ସ୍ବାସ୍ଥ୍ୟ ବିଭାଗ-ଏମ୍‌ସ ବିବାଦ! ଡୁମୁଡୁମା ୟୁପିଏଚ୍‌ସିକୁ ଉଠିଗଲା ଜନ୍ମ, ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ

ଭୁବନେଶ୍ବର : ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ଭୁବନେଶ୍ବର ଏମ୍‌ସ ମଧ୍ୟରେ ବିବାଦ ପାଇଁ ବଳି ପଡ଼ିଛି ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ। ଅଳ୍ପ ଦିନ ପାଇଁ ଏମ୍‌ସ ପରିସରରେ ଜନ୍ମ/ମୃତ୍ୟୁ କାର୍ଯ୍ୟାଳୟ କାର୍ଯ୍ୟ କରିଥିବା ବେଳେ ଏବେ ତାହାକୁ ଡୁମୁଡୁମା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ୟୁପିଏଚ୍‌ସି)କୁ ଉଠାଇ ନିଆଯାଇଛି। ଯଦିଓ ଏହା ଏମ୍‌ସ ନାଁରେ ରହିବ, ହେଲେ ଏମ୍‌ସ ନିୟନ୍ତ୍ରଣରେ ରହିବ ନାହିଁ।

୨୦୧୯ ମସିହା ଅନୁଯାୟୀ, ରାଜ୍ୟରେ ପ୍ରତି ୧ହଜାର ଜନସଂଖ୍ୟାରେ ୧୪.୩୨ ପ୍ରତିଶତ ଜନ୍ମହାର ଥିବା ବେଳେ ମୃତ୍ୟୁ ହାର ୭.୩୯ ରହିଛି। ରାଜ୍ୟରେ ଜନ୍ମର ୭୮ ପ୍ରତିଶତ ରିପୋର୍ଟିଂ ହୋଇପାରୁଥିବା ବେଳେ ମୃତ୍ୟୁର ୯୯.୯ ପ୍ରତିଶତ ରିପୋର୍ଟିଂ ହେଉଛି। ୨୦୧୧ ଜନଗଣନା ଅନୁସାରେ, ରାଜଧାନୀରେ ଏବେ ୧୦ ଲକ୍ଷରୁ ଅଧିକ ଲୋକ ରହୁଛନ୍ତି। ଏହାସହ କିଛି ବର୍ଷ ଭିତରେ ଘରୋଇ ଡାକ୍ତରଖାନା ବହୁସଂଖ୍ୟାରେ ବୃଦ୍ଧି ପାଇଛି। ଭୁବନେଶ୍ବରରେ ଥିବା ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟରେ ମାସକୁ ପ୍ରାୟ ୩ ହଜାର ଜନ୍ମ ଓ ୧୫ଶହରୁ ଅଧିକ ମୃତ୍ୟୁର ପଞ୍ଜୀକରଣ କରାଯାଉଛି। ଗୋଟିଏ କାର୍ଯ୍ୟାଳୟରେ ଏଥିପାଇଁ ଯଥେଷ୍ଟ ଚାପ ପଡ଼ୁଛି। ଏହି ଚାପକୁ ହଟାଇବା ଲାଗି ଆଉ ୨ଟି କାର୍ଯ୍ୟାଳୟ ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା। ଗୋଟିଏ କ୍ୟାପିଟାଲ ହସ୍ପିଟାଲରେ ଓ ଅନ୍ୟଟି ଏମ୍‌ସରେ। କ୍ୟାପିଟାଲ ହସ୍ପିଟାଲରେ ଏହି କାର୍ଯ୍ୟାଳୟ ଠିକ୍‌ରେ ଚାଲିଥିବା ବେଳେ ଏମ୍‌ସରେ ଏହାକୁ ନେଇ ବିବାଦ ଦେଖା ଦେଇଥିଲା।

ସ୍ବାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି, ‌ଏମ୍‌ସରେ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ ପାଇଁ ଏମ୍‌ସ ସହ ଏକ ଚୁକ୍ତି ହୋଇଥିଲା। ଏଥିରେ ଏମ୍‌ସ ପକ୍ଷରୁ କମ୍ପ୍ୟୁଟର, ମାନବ ସମ୍ବଳ, ବିଦ୍ୟୁତ୍‌, ଗୃହ ଇତ୍ୟାଦି ଯୋଗାଇଦେବା ଲାଗି କୁହାଯାଇଥିଲା। ମାତ୍ର ସେଭଳି କିଛି କରାଗଲା ନାହିଁ। ଯେଉଁଭଳି ଢଙ୍ଗରେ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟର ପରିଚାଳନା କରାଯିବା କଥା, ହୋଇପାରିଲା ନାହିଁ। ବିଳମ୍ବରେ ଆବେଦନ କରୁଥିବା ବ୍ୟକ୍ତିଙ୍କ ଜରିମାନା ଚାଲାଣ ଟଙ୍କା ବିଭାଗକୁ ଦିଆ ନ ଯିବା ସହ ପଞ୍ଜୀକରଣ କାଗଜପତ୍ର ମଧ୍ୟ ଠିକ୍‌ରେ ଦିଆଗଲା ନାହିଁ। ତେଣୁ ଏପ୍ରିଲ ମାସରୁ ବାଧ୍ୟ ହୋଇ ଏହାକୁ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷରେ ଏମ୍‌ସ ଅଧିକାରୀଙ୍କ ମତରେ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟକ୍ଷମ ହୋଇଥିବା ଜନ୍ମ/ମୃତ୍ୟୁ କାର୍ଯ୍ୟାଳୟରେ କର୍ମଚାରୀ ବ୍ୟାପକ ଅବହେଳା କରିଥିଲେ। ଠିକ୍ ସମୟରେ କାର୍ଯ୍ୟରେ ଯୋଗ ଦେଇ ନଥିବାରୁ କାମରେ ସମସ୍ୟା ଉପୁଜିଥିଲା। ବିଭାଗକୁ ଏହାର ସମାଧାନ କରିବା ଲାଗି କୁହାଯାଇଥିଲେ ବି କୌଣସି ପଦକ୍ଷେପ ନିଆଗଲା ନାହିଁ।

ସମ୍ବନ୍ଧିତ ଖବର