ଭୁବନେଶ୍ୱର : ସକାଳୁ ସକାଳୁ ଚଳଚଞ୍ଚଳ ଥିଲା ସାରା ସହର। ଶିଳ୍ପାନୁଷ୍ଠାନରୁ ଶୁଭୁ ନଥିଲା ମେସିନ୍ର ବିକଟାଳ ଶବ୍ଦ। ବୈଷୟିକ ଶିକ୍ଷାନୁଷ୍ଠାନରେ ଆଜି ନ ଥିଲା ଚିରାଚରିତ ପରିବେଶ ବା କଷ୍ଟସାଧ୍ୟ ତାଲିମ୍ ପରିବେଶ। ଚାରିଆଡ଼େ ଭରିଯାଇଥିଲା ଭକ୍ତି ଭାବମୟ ଆଧ୍ୟାତ୍ମିକ ପରିବେଶ। ସୁନ୍ଦର ସାଜସଜ୍ଜା ଓ ଆଲୋକମାଳାରେ ଏ ସବୁ ଝଲସୁଥିଲା, ଧରାବତରଣ କରିଥିଲେ ଦେବଶିଳ୍ପୀ ବିଶ୍ୱକର୍ମା। ତାଙ୍କ ଆରାଧନା ଓ ଆବାହନରେ ଉତ୍ସବମୁଖର ହୋଇପଡ଼ିଥିଲା ସମସ୍ତ କାର୍ଯ୍ୟାଳୟ, ଦୋକାନ, ଗ୍ୟାରେଜ୍, ସିଲେଇ ଦୋକାନ ଓ କିଛି ପୂଜା ମଣ୍ଡପ।
/sambad/media/post_attachments/wp-content/uploads/2021/09/biswa.jpg)
କଳ୍ପନା, ରାଜମହଲ, ୟୁନିଟ୍-୨, ଖାରବେଳନଗର ଆଦି ଛକ ସମେତ ବିଭିନ୍ନ ଅଟୋ ମାଲିକ ସଂଘ, ବୁଦ୍ଧନଗର ଓ ଚନ୍ଦ୍ରଶେଖରପୁର ସେସୁ କାର୍ଯ୍ୟାଳୟ, ଓମ୍ଫେଡ୍ କାର୍ଯ୍ୟାଳୟ ଓ ରେଳଡବା ମରାମତି କାମଖାନା ଆଦିରେ ବେଶ୍ ଜାକଜମକରେ ଏହି ପୂଜା ପାଳିତ ହୋଇଯାଇଛି। କଳିଙ୍ଗ ଷ୍ଟାଡିୟମ୍ ନିକଟସ୍ଥ ବିଶ୍ୱକର୍ମା ମନ୍ଦିରରେ ମଧ୍ୟ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଦେବଶିଳ୍ପୀଙ୍କୁ ଆବାହନ କରାଯାଇଥିଲା। ସକାଳୁ ସକାଳୁ ଲୋକମାନେ ନିଜ ଗାଡ଼ି ପୂଜା ପାଇଁ ମନ୍ଦିର ସମ୍ମୁଖରେ ଲମ୍ବା ଧାଡ଼ି ବାନ୍ଧିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ମଞ୍ଚେଶ୍ୱର, ରସୁଲଗଡ଼ ଓ ଚନ୍ଦକା ଶିଳ୍ପାଞ୍ଚଳକୁ ଆଜି ଏକ ନୂଆ ରୂପ ନେଇଥିଲା। ‘ସମ୍ବାଦ ଭବନ’ ପରିସରରେ କରୋନା କଟକଣା ଭିତରେ ବିଶ୍ବକର୍ମା ପୂଜା ପାଳିତ ହୋଇଥିଲା। ଆଚାର୍ଯ୍ୟ ବିହାର ଛକରେ ଗାଡ଼କଣର ମା’ ବରଡ଼େଇ ଅଟୋ ମହାସଂଘ ପକ୍ଷରୁ ମହାସଂଘର ସଭାପତି ବିକାଶ ପରିଡ଼ାଙ୍କ ନେତୃତ୍ୱରେ ମହାସମାରୋହରେ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ସୁଶାନ୍ତ ରାଉତ ଯୋଗ ଦେଇଥିଲେ। ସଂଘର ଉପଦେଷ୍ଟା ଗଗନ ସ୍ୱାଇଁ, ଅନ୍ୟତମ ଉପଦେଷ୍ଟା ବିଜେଡି ଯୁବ ଉପସଭାପତି ଗଗନ ବିହାରୀ ପଣ୍ଡା, ଉପଦେଷ୍ଟା ପ୍ରଶାନ୍ତ ସାହୁ, ପ୍ରସନ୍ନ ସାହୁ, ବିଜେଡି ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର, ପୂର୍ବତନ କର୍ପୋରେଟର୍ ସସ୍ମିତା ଦାସ, ଚଗଲା ଜେନା, ଗଣେଶ ନାୟକ ଓ ଭୋଳା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ପୂଜା ପରେ ୮୦୦ରୁ ଊର୍ଧ୍ବ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Sambad-Bhaban-Biswakarma-Puja-1.jpg)