ବିରଞ୍ଚିଙ୍କ ଏଜେଣ୍ଟ ଥିଲେ ପୁଲିସ କର୍ମଚାରୀ! ପରୀକ୍ଷାର୍ଥୀଙ୍କ ସହ ଯୋଗାଯୋଗ କରି ଟଙ୍କା ମାଗୁଥିଲେ

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ପଡ଼ିଥିବା ଓଏସ୍ଏସ୍‌ସି(ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ) ସଦସ୍ୟଙ୍କ ପିଏସ୍‌ ବିରଞ୍ଚି ନାରାୟଣ ସାହୁଙ୍କ ବିରୋଧରେ ନିଯୁକ୍ତି ଦୁର୍ନୀତି ନେଇ ଅଭିଯୋଗର ଫର୍ଦ୍ଦ ଆହୁରି ଲମ୍ବିବାରେ ଲାଗିଛି। ଏଠାରେ ଦୀର୍ଘ ୨୭ ବର୍ଷ ଧରି ଚାକିରି କରିଥିବା ବିରଞ୍ଚି ହିଁ ଥିଲେ ନିଯୁକ୍ତି ଦୁର୍ନୀତି ରାକେଟ୍‌ର ମୁଖ୍ୟ କାର୍ପଟଦାର। ତାଙ୍କ କଳା କାରନାମାର ଚେର ବହୁତ ଗଭୀରକୁ ଯାଇଛି। ସେ ଏମିତି ରାକେଟ୍ ତିଆରି କରିଥିଲେ ଯେ, ଟଙ୍କା ଦେଇ ଚାକିରି କରିବାକୁ ଚେଷ୍ଟା କରୁଥିବା ପରୀକ୍ଷାର୍ଥୀ କେବଳ ତାଙ୍କୁ ହିଁ ଜାଣିଥିଲେ। ଅଫିସକୁ ଯାଇ ଭଗବାନଙ୍କ ଭଳି ତାଙ୍କୁ ମୁଣ୍ଡିଆ ମାରୁଥିଲେ। ଚୂଡ଼ାନ୍ତ ତାଲିକା ତିଆରି ହେବା ପୂର୍ବରୁ ବିରଞ୍ଚିଙ୍କ ସହ ଯୋଗାଯୋଗରେ ରହୁଥିଲେ। ଏକାଧିକ ପୁଲିସ କର୍ମଚାରୀ ମଧ୍ୟ ତାଙ୍କରି ଲିଙ୍କ୍‌ରେ ରହୁଥିଲେ। ଯେଉଁମାନେ ତାଙ୍କ ଜରିଆରେ ଚାକିରି ପାଇଛନ୍ତି; ସେମାନେ ସେମାନଙ୍କ ସମ୍ପର୍କୀୟ, ଚିହ୍ନା ପରିଚିତଙ୍କୁ ଚାକିରି ଖଣ୍ଡେ କରାଇ ଦେବାକୁ ବିରଞ୍ଚିଙ୍କୁ ଯୋଗାଯୋଗ କରୁଥିଲେ। ଏମିତିକି ସେମାନେ ବିରଞ୍ଚିଙ୍କ ଏଜେଣ୍ଟ ଭାବେ କାମ କରୁଥିଲେ। ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରିର ଜଣେ ଚାକିରି ଆଶାୟୀ ଶ୍ରୀନିବାସ ଦଳାଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇ ଏଭଳି ଅଭିଯୋଗ କରିଛନ୍ତି।

ଶ୍ରୀନିବାସଙ୍କ ଗଣମାଧ୍ୟକୁ ଦେଇଥିବା ସୂଚନା ଅନୁସାରେ, ୨୦୧୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ପୁଲିସ ଚାକିରି ପାଇଁ ସେ ଆବେଦନ କରିଥିଲେ। ୨୦୧୪ ମାର୍ଚ୍ଚରେ ପ୍ରିଲିମ୍ ପରୀକ୍ଷା ହୋଇଥିଲା। ଏହା ପରେ ସଂରକ୍ଷଣକୁ ନେଇ ହାଇକୋର୍ଟରେ ମାମଲା ଚାଲିଲା। ମାମଲାର ସମାଧାନ ହେବା ପରେ ୨୦୧୬ ଜାନୁଆରିରେ ଫିଜିକାଲ୍ ପରୀକ୍ଷା ହୋଇଥିଲା। ଫେବ୍ରୁଆରିରେ ମେନ୍ ପରୀକ୍ଷା ହେବା ପରେ ଜୁଲାଇରେ ରେଜଲ୍ଟ ବାହାରିଥିଲା। ଏହାପରେ ଭାଇଭା ଭୋସ୍ ଅନୁଷ୍ଠିତ ହୋଇ ୨୦୧୬ ଡିସେମ୍ବରରେ ଚୂଡ଼ାନ୍ତ ତାଲିକା ବାହାରିଥିଲା। ଏହା ପୂର୍ବରୁ ତାଙ୍କ ଗାଁ ପାଖର ଜଣେ ଚିହ୍ନା ପୁଲିସ କନଷ୍ଟେବଳ ତାଙ୍କୁ ଯୋଗାଯୋଗ କରିବା ସହ ୫ ଲକ୍ଷ ଟଙ୍କା ଦେଲେ ଚାକିରି ହୋଇଯିବ ବୋଲି କହିଥିଲେ ଏବଂ ତାଙ୍କ ସାଙ୍ଗରେ ଭୁବନେଶ୍ବର ଯାଇ ବିରଞ୍ଚି ବାବୁଙ୍କୁ ଭେଟି ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ବିରଞ୍ଚି ବାବୁ କିଏ ବୋଲି ସେତେବେଳେ ସେ ଜାଣିପାରି ନ ଥିଲେ। ଏବେ ବିରଞ୍ଚି ଧରାପଡ଼ିବା ପରେ ଶ୍ରୀନିବାସ ଭିଜିଲାନ୍ସ ନିକଟରେ ଏଭଳି ଅଭିଯୋଗ କରିଛନ୍ତି। ଭିଜିଲାନ୍ସ ତଦନ୍ତ କଲେ ଏ ସବୁର ଗୁମର ଖୋଲିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବିରଞ୍ଚିଙ୍କ ମୋବାଇଲ ଫୋନରୁ ଏକାଧିକ ପୁଲିସ କର୍ମଚାରୀ ଓ ଅଧିକାରୀଙ୍କ ନମ୍ବର ମଧ୍ୟ ମିଳିଛି। ମାତ୍ର ଏହି ରାକେଟ୍‌ରେ ପୁଲିସ କର୍ମଚାରୀମାନେ ସଂପୃକ୍ତ ଅଛନ୍ତି କି ନା, ସେ ନେଇ ଭିଜିଲାନ୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର