଙ୍କ ପାଇଁ ପଞ୍ଜୁରି, ଡେଣା ହଲେଇ ଉଡ଼ିବା ପାଇଁ ପଞ୍ଜୁରି ଭିତରେ ଆବଶ୍ୟକ ସ୍ଥାନ ଓ ସେମାନଙ୍କ ଖାଦ୍ୟ, ନିୟମିତ ବାସନ ସଫା କରିବା ଓ ପଞ୍ଜୁରି ସଫାସୁତୁରା ରଖିବା ଉପରେ ଲୋକେ ମଧ୍ୟ ତାଲିମ୍‌ ନେଉଛନ୍ତି। ତେବେ ବଡ଼ କଥା ହେଉଛି, ନିୟମିତ ବ୍ୟବଧାନରେ ସେମାନଙ୍କ ମଳମୂତ୍ର ପରୀକ୍ଷା କରାଇବା, ରୋଗ ଚିହ୍ନଟ କରି ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ଏହି ପକ୍ଷୀ ପାଳନର ଗୁରୁତ୍ବପୂର୍ଣ୍ଣ ଦିଗ ବୋଲି ପକ୍ଷୀ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର