ଭୁବନେଶ୍ବର: ବାଲିଅନ୍ତା ଥାନା ହୀରାପୁର ସାଗୁଆ ଗାଁରେ ଘଟିଥିବା ବହୁଚର୍ଚ୍ଚିତ ବିଶ୍ବଜିତ୍ ନାୟକ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ କରିଛି ପୁଲିସ। ପୁରୀସ୍ଥିତ ଏକ ଆଶ୍ରମରେ ଯୋଗିନୀ ଭାବେ ରହୁଥିବା ସୁନ୍କି ରଣା(୩୬) ତାଙ୍କୁ ଅତର୍କିତ ଭାବେ ବହ୍ଲାରେ ପିଟିପିଟି ବଡ଼ ନିର୍ମମ ଭାବେ ହତ୍ୟା କରିଥିବା ସ୍ବୀକାର କରିଛି। ଅନୈତକି ସମ୍ପର୍କର କୁପରିଣତିରୁ ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ରବିବାର ରାତିରେ ବାଲିଅନ୍ତା ଥାନା ପୁଲିସ ସୁନ୍କିକୁ ଉକ୍ତ ଆଶ୍ରମରୁ ଉଠାଇବା ପରେ ସେ ସବୁ ସତ ମାନିଯାଇଛି। ପୂର୍ବରୁ ମୃତଦେହ ନିକଟରୁ ରକ୍ତଭିଜା ବହ୍ଲା ଜବତ କରାଯାଇଥିଲା। ସୁନ୍କିର ସୂଚନା ଆଧାରରେ ପୁଲିସ ବାଳକାଟି ବଜାର ନିକଟ କୁଆଖାଇ ନଦୀ ବନ୍ଧରେ ଥିବା ଏକ ଘଞ୍ଚ ବୁଦା ଭିତରୁ ତା’ ନିଜର ରକ୍ତଭିଜା ପୋଷାକ ଜବତ କରିଛି। ସେହିଭଳି ବିଶ୍ବଜିତ୍ଙ୍କ ମୋବାଇଲ୍ ଫୋନ୍ ମଧ୍ୟ ତା’ଠାରୁ ମିଳିଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ଏବଂ ସେଠାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଡିସିପିଙ୍କ ନିର୍ଦ୍ଦେଶରେ ଏସିପି ଶୁଭ୍ରାଂଶୁ ଶେଖର ନାୟକ ଓ ଆଇଆଇସି ଯୁବରାଜ ସ୍ବାଇଁଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଟିମ୍ ତାକୁ ଧରିଥିଲା।
ଆଜି ଡିସିପି ପ୍ରତୀକ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ହତ୍ୟାକାରିଣୀ ସୁନ୍କି ବାବଦରେ କହିଥିଲେ। ଝାରସୁଗୁଡ଼ା ଥାନା ସିଙ୍ଗାପୋକା ଗାଁର ସୁନ୍କି ନିଜ ବଡ଼ ଯା ଓ ୬ ମାସର ଝିଆରୀକୁ ହତ୍ୟା କରି ଜେଲ୍ ଯାଇଥିଲା। ୧୨ ବର୍ଷ କାଳ ସଜା କାଟିବା ପରେ ସେ ଜେଲ୍ରୁ ମୁକୁଳିଥିଲା ଏବଂ ପୁରୀ ଚାଲିଆସି ଏକ ଆଶ୍ରମରେ ରହିଥିଲା। ୨୦୧୮ ମସିହାରୁ ସେ ଆଶ୍ରମରେ ରହିଥିଲା। ଏହି ସମୟରେ ଆଶ୍ରମକୁ ଯା’ଆସ କରୁଥିବା ମୃତ ବିଶ୍ବଜିତ୍ଙ୍କ ମା’ ନିଶାମଣିଙ୍କ ସଂସ୍ପର୍ଶରେ ସେ ଆସିଥିଲା। ଖୋଦ୍ ନିଶାମଣି ତାକୁ ପୁଅ ବିଶ୍ବଜିତ୍ ସହ ମିଶାଇଥିଲେ। ଆଶ୍ରମରେ ସେମାନଙ୍କ ଦେଖାସାକ୍ଷାତ ଓ ମିଳାମିଶାରୁ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। କିନ୍ତୁ ଲୁଚାଛପାରେ ସୁନ୍କି ଭୁବନେଶ୍ବର ଓ ସାଗୁଆ ଆସି ବିଶ୍ବଜିତ୍ଙ୍କ ସହ ରହୁଥିଲା। ସୁନ୍କି କିନ୍ତୁ ଆଶ୍ରମର ମୁଖ୍ୟ ମା’ଙ୍କୁ ଏସବୁ ଜଣାଇନଥିଲା। ଗାଁକୁ ଯିବା ବାହାନାରେ ସେ ଭୁବନେଶ୍ବର ଆସି ବିଶ୍ବଜିତ୍ଙ୍କ ସହ କିଛି ଦିନ ରହି ପୁଣି ଆଶ୍ରମକୁ ଫେରିଯାଉଥିଲା। ଗତ ଡିସେମ୍ବର ୩୦ ତାରିଖରୁ ସୁନ୍କି ଭୁବନେଶ୍ବର ଆସି ବିଶ୍ବଜିତଙ୍କ ସହ ରହିଥିଲା। ଖୁସିରେ ଏକାଠି ନୂଆବର୍ଷ କଟାଇଥିଲେ। ୫/୬ ଦିନ ପରେ ସୁନ୍କି ପାଖକୁ ଆଶ୍ରମରୁ ଘନଘନ ଫୋନ୍ ଆସିଥିଲେ ମଧ୍ୟ ସେ ଆଜିକାଲି କହି ୧୨ ତାରିଖ ପର୍ଯ୍ୟନ୍ତ ବିଶ୍ବଜିତ୍ଙ୍କ ସହ ଥିଲା। ୧୨ ତାରିଖ ଦିନ ଆଶ୍ରମର ମୁଖ୍ୟ ମା’ ଫୋନ୍ କରି ବିରକ୍ତ ହେବାରୁ ସୁନ୍କି ପୁରୀ ଫେରିବାକୁ ବାହାରିଥିଲା। କିନ୍ତୁ ବିଶ୍ବଜିତ୍ ତାକୁ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ। ତେଣୁ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ମଧ୍ୟାହ୍ନ ଭୋଜନ ପରେ ବିଶ୍ବଜିତ୍ ଖଟରେ ଶୋଇପଡ଼ିଥିଲେ। ଏତିକିବେଳେ ସୁନ୍କି ମୁଣ୍ଡରେ ଭୁତ ସବାର ହୋଇଥିଲା। ଏକ ବହ୍ଲାରେ ସେ ବିଶ୍ବଜିତ୍ଙ୍କ ମୁହଁକୁ ବାରମ୍ବାର ପିଟିଚାଲିଥିଲା। ବିଶ୍ବଜିତ୍ଙ୍କ ମୁହଁ ଛେଚି ହୋଇଯାଇଥିଲା, କିଛି ଦାନ୍ତ ଉପୁଡ଼ି ପଦାକୁ ଛିଟିକି ପଡ଼ିଥିଲା। ଘର ସାରା ରକ୍ତ ଛିଟା ପଡ଼ିଥିଲା। ବିଶ୍ବଜିତ୍ ଚିତ୍କାର କରିପାରିନଥିଲେ। ତାଙ୍କ ମୃତ୍ୟୁ ହୋଇଯାଇଥିବା ପରେ ସୁନ୍କି ନିଜ ରକ୍ତଭିଜା ପୋଷାକ ବଦଳାଇଥିଲା। ବିଶ୍ବଜିତ୍ଙ୍କ ମୃତଦେହକୁ ବେଡ୍ସିଟ୍ରେ ଘୋଡ଼ାଇ ଦେଇଥିଲା। ସଂଜ ବୁଡ଼ି ଅନ୍ଧାର ହେବା ପରେ ସେ ଘରେ ତାଲା ପକାଇ ବାହାରି ଯାଇଥିଲା। ବାଳକାଟିରୁ ଏକ ଅଟୋ ଭଡ଼ା କରି ସିଧା ପୁରୀ ଚାଲିଯାଇଥିଲା। ତେଣୁ ୫ ବର୍ଷ କାଳ ଯୋଗିନୀ ଭଳି ଆଶ୍ରମରେ ରହିଲେ ମଧ୍ୟ ସୁନ୍କିର ମାନସିକତାରେ କୌଣସି ପରିବର୍ତ୍ତନ ହୋଇନଥିଲା।
ଯା ଓ ଝିଆରୀଙ୍କୁ ବି ମାରିଥିଲା
୨୦୦୬ ମସିହାରେ ସୁନ୍କି ଏକ ସାମାନ୍ୟ କଥାର ପ୍ରତିଶୋଧ ନେବାକୁ ଯାଇ ନିଜ ବଡ଼ ଯା ଓ ୬ ମାସର ଝିଆରୀକୁ ହତ୍ୟା କରିଥିଲା। କଥାଟି ଥିଲା ଏମିତି। ଏକଦା ସୁନ୍କି ସହିତ ତା’ ଦେଡ଼ଶୁରର ବାହାଘର ଲାଗିଥିଲା ଏବଂ ପରେ ଭାଙ୍ଗିଯାଇଥିଲା। ଦେଡ଼ଶୁର ସୁନ୍କିକୁ ପ୍ରତ୍ୟାଖ୍ୟାନ କରିଥିଲେ। କିନ୍ତୁ ପରେ ସଂଯୋଗବଶତଃ ତାଙ୍କ ସାନ ଭାଇ ସହିତ ସୁନ୍କିର ବାହାଘର ହୋଇଥିଲା। ଦେଡ଼ଶୁରଙ୍କ ପ୍ରତ୍ୟାଖ୍ୟାନ ପ୍ରତିଶୋଧର ନିଆଁ ସୁନ୍କି ଭିତରେ କୁହୁଳୁଥିଲା। ୨୦୦୬ ନଭେମ୍ବରରେ ଘରେ ଦୁଇ ଭାଇ ନଥିବା ମଉକାରେ ସୁନ୍କି ବଡ଼ ଯାଙ୍କୁ ଅତର୍କିତ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ଏବଂ ୬ ମାସର ଝିଆରୀର ତଣ୍ଟି ଚପି ମାରିଦେବା ପରେ ଏକ ବ୍ୟାଗ୍ରେ ପୂରାଇ କୂଅରେ ପକାଇଦେଇଥିଲା। ଘଟଣାକୁ ଏକ ଡକାୟତିର ରୂପ ଦେବାକୁ ସୁନ୍କି ଆଲ୍ମିରା ଭାଙ୍ଗି ଭିତରୁ ଜିନିଷପତ୍ର ଫିଙ୍ଗାଫୋପଡ଼ା କରିଥିଲା ଏବଂ ସଂଜ୍ଞାହୀନ ହେବାର ଅଭିନୟ କରି ପଡ଼ିରହିଥିଲା। କିନ୍ତୁ ପୁଲିସ ତଦନ୍ତରୁ ତା’ ନାଟକ ବେଶି ଦିନ ଚାଲିନଥିଲା। ଏହି ନିର୍ମମ ହତ୍ୟାକାଣ୍ଡ ପାଇଁ ତାକୁ ୧୨ ବର୍ଷ ସଜା ହୋଇଯାଇଥିଲା।