ଭୁବନେଶ୍ବର: କଳାକାରର କୌଣସି ଧର୍ମ ନଥାଏ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇ ସିକନ୍ଦର ଆଲମ୍‌ ଘରେ ଘରେ ପରିଚିତ ହୋଇପାରିଥିଲେ। ସମସ୍ତ ପ୍ରକାର ସଙ୍ଗୀତ ଗାୟନରେ ତାଙ୍କର ନିପୁଣତା ଥିଲା। ସେ ଥିଲେ ଆଧୁନିକ ଯୁଗର ସାଲବେଗ। ସମଗ୍ର ବିଶ୍ବ ତାଙ୍କ ଭଳି ବ୍ୟକ୍ତିତ୍ବ ପାଇଁ ଗର୍ବିତ ହେବା ଉଚିତ ବୋଲି ୮୬ତମ ସିକନ୍ଦର ଆଲମ ଜୟନ୍ତୀ ସମାରୋହରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ଏହା କହିଛନ୍ତି।

Advertisment

ମହମ୍ମଦ ସିକନ୍ଦର ଆଲମ୍‌ ଫାଉଣ୍ଡେସନ୍‌ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଫେସର୍‌ ଶାନ୍ତନୁ ଆଚାର୍ଯ୍ୟ କହିଲେ, ୧୯୫୦ ମସିହା ସମୟରେ ମଞ୍ଚରେ ଓଡ଼ିଆ ସଙ୍ଗୀତ ପରିବେଷଣ ଲାଗି ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହି ସମୟରେ ସିକନ୍ଦର ଆଲମ୍‌ଙ୍କ ଆବିର୍ଭାବ ଓଡ଼ିଆ ସଙ୍ଗୀତ ଜଗତକୁ ଏକ ଉଚ୍ଚତ୍ତର ସୋପାନକୁ ନେଇଥିଲା।
ବିଶି‌ଷ୍ଟ ଅତିଥି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଆମ ସମସ୍ତଙ୍କର ପରିଚୟ ଶ୍ରୀଜଗନ୍ନାଥ। ସେହି ଜଗନ୍ନାଥଙ୍କ ଭଜନ ଗାଇ ଘରେ ଘରେ ପରିଚିତ ହୋଇଛନ୍ତି ସିକନ୍ଦର ଆଲମ୍‌। ଯଦି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଲ୍ୟବୋଧ ‌ଓଡ଼ିଆ ଅସ୍ମିତାର ସର୍ ବୋତ୍କୃଷ୍ଟ ପ୍ରମାଣ, ତେବେ ସିକନ୍ଦର ଆଲମ୍‌ ହେଉଛନ୍ତି ‘ଅସ୍ମିତା ପୁରୁଷ’। ତାଙ୍କ ଆଦର୍ଶ ସଭିଙ୍କୁ ଅନୁପ୍ରାଣିତ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ବରେଣ୍ୟ ଅତିଥି ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ କହିଲେ, ଜଣେ କଳାକାର ନିଜେ ଜାଣେ ତାକୁ କିଭଳି ବଞ୍ଚି ରହିବାକୁ ହେବ। ଏଥିପାଇଁ ପରିବାରକୁ ପଛ କରି କଳାକୁ ଆଦରି ନିଏ। ସିକନ୍ଦର ଆଲମ୍‌ ସଙ୍ଗୀତ ପ୍ରତି ପୂର୍ଣ୍ଣ ରୂପେ ସମର୍ପିତ ଥିଲେ ବୋଲି ଶ୍ରୀ ନନ୍ଦ କହିଥିଲେ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଲେ, ବର୍ତ୍ତମାନ ସମୟରେ ଜାତିଜାତି ମଧ୍ୟରେ ବିଦ୍ବେଷ ଘଟୁଛି। ସୁସ୍ଥ ସମାଜ ପାଇଁ ଭାଇଚାରାର ଆବଶ୍ୟକତା ରହିଛି। ସିକନ୍ଦର ଆଲମ୍‌ ଏହି ଭାଇଚାରାର ପ୍ରତୀକ ଥିଲେ। ପୂର୍ବତନ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ନଇମା ଆଲମ୍‌ ଓ ନାଜିଆ ଆଲମ୍‌ ମଞ୍ଚାସୀନ ଥିଲେ।

ଏହି ପରିପ୍ରେକ୍ଷୀରେ ସଙ୍ଗୀତକାର ଲକ୍ଷ୍ମୀକାନ୍ତ ପାଲିତଙ୍କୁ ସିକନ୍ଦର ଆଲମ୍‌ ସ୍ମାରକୀ ସମ୍ମାନ-୨୦୨୫ ପ୍ରଦାନ କରାଯାଇଥିଲା। ବାଦ୍ୟଶିଳ୍ପୀ ବସନ୍ତ କୁମାର ତିଆଡ଼ିଙ୍କୁ ସିକନ୍ଦର ଆଲମ୍‌ ବାଦ୍ୟରତ୍ନ ସମ୍ମାନ-୨୦୨୫ରେ ସମ୍ମାନିତ କରାଯାଇଥିଲା। ଏଥିସହ ସିକନ୍ଦର ଆଲମ୍‌ଙ୍କ ଜୀବନୀ ଉପରେ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ସଙ୍ଗୀତ ସମାରୋହରେ ଦେବାଶିଷ, ନାଜିଆ, ମହାପ୍ରସାଦ, ବନ୍ଦୀଶ, ରଣଦୀପ, ଆଦ୍ୟାଶା, ୟସ୍‌ ପ୍ରମୁଖ ସିକନ୍ଦର ଆଲମ୍‌ଙ୍କ ଲୋକପ୍ରିୟ ସଙ୍ଗୀତ ଗାନ କରିଥିଲେ। ସୋଫିଆ ଆଲମ୍‌ କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ।