ଚନ୍ଦ୍ରଶେଖରପୁର: ବିଏମ୍‌ସିର ୫ ନମ୍ବର ୱାର୍ଡସ୍ଥିତ ବିଷ୍ଣୁବିହାର ରାସ୍ତା ଏବେ ମରଣଯନ୍ତା ପାଲଟିଛି। ୱାଟ୍‌କୋ ଓ ‌ସ୍ବରେଜ୍‌ ବୋର୍ଡ ପକ୍ଷରୁ ଏହି ରାସ୍ତାକୁ ଖୋଳି ଛାଡ଼ିଦିଆଯାଇଥିବାରୁ ଅବସ୍ଥା ଶୋଚନୀୟ ହୋଇରହିଛି। ଫଳରେ ଖାଲଖମାପୂର୍ଣ୍ଣ ଏହି ରାସ୍ତାରେ ଧୂଳି ଯେତିକି ପଙ୍କ, କାଦୁଅ ସେତିକି। ଗତ ଲଗାଣ ବର୍ଷାରେ ରାସ୍ତାର ଖାଲରେ ପାଣି ଜମିରହିବାରୁ ଯାତାୟାତରେ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେହିଭଳି ରାସ୍ତା ସାରା ଜମିଯାଇଥିବା କାଦୁଅ, ପଙ୍କରେ ଲୋକେ ଘାଣ୍ଟିଚକଟି ହୋଇ ବଡ଼ କଲବଲ ହୋଇଥିଲେ। ଏବେ ଖରାରେ ରାସ୍ତା ଶୁଖିଯିବାରୁ ପ୍ରବଳ ଧୂଳି ଉଡ଼ୁଛି। ବାଇକ୍‌ ଓ ସାଇକେଲ ଚାଳକମାନେ ଯେତିକି ଧୂଳି ଉଡ଼ାଇ ଅନ୍ୟମାନଙ୍କୁ ହଇରାଣ କରୁଛନ୍ତି, ନିଜେ ସେତିକି ଧୂଳି ଧୂସରିତ ହୋଇପଡ଼ୁଛନ୍ତି। ଏବେ କିଛି ଦିନ ହେଲା ଏହି ରାସ୍ତାରେ ଛୋଟମୋଟ ଦୁର୍ଘଟଣା ଘଟିବା ଏକ ନିତିଦିନିଆ ଘଟଣା ହୋଇଗଲାଣି। ଖାଲଖମାରେ ପଡ଼ି ବାଇକ୍‌ଆରୋହୀମାନେ ଖଣ୍ଡିଆଖାବରା ହେଉଛନ୍ତି। ବହୁ ସମୟରେ ସ୍କୁଲ ବସ୍ ଗାତରେ ଗଳି ପଡ଼ୁଥିବା ଦେଖିବାକୁ ମିଳୁଛି। ତେଣୁ ସ୍କୁଲ୍‌ ବସ୍‌ ଭିତରକୁ ନ ଯାଇ ବାହାରେ ଅପେକ୍ଷା କରୁଛି ଏବଯ ପିଲାମାନେ ଖାଲଖମା ଡେଇଁ ଡେଇଁ ବସ୍‌ ପାଖକୁ ଆସୁଛନ୍ତି। ତୁରନ୍ତ ଏହି ରାସ୍ତାର ମରାମତି ନ ହେଲେ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।