ସାହସ ଓ ଉତ୍ସାହର ପ୍ରତୀକ ଥିଲେ ବିର୍ସା ମୁଣ୍ଡା

ରାଜ୍ୟସ୍ତରୀୟ ଜୟନ୍ତୀ‌ରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଇଂରେଜ ଶାସନ, କୁ-ସଂସ୍କାର, ଅନ୍ଧବିଶ୍ବାସ ଓ କ୍ରୀତଦାସ ପ୍ରଥା ବିରୋଧରେ ଜଣେ ଯୋଦ୍ଧା ଭାବେ ଅଦମ୍ୟ ସାହସ ଓ ପ୍ରଶଂସନୀୟ ଉତ୍ସାହର ମୂର୍ତ୍ତିମନ୍ତ ପ୍ରତୀକ ହେଉଛନ୍ତି ବିର୍ସା ମୁଣ୍ଡା। ମହାମାରୀ ସମୟରେ ସେ ନିଜ ଜୀବନକୁ ଭ୍ରୂକ୍ଷେପ ନକରି ଗରିବ ଜନଜାତିଙ୍କ ସେବା କରିବା ସହ ଅନ୍ଧବିଶ୍ବାସ ଓ କୁସଂସ୍କାର ବିଷୟରେ ସଚେତନ କରୁଥିଲେ। ଜନଜାତିଙ୍କ ବିଶ୍ବାସ ଥିଲା, ବିର୍ସା ପାଖକୁ ଆସିଲେ ରୋଗ ଭଲ ହୋଇଯିବ। ତେଣୁ ଜନଜାତି ସଂପ୍ରଦାୟ ତାଙ୍କୁ ଧରତୀ ଆବା ବା ବିର୍ସା ଭଗବାନ ବୋଲି ମାନୁଥିଲେ। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ସହିଦ ବିର୍ସା ମୁଣ୍ଡା ରାଜ୍ୟସ୍ତରୀୟ ଜୟନ୍ତୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ଏପରି ମତ ରଖିଛନ୍ତି।

ମୁଖ୍ୟବକ୍ତା ଏସ୍‌ସିଏସ୍‌ଟିଆରଟିଆଇ ପୂର୍ବତନ ନିର୍ଦ୍ଦେଶକ ଅଖିଳ ବିହାରୀ ଓତା କହିଲେ, ବିର୍ସା ମୁଣ୍ଡା ଆଜି ବି ପ୍ରତ୍ୟେକ ଜନଜାତିଙ୍କ ହୃଦୟରେ ଏକ ସ୍ବତନ୍ତ୍ର ଓ ସମ୍ମାନସ୍ପଦ ସ୍ଥାନ ଅଧିକାର କରି ରହିଛନ୍ତି। ବିର୍ସାଙ୍କ ସ୍ବାଧୀନଚେତା, ନିର୍ଭୀକତା, ସ୍ବାଭିମାନ ଓ ନିଜ ପରିଚୟକୁ ନେଇ କରିବାର ସୁଗୁଣଗୁଡ଼ିକକୁ ଆଜିର ପିଢ଼ି କରାଗ୍ରତ କରି ନିଜ ଜୀବନରେ ଲଗାଇ ପାରିଲେ ସମାଜର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଜନଜାତି ନୃତ୍ୟ ପରିବେଷଣ କରିଥିଲେ। ସେହିପରି ତରଙ୍ଗ ଅନୁଷ୍ଠାନ ପକ୍ଷରୁ ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା ସ୍ବାଗତ ଭାଷଣ ଦେଇଥିବା ବେଳେ କ୍ଷେତ୍ର ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଦେଇଥିଲେ। ସୁଶ୍ରୀ ନିବେଦିତା ମଞ୍ଚ ପରିଚାଳନା କରିଥିଲେ।

ସେହିପରି ସକାଳେ ବିଭାଗ ପକ୍ଷରୁ ମୈତ୍ରୀବିହାରସ୍ଥିତ ସହିଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ମନ୍ତ୍ରୀ ଶ୍ରୀ ସାରକା, ବିଭାଗୀୟ ବୈଷୟିକ ନିର୍ଦ୍ଦେଶକ ଶ୍ରୀ ପରିଡ଼ା, କ୍ଷେତ୍ର ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶନୀ, ସ୍ଥାନୀୟ କର୍ପୋରେଟର୍‌ ଭାରତୀ ସିଂ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପଠାଣି ରାଉତ, ସୂଚନା ଅଧିକାରୀ ସୁଜିତ୍ ସ୍ବାଇଁ, ପ୍ରମୋଦିନୀ ଟେଟେ, ସୌରଭ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର