ରାଜଧାନୀରେ ନୂଆ ଟ୍ରେଣ୍ଡ: ରାଜରାସ୍ତାରେ ବାର୍ଥଡେ’ ମସ୍ତି

ପାଣି ପୂରାଇଲା ପୁଲିସ ଚଢ଼ଉ, ୧୨ ବାଇକ୍‌ ଜବତ

ଭୁବନେଶ୍ବର : ଏବେ ରାଜଧାନୀରେ ଦେଖିବାକୁ ମିଳିଛି ନୂଆ ଟ୍ରେଣ୍ଡ। ବିଳମ୍ବିତ ରାତିରେ ରାଜଧାନୀର ନିଛାଟିଆ ରାସ୍ତାରେ ପାଳନ ହେଉଛି ବାର୍ଥଡେ’। ନୂଆ ପ୍ରକାର ପାର୍ଟି ଓ ମସ୍ତି। ହୋଟେଲ କି ଗେଷ୍ଟ୍‌ ହାଉସ୍‌ରେ ଜନ୍ମଦିନ ପାଳନ ମଜା ପୁରୁଣା ହୋଇଯାଇଥିବାରୁ ଯୁବପିଢ଼ି ଏମିତି ଏକ ବିଚିତ୍ର ମଜାକୁ ଆପଣାଉଥିବା ଦେଖିବାକୁ ମିଳିଛି। ଗତକାଲି ଖଣ୍ଡଗିରି ଥାନା ଅଞ୍ଚଳରେ ଏମିତି ଏକ ଜନ୍ମଦିନ ପାଳନ ଆଜି ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଠିକଣା ସମୟରେ ପୁଲିସ ଚଢ଼ଉ ଯୁବକମାନଙ୍କ ମଜାମସ୍ତିରେ ପାଣି ପୂରାଇ ଦେଇଥିଲା। ଯୁବକମାନେ ବାଇକ୍‌ ଛାଡ଼ି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ସେଠାରୁ ୧୨ଟି ବାଇକ୍‌ ଜବତ କରିଛି।

ସୂଚନାନୁସାରେ, ପ୍ରାୟ ୩୦ରୁ ଅଧିକ ଯୁବକ ୧୨ଟି ବାଇକ୍‌ରେ ସେଠାରେ ପହଞ୍ଚିଥିଲେ। ବିଳମ୍ବିତ ରାତି ହୋଇଥିବାରୁ ରାଜଧାନୀର ରାଜରାସ୍ତା ପାଲଟି ଯାଇଥିଲା ନିଛାଟିଆ। କିନ୍ତୁ ଡେଲ୍‌ଟା ଛକର ପରିବେଶ ଥିଲା ଓଲଟା। ଯୁବକମାନଙ୍କ ହୋ-ହଲ୍ଲାରେ ରାତିର ନିରବତା ଭାଙ୍ଗି ଯାଇଥିଲା। ସଟ୍‌ ବାଣର ଶବ୍ଦ କାନ ଫଟାଇ ଦେଉଥିଲା। ବାଇକ୍‌ ସିଟ୍‌ରେ ରଖାଯାଇଥିଲା କେକ୍। କେକ୍ ଉପରେ ଜଳୁଥିଲା ମହମବତି। କିଛି ବନ୍ଧୁ ମଦ ନିଶାରେ ଚୁର୍‌ ହୋଇ ସାରିଥିବାରୁ ପ୍ରବଳ ପାଟିତୁଣ୍ଡ ଆରମ୍ଭ କରିଦେଇଥିଲେ।

ବଡ଼ କଥା ହେଉଛି ଏବେ ରାଜଧାନୀରେ ନାଇଟ୍‌ କର୍ଫ୍ୟୁ ଚାଲିଥିବା ସତ୍ତ୍ବେ ଯୁବକମାନଙ୍କ ଖାତିର ନଥିଲା। କେକ୍ ଉପରେ ଥିବା ମହମବତି ଲିଭିବାକୁ ଆଉ କିଛି ମିନିଟ୍‌ ବାକି ଥିଲା। ଅଚାନକ ପୁଲିସ ଭ୍ୟାନ୍‌ର ସାଇରନ୍‌ ଯୁବକମାନଙ୍କ ମଦ ନିଶା ଛଡ଼ାଇ ଦେଇଥିଲା। କୌଣସି ସୂତ୍ରରୁ ଖବର ପାଇ ନିଜେ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ପୁଲିସ ବଳ ସହ ସେଠାରେ ପହଞ୍ଚି ଯାଇଥିଲେ। ମାତ୍ର ପୁଲିସ ଠିକ୍‌ ସେଠାରେ ପହଞ୍ଚିବା ପୂର୍ବରୁ ଯୁବକମାନେ ବାଇକ୍‌ ସବୁ ଛାଡ଼ି ଦୌଡ଼ିଥିଲେ। ପାଇକନଗର ଗଳିରେ ଅନ୍ଧାର ଭିତରେ ପଡ଼ିଉଠି ଧାଇଁଥିଲେ। ତେଣୁ ପୁଲିସ କାହାକୁ ଜଣକୁ ବି ପାଇନଥିଲା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ସେଠାରେ ପହଞ୍ଚିଥିଲା। ବାଇକ୍‌ଗୁଡ଼ିକ ଜବତ କରି ଥାନାକୁ ନେଇଥିଲା। ପୁଲିସ ସୂଚନାନୁସାରେ ବାଇକ୍‌ ମାଲିକମାନଙ୍କ ପରିଚୟ ଖୋଜି ସେମାନଙ୍କୁ ନୋଟିସ୍ କରାଯାଇଛି। ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର