ଏବିଭିପି ପକ୍ଷରୁ ବିର୍ସା ମୁଣ୍ଡା ଜୟନ୍ତୀ: ‘ବିର୍ସା ମୁଣ୍ଡା ଏ ଜାତିର ଗୌରବ’

ଜନଜାତି ସମାଜ ସ୍ବାଭିମାନ ସହ ବଞ୍ଚିବା ଶିଖିଛି20

ଭୁବନେଶ୍ୱର: ବିର୍ସା ମୁଣ୍ଡା ଥିଲେ ଏ ଜାତିର ଗୌରବ। ଭାରତର ସୁଯୋଗ୍ୟ ସନ୍ତାନ। ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଏହା କହିଛନ୍ତି ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ। ମହାନ୍ ଆଦିବାସୀ ନେତା ତଥା ବିପ୍ଳବୀ ବିର୍ସା ମୁଣ୍ଡା ନିଜ ଜୀବନକୁ ବାଜି ଲଗାଇ ବ୍ରିଟିଶ ସରକାର କବଳରୁ ଭାରତ ମାଟିକୁ ମୁକ୍ତ କରିବା ପାଇଁ ବିଦ୍ରୋହ କରିଥିଲେ। ତେଣୁ ସେ ଆଦିବାସୀମାନଙ୍କର ଭଗବାନ ବିର୍ସା ଭାବରେ ପରିଚିତ ଥିଲେ। ତାଙ୍କର ଏହି ଜନ୍ମଦିନକୁ କେନ୍ଦ୍ର ସରକାର ‘ଆଦିବାସୀ ଗୌରବ ଦିବସ’ ଭାବରେ ପାଳନ କରୁଥିବାରୁ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ମହାସଂଘ ପକ୍ଷରୁ ପ୍ରଫେସର ଗାୟନ ସାମଲ, ସ୍ତମ୍ଭକାର ବିଭୂତି ଭୂଷଣ ସ୍ୱାଇଁ, ଭୀମସେନ ବିଶ୍ୱାଳ, କେଦାର ଦାସ, ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ରାଜକିଶୋର ବେହେରା ମଧ୍ୟ କେନ୍ଦ୍ର ସରକାରଙ୍କୁ ଅଭିନ୍ଦନ ଜଣାଇଛନ୍ତି। ଆଜି ତାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ତାଙ୍କ ଆଦର୍ଶ ଆଗାମୀ ପିଢି ପାଇଁ ଏକ ବାର୍ତ୍ତା ପ୍ରଦାନ କରିବ ବୋଲି ଅତିଥିମାନେ କହିଥିଲେ। ଜୟନ୍ତୀ କାର୍ଯ୍ୟକ୍ରମରେ ବିର୍ସାମୁଣ୍ଡା ଛାତ୍ର ସଂଗଠନର ସମ୍ପାଦକ ବିଶ୍ବଜିତ୍ ସିଂ, ସୁନୀଲ୍ ସିଂ, ଜିତେନ୍ଦ୍ର ମାନସିଂହ ପ୍ରମୁଖ ଯୋଗଦେଇ ତାଙ୍କ ସ୍ମୃତିଚାରଣ କରିଥିଲେ।

ଭୁବନେଶ୍ବର: ବିର୍ସା ମୁଣ୍ଡା ଜୟନ୍ତୀ ତଥା ଜନଜାତି ଗୌରବ ଦିବସ ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଲୋୟର ପିଏମଜି ଠାରେ ଏକ ପଥପ୍ରାନ୍ତ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏବିଭିପି ପକ୍ଷରୁ ଆଜି ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ୪୦୦ରୁ ଅଧିକ ଛାତ୍ରଛାତ୍ରୀ ହାତରେ ଧନୁ ତୀର ଧରି ରାମମନ୍ଦିର ଛକଠାରୁ ଏକ ଶୋଭାଯାତ୍ରା ଆସି ଲୋୟର ପିଏମଜି ଠାରେ ପହଞ୍ଚିଥିଲେ। ସେଠାରେ ବାଜା ବଜାଇ ଜନଜାତି ମାନଙ୍କର ଲୋକନୃତ୍ୟ ପରିବେଷଣ କରିଥିଲେ।
ଜନଜାତି ସମାଜ ସବୁବେଳେ ନିଜର ସ୍ବାଭିମାନ ସହ ବଞ୍ଚିବା ଶିଖିଛି, କିନ୍ତୁ ଏହାର ପରମ୍ପରା ଓ ସଂସ୍କୃତିକୁ ଯେତେବେଳେ ନଷ୍ଟ କରିବାକୁ ପ୍ରୟାସ ଆରମ୍ଭ ହୋଇଛି ସେତେବେଳେ ବିର୍ସା ମୁଣ୍ଡାଙ୍କ ପରି ଜନନାୟକ ମାନେ ଜନ୍ମଗ୍ରହଣ କରି ସମାଜର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଖିଳ ଭାରତୀୟ ଜନଜାତିର କାର୍ଯ୍ୟ ପ୍ରମୁଖ ଗୋବିନ୍ଦ ନାୟକ କହିଛନ୍ତି। ବିର୍ସା ମୁଣ୍ଡା ଧର୍ମ, ସଂସ୍କୃତି ଓ ଦେଶର ରକ୍ଷା ପାଇଁ ନିଜକୁ ସମର୍ପିତ କରି ଆମ ପାଇଁ ପ୍ରେରଣା ହୋଇପାରିଛନ୍ତି ବୋଲି ଏବିଭିପି ରାଜ୍ୟ ସଂପାଦକ ସୌଭାଗ୍ୟ ମହାନ୍ତି କହିଛନ୍ତି। ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା କବିତା କହଁର ଯୋଗ ଦେଇ କହିଛନ୍ତି, ଆମ ଗାଁ, ମାଟି ଓ ପରିବେଶର ସୁରକ୍ଷା ପାଇଁ ଜନଜାତି ସମାଜ ସବୁବେଳେ ସମର୍ପିତ ଆଉ ଏ ସମାଜର ପ୍ରତୀକ ସୂରୂପ ହେଉଛନ୍ତି ବିର୍ସା ମୁଣ୍ଡା। କାର୍ଯ୍ୟକ୍ରମରେ ଏବିଭିପିର ରାଜ୍ୟ ସହ ସଂପାଦକ ଗୋପୀନାଥ ଟୁଡ଼ୁ, ରାଜ୍ୟ ଜନଜାତି କାର୍ଯ୍ୟ ସହ ସଂଯୋଜକ ଦେବରାଜ ମାଝି ଓ ଏବିଭିପିର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର