ବିଶ୍ବରଂଜନଙ୍କ ଚିଠି ଉତ୍ସବ: ‘ଚିଠି’ ମଣିଷର ସବୁଠାରୁ ସତ୍ୟନିଷ୍ଠ ଅଭିବ୍ୟକ୍ତି

ଭୁବନେଶ୍ବର: ପୁରୁଣା ଚିଠିକୁ ସାଇତି ରଖିବା ପାଇଁ ସଂକଳ୍ପ ଦରକାର। ଜାତୀୟ ଜୀବନ, ସମକାଳୀନ ଇତିହାସ ଓ ସାଂସ୍କୃତିକ ସଂଗଠନକୁ ଚିହ୍ନିବା, ଜାଣିବା‌ ପାଇଁ ଏହା ଏକ ବିରାଟ ବଡ଼ ଅବଦାନ ହୋଇପାରିବ। ପରବର୍ତ୍ତୀ ପିଢ଼ି ପାଇଁ କିଛି ଛାଡ଼ିବାର ଅଭାବକୁ ‘ଚିଠି’ ବହୁ ପରିମାଣରେ ପୂରଣ କରିପାରିବ। ଆମେ ନିଜ ସଂପର୍କରେ ବିଶେଷ କିଛି ଜାଣୁ ନାହେଁ, ଯାହା ଆମକୁ ଅସୁବିଧାରେ ପକାଉଛି। ସେଥିପାଇଁ ଆମକୁ ଆତ୍ମଜୀବନୀ ଲେଖିବାର ଆବଶ୍ୟକତା ରହିଛି। ଏହାକୁ ନେଇ ଜାତୀୟ ଜୀବନ ଆହୁରି ପରିପୁଷ୍ଟ ହୋଇଥାଏ। ସତ କହିବାର ସାହସ ଆତ୍ମଜୀବନୀରେ ହେବ ନାହିଁ।

କିନ୍ତୁ ‘ଚିଠି’ ମଣିଷର ସବୁଠାରୁ ସତ୍ୟନିଷ୍ଠ ଅଭିବ୍ୟକ୍ତି। ଚିଠିର ସବୁବେଳେ ଗୁରୁତ୍ବ ରହିଛି ଓ ଆଉ ରହିଥିବ। ଲକ୍ଷ୍ମୀଧର କ୍ରିଏଟିଭ୍‌ ସେଣ୍ଟର୍‌ ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ବିଶ୍ବରଂଜନଙ୍କ ଚିଠି ଉତ୍ସବରେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଆଜି ଏହା କହିଛନ୍ତି।

କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଗାଳ୍ପିକ ଅଚ୍ୟୁତାନନ୍ଦ ପତି ଚିଠି ଓ ପତ୍ରିକାର ସମାଜ ପ୍ରତି ଅବଦାନ ଉପରେ ଆଲୋକପାତ କରିଥିଲେ। ଚିଠି ଉତ୍ସବର ଅଧ୍ୟକ୍ଷ ଅଧ୍ୟାପକ ବିଶ୍ବରଞ୍ଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି କବି ରବିନାରାୟଣ ସେନାପତି ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି ଚିଠିକୁ ଉଜ୍ଜୀବିତ କରିବାକୁ ଆହ୍ବାନ ଦେଇଥିଲେ।

ସାଂସଦ ପ୍ରଶାନ୍ତ ନନ୍ଦ କହିଲେ, ଚିଠିକୁ ଏବେ ଖୋଜି ପାଇବା ଭାରି କଷ୍ଟ। ବର୍ତ୍ତମାନ ପୁରୁଣା ଚିଠିଗୁଡ଼ିକୁ ଖୋଜି ରଖିବା ଦରକାର। ଏହାଦ୍ବାରା ଆମ ସାହିତ୍ୟ ଓ ସଂସ୍କୃତି ସମୃଦ୍ଧ ହୋଇପାରିବ। ସାହିତ୍ୟିକା ଅର୍ଚ୍ଚନା ନାୟକ କହିଲେ, ଚିଠି ଭିତରେ ମଣିଷ ଭିତରର ସୂରୁପ ଜାଣି ହୁଏ। ଏହି ଅବସରରେ ଚିଠି ସାହିତ୍ୟ ପ୍ରତି ବିଶେଷ ଅବଦାନ ପାଇଁ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ‘ଚିଠି ଚିନ୍ମୟ’ ଓ ଲେଖିକା ନିରୁପମା ଆଚାର୍ଯ୍ୟଙ୍କୁ ‘ଚିଠି ଚିନ୍ମୟୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପୁସ୍ତକ ‘ଚିଠି ବିଷୁବ ଓ ବର୍ଷା’ ଏବଂ ‘ଚିଠି ଅନ୍ତରଙ୍ଗ’ ଲୋକାର୍ପିତ ହୋଇଥିଲା। ଚିଠିକୁ ନେଇ କଣ୍ଠଶିଳ୍ପୀ ଛନ୍ଦା ମିଶ୍ର ଓ ସରୋଜ ବଳ ସଂଗୀତ ପରିବେଷଣ କରିଥିଲେ। ଅନୁଷ୍ଠାନର ସଂପାଦକ ନେତାଜୀ ଅଭିନନ୍ଦନ ସ୍ବାଗତ ଭାଷଣ ଦେଇଥିବା ବେଳେ ଲକ୍ଷ୍ମୀନାରାୟଣ ମଲ୍ଲିକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର