ବୀରମିତ୍ରପୁର ପୀଡ଼ିତା ନାବାଳିକାଙ୍କୁ କ୍ଷତିପୂରଣ ମିଳୁ

ଭୁବନେଶ୍ବର: ବୀରମିତ୍ରପୁର ଥାନାରେ ଜଣେ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ ଓ ବଳପୂର୍ବକ ଗର୍ଭପାତ କରିବା ଘଟଣା ରାଜ୍ୟରେ ହଇଚଇ ଖେଳାଇ ଦେଇଥିଲା। ରକ୍ଷକ ହୋଇ ଭକ୍ଷକ ସାଜିବାର ଆଉ ଏକ ଦୃଷ୍ଟାନ୍ତ ସାମନାକୁ ଆସିଥିବା ବେଳେ ପୁଲିସ ବିଭାଗ ମୁଣ୍ଡ ବି ତଳକୁ ନଇଁ ଯାଇଥିଲା। ପୁଲିସ ମହାନିର୍ଦ୍ଦେଶକ ଅଭୟ ସଂପୃକ୍ତ ଆଇଆଇସିଙ୍କୁ ଚାକିରିରୁ ବହିଷ୍କାର କରିବା ସହ ପୀଡ଼ିତାଙ୍କୁ କ୍ଷମା ମାଗିଛନ୍ତି। ଏହି ଘଟଣା ପୁଲିସ ବିଭାଗ ପାଇଁ ଲଜ୍ଜା ବୋଲି ନିଜେ ଡିଜି ସ୍ବୀକାର କରିଛନ୍ତି। ଘଟଣାର ତଦନ୍ତ ଦାୟିତ୍ବ କ୍ରାଇମ ବ୍ରାଞ୍ଚକୁ ଦିଆଯାଇଥିବା ବେ‌ଳେ ବହିଷ୍କାର ହେବାର ୮ଘଣ୍ଟା ମଧ୍ୟରେ ବୀରମିତ୍ରପୁର ଥାନାର ନିଲମ୍ବିତ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ଗିରଫ ହୋଇଛନ୍ତି। ଏହି ଘଟଣାରେ ଅଭିଯୁକ୍ତ ଅନ୍ୟମାନେ ଫେରାର ଅଛନ୍ତି। କିନ୍ତୁ ପୀଡ଼ିତାଙ୍କ ଭବିଷ୍ୟତ କ’ଣ ହେବ, ସେ ନେଇ ପ୍ରଶାସନିକସ୍ତରରେ ଠୋସ୍ ପଦକ୍ଷେପ ନିଆଯାଇ ନାହିଁ। ଏପରିକି ପୀଡ଼ିତାଙ୍କୁ କ୍ଷତିପୂରଣ ମିଳିବା ସମ୍ପର୍କରେ ମଧ୍ୟ ପ୍ରଶାସନ ଏ ଯା‌ଏ ଚୁପ୍ ଅଛି।

ପୀଡ଼ିତାଙ୍କୁ ନ୍ୟାୟ ମିଳୁ, ବଞ୍ଚିବାର ରାହା ଆମେ ଶିଖାଇଦେବୁ
ବୀରମିତ୍ରପୁରରେ ନାବାଳିକାଙ୍କ ଦୁଷ୍କର୍ମ ମାମଲା ପୋକ୍‌ସୋ ଅଧିନିୟମ ଅଧୀନରେ ଆସୁଛି। ଏଥିରେ ତ୍ବରିତ ନ୍ୟାୟର ବ୍ୟବସ୍ଥା କରାଯାଇଛି। କିନ୍ତୁ ଏବେ କରୋନା ମହାମାରୀ ସମୟରେ ସ୍ବତନ୍ତ୍ର କୋର୍ଟ ବସି ଶୁଣାଣି କେତେ ଦୂର ସମ୍ଭବ ସେ କଥା ଜଣାନାହିଁ। ଅନ୍ୟପଟେ ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲା, ଆଇନର କେତେ ଗଳାବାଟ ଅଛି ତାହା ସ୍ପଷ୍ଟ କରିଦେଇଛି। ଏଣୁ ପୁଲିସ ଫାଇଲ୍‌ କରିଥିବା ଚାର୍ଜସିଟ୍‌ଠାରୁ ଆରମ୍ଭ କରି ସମସ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନରେ ଯେପରି କିଛି ବି ଫାଙ୍କା କିମ୍ବା ଭୁଲ ନ ରୁହେ, ସେ ନେଇ ନିଶ୍ଚିତ ହେବା ଉଚିତ। ଆମେ ସ୍ବେଚ୍ଛାସେବୀ ସଂଗଠନମାନେ ତ’ ପୀଡ଼ିତାଙ୍କୁ କାଉନ୍‌ସେଲିଂ କରିପାରିବୁ, ତାଙ୍କୁ ସାନ୍ତ୍ବନା ଦେଇ ଆଗକୁ ବଢ଼ିବାର ପ୍ରେରଣା ଦେଇପାରିବୁ। ନୂଆ ଜୀବନଟିଏ ବଞ୍ଚିବା ପାଇଁ ରାସ୍ତା ଦେଖାଇପାରିବୁ। କିନ୍ତୁ ପୀଡ଼ିତାଙ୍କୁ ନ୍ୟାୟ କେବଳ ନ୍ୟାୟବ୍ୟବସ୍ଥା ଓ ସରକାର ଦେଇପାରିବେ। ‌ଯେଉଁ ନ୍ୟାୟ କି ପୀଡ଼ିତାଙ୍କୁ ଜୀବନ ପ୍ରତି ସରକାରତ୍ମକ କରିପାରିବେ। ହଜିଥିବା ବିଶ୍ବାସକୁ ତାଙ୍କର ଫେରାଇ ପାରିବ।

ଋତୁପର୍ଣ୍ଣା ମହାନ୍ତି, ସାମାଜିକ କର୍ମୀ

ଦୋଷୀଙ୍କୁ ଦଣ୍ଡ ଓ ପୀଡ଼ିତାଙ୍କୁ ନ୍ୟାୟ ସହ କ୍ଷତିପୂରଣ ମିଳିବାକୁ ସରକାର ନିଶ୍ଚିନ୍ତ କରନ୍ତୁ
ପ୍ରଥମେ ମୁଁ ପୁଲିସ ଡିଜି ଅଭୟଙ୍କ ଅଭିବାଦନ ଜଣାଇବାକୁ ଚାହିଁବି ଯେ ସେ ନିଜ ବିଭାଗର କର୍ମଚାରୀଙ୍କ ପାଇଁ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଥିସହ ଏହି ଘଟଣାରେ କେବଳ ସେ ଆଇଆଇସି ନୁହନ୍ତି, ସେ ଥାନାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଏ ସବୁ କଥା ଜାଣିଥିଲେ ଓ ଆଇଆଇସିଙ୍କୁ ସାହାଯ୍ୟ ବି କରିଥିଲେ। ‌ଘଟଣା ସମୟରେ ଥାନାରେ ଥିବା ପ୍ରତିଟି କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଏଥିସହ ପ୍ରଶାସନ ପୀଡ଼ିତାଙ୍କୁ ମାନସିକ ଭାବେ ଭାଙ୍ଗିପଡ଼ିବାରୁ ଦୂରେଇ ରଖନ୍ତୁ, ନଚେତ ପୀଡ଼ିତା ଦୁର୍ବଳ ମନା ହୋଇ ଆତ୍ମହତ୍ୟା କରିବାର ବି ଆଶଙ୍କା ରହିଛି। ଏସବୁ ଭିତରେ ପୀଡ଼ିତାଙ୍କ ଭବିଷ୍ୟତ ପାଇଁ ବି ଆମକୁ ଚିନ୍ତା କରିବାକୁ ପଡ଼ିବ। ଦୁଷ୍କର୍ମ ପୀଡ଼ିତାମାନଙ୍କ କ୍ଷତିପୂରଣ ପାଇଁ ନ୍ୟାୟପ୍ରାଧୀକରଣ ଅନୁସାରେ ଡିଷ୍ଟ୍ରିକ୍ଟ ଲିଗାଲ୍‌ ସର୍ଭିସ ଅଥରିଟିରେ ଏ ନେଇ ଯୋଜନା ରହିଛି। ପୁଣି ଏହା ପୋକ୍‌ସୋ ଅଧିନିୟମ ଅଧୀନରେ ଯାଉଥିବାରୁ, ଏହି ଅଧିନିୟମ ଅନୁସାରେ ଯାହା ସବୁ କ୍ଷତିପୂରଣ ବ୍ୟବସ୍ଥା ରହିଛି ତାହା ସବୁ ପୀଡ଼ିତା ପାଇଯିବେ।

ନମ୍ରତା ଚଢ଼ା, ସମାଜସେବୀ

ନ୍ୟାୟ ସହ ପୀଡ଼ିତାଙ୍କୁ କ୍ଷତିପୂରଣ ମିଳିବା ଆବଶ୍ୟକ
ପୀଡ଼ିତା ଜଣକ ଏବେ ସିଡବ୍ଲ୍ୟୁସି ଅଧୀନରେ ରହିଛନ୍ତି। ସେଠାରେ ତାଙ୍କର ଲଗାତାର କାଉନ୍‌ସେଲିଂ ହେବା ସହ ତାଙ୍କ ମାନସିକ ଅବସ୍ଥାକୁ ସୁଧାରିବାର ଉଦ୍ୟମ କରାଯାଉଛି। ଏବେ ପୀଡ଼ିତାଙ୍କୁ ଯୋଜନା ଅନୁଯାୟୀ କ୍ଷତିପୂରଣ ମିଳିଯିବ। ପ୍ରତ୍ୟେକ ଜିଲ୍ଲାରେ ପୀଡ଼ିତା କ୍ଷତିପୂରଣ କମିଟି ରହିଛି। ଜିଲ୍ଲାପାଳ ଓ ଏସ୍‌ପି ହେଉଛନ୍ତି ଏହି କମିଟିର ସଦସ୍ୟ। ବିଭିନ୍ନ ମାମଲାକୁ ଅନୁଧ୍ୟାନ କରି ଏହି କମିଟି କ୍ଷତିପୂରଣ ରାଶି ଠିକ୍‌ କରନ୍ତି। ୭ ଲକ୍ଷ ପର୍ଯ୍ୟନ୍ତ ଏଥିରେ କ୍ଷତିପୂରଣ ମଧ୍ୟ ମିଳେ। ଏହି କ୍ଷତିପୂରଣ ମଧ୍ୟରେ ପୀଡ଼ିତାଙ୍କ ଚିକିତ୍ସା, ସେମାନଙ୍କ ଥଇଥାନ, ସ୍ବାସ୍ଥ୍ୟ, ଶିକ୍ଷା ଆଦି ମଧ୍ୟ ଯୋଗାଇ ଦିଆଯାଏ। ୧୮ ବର୍ଷ ବୟସରୁ ଅଧିକ ହେଲେ ସେମାନଙ୍କୁ ସ୍ବ‌ାବଲମ୍ବୀ କରିବାକୁ ମଧ୍ୟ ବହୁ ଧନ୍ଦାମୂଳକ ପ୍ରଶିକ୍ଷଣ ଦିଆଯାଏ। ନ୍ୟାୟ ବ୍ୟବସ୍ଥା ତ’ ନ୍ୟାୟ ଦେବ। ଏହି ପ୍ରକ୍ରିୟା ବହୁ ଲମ୍ବା। କିନ୍ତୁ ସଙ୍ଗେସଙ୍ଗେ ପୀଡ଼ିତାଙ୍କ ଥଇଥାନ କରାଯିବା ସହ ସଠିକ୍‌ କ୍ଷତିପୂରଣ ଦିଆଯିବା ନେଇ ତତ୍ପରତା ଦେଖାଇବା ଉଚିତ।
ଅନୁରାଧା ମହାନ୍ତି, ସମାଜସେବୀ

ସମ୍ବନ୍ଧିତ ଖବର