ଭୁବନେଶ୍ୱର: ଆସନ୍ତା ବର୍ଷ ନଭେମ୍ବର ୨୬ରୁ ଡିସେମ୍ବର ୮ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ୱକପ୍-୨୦୧୮ ପାଇଁ ଷ୍ଟାଡିୟମକୁ ନୂଆ ରୂପ ଦିଆଯାଉଛି। କଳିଙ୍ଗ ଷ୍ଟାଡିୟମର ନବକଳେବର ପାଇଁ ଏହାର ପାଚେରିକୁ ଲାଗି ଥିବା ବିଶ୍ୱକର୍ମା ଦେବ ମନ୍ଦିରକୁ ଭାଙ୍ଗିବାକୁ ଏବେ ସରକାର ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ମାସ ମଧ୍ୟରେ ଏହି ମନ୍ଦିର ଭାଙ୍ଗିବାକୁ କ୍ରୀଡ଼ା ବିଭାଗ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)କୁ ଚିଠି ଲେଖିଛି।
ଆସନ୍ତା ହକି ବିଶ୍ୱକପ୍ ଆୟୋଜନରେ ଯେପରି କୌଣସି ପ୍ରକାରର ଉଣା ନ ରହିବ ସେଥିପାଇଁ କ୍ରୀଡ଼ା ବିଭାଗ ସବୁ ପ୍ରକାରର ଉଦ୍ୟମ ଜାରି ରଖିଛି। ବହୁ ପ୍ରତିବନ୍ଧକ ସତ୍ତ୍ୱେ ଷ୍ଟାଡିୟମରେ ଥିବା ସନ୍ତରଣାଗାର ଭଙ୍ଗା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାବେଳେ ଏହାକୁ ଶୁଖାଇ ଦିଆଯାଇଛି। କଳିଙ୍ଗ ଷ୍ଟାଡିୟମ ସମ୍ପ୍ରସାରଣ ଏବଂ କ୍ରୀଡ଼ାବିତଙ୍କ ସୁରକ୍ଷା ଦୃଷ୍ଟିରୁ ବିଶ୍ୱକର୍ମା ମନ୍ଦିରକୁ ଭାଙ୍ଗିବାକୁ ଦୀର୍ଘ ଦିନ ହେଲା ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବାବେଳେ ଏବେ ଏହାକୁ ଭାଙ୍ଗିବାକୁ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି।
କ୍ରୀଡ଼ା ବିଭାଗ ସଚିବ ବିଶାଲ ଦେବ ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାରଙ୍କୁ ଚିଠି ଲେଖିଛନ୍ତି ଯେ, ସନ୍ତରଣାଗାରକୁ ଭାଙ୍ଗିବା ପରେ ପିଚ୍-୧ର ଦକ୍ଷିଣ ପାର୍ଶ୍ୱରେ ଇଷ୍ଟ ଷ୍ଟାଣ୍ଡ ନିର୍ମାଣ ହେବ। ଏହି ଷ୍ଟାଣ୍ଡ ନିର୍ମାଣ ହେଲେ ୭ହଜାର ସିଟ୍ ବିଶିଷ୍ଟ ହକି ଷ୍ଟାଡିୟମର କ୍ଷମତା ୧୫ହଜାରକୁ ବୃଦ୍ଧି ପାଇବ। ହେଲେ ଏହି ଷ୍ଟାଡିୟମକୁ ପ୍ରବେଶ ପାଇଁ ଷ୍ଟାଡିୟମର ପୂର୍ବ ପାର୍ଶ୍ୱରୁ ପ୍ରବେଶ ପଥ ହେବ। ଜରୁରୀକାଳୀନ ସ୍ଥିତିରେ ବି ଏହି ଗେଟ୍ ଦେଇ ପ୍ରସ୍ଥାନ ବ୍ୟବସ୍ଥା ହେବ। ଏହି ନୂଆ ପ୍ରବେଶ ପଥ କଳିଙ୍ଗ ଷ୍ଟାଡିୟମର ମୁଖ୍ୟ ଗେଟ୍ ୪ଓ ୫ ଭିତରେ ନିର୍ମାଣ ହେବ। ହେଲେ ନିର୍ମାଣ ହେବାକୁ ଥିବା ଏହି ପ୍ରବେଶ ପଥରେ ବିଶ୍ୱକର୍ମା ମନ୍ଦିର ଥିବାରୁ ଏଠାରେ ନିର୍ମାଣ କାର୍ଯ୍ୟ ସମ୍ଭବ ହେଉନି। ତେଣୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ଜବରଦଖଲରେ ସରକାରୀ ଜମିରେ ନିର୍ମାଣ ହୋଇଥିବା ବିଶ୍ୱକର୍ମା ମନ୍ଦିରକୁ ଉଚ୍ଛେଦ କରାଯାଉ। ନିକଟରେ ଅନ୍ତର୍ଜାତୀୟ ହକି ମହାସଂଘ କଳିଙ୍ଗ ଷ୍ଟାଡିୟମକୁ ପରିଦର୍ଶନରେ ଆସିଥିବାବେଳେ ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲେ। ଏପରିକି ଜରୁରୀକାଳୀନ ପରିସ୍ଥିତିରେ ଦର୍ଶକଙ୍କୁ ଷ୍ଟାଡିୟମରେ ବାହାର କରିବାକୁ ଏହି ପାର୍ଶ୍ୱରେ ଫାଟକ ନିର୍ମାଣ କରିବାକୁ ଅନ୍ତର୍ଜାତୀୟ ହକି ମହାସଂଘ କହିଛି। ତେଣୁ ଏହି ମନ୍ଦିରକୁ ଉଚ୍ଛେଦ କରିବାକୁ ମହାସଂଘ କହିଛି। ମହାସଂଘର ପ୍ରସ୍ତାବ ପରେ କାର୍ଯ୍ୟନିର୍ବାହୀ କମିଟିର ପ୍ରଥମ ବୈଠକରେ ଦର୍ଶକ ଓ ଖେଳାଳିଙ୍କ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା। ଏଥିରେ ନିଷ୍ପତ୍ତି ହୋଇଛି ଯେ, ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ବିଶ୍ୱକର୍ମା ମନ୍ଦିର ଭଙ୍ଗା ଗଲେ ସାଉଥ୍ ଷ୍ଟାଣ୍ଡକୁ ନୂଆ ରାସ୍ତା, ଇଷ୍ଟ ଷ୍ଟାଣ୍ଡ୍କୁ ଗେଟ୍ ନିର୍ମାଣ କରିବାକୁ ପଡ଼ିବ। ତେଣୁ ମନ୍ଦିର ଉଚ୍ଛେଦ କି ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବାକୁ ବିଡିଏକୁ କ୍ରୀଡ଼ା ବିଭାଗ ସଚିବ କହିଛନ୍ତି।
ଏନେଇ ବିଶ୍ୱକର୍ମା ଦେବ ମନ୍ଦିର ସମିତିର ସଦାଶିବ ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବିଶ୍ୱକର୍ମା ମନ୍ଦିର ଭାଙ୍ଗିବା ଉପରେ ହାଇକୋର୍ଟରେ ମାମଲା ବିଚାରାଧୀନ ଅଛି। ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଦେଇଛନ୍ତି। ପୂର୍ବରୁ ମନ୍ଦିର ଅଧୀନରେ ଦେଢ଼ ଏକର ଜମି ଥିବାବେଳେ କଳିଙ୍ଗ ଷ୍ଟାଡିୟମ ସମ୍ପ୍ରସାରଣ ପାଇଁ ପ୍ରାୟ ୧ଏକର ଜମି କର୍ତ୍ତୃପକ୍ଷ ନେଇ ସାରିଛନ୍ତି। ଏବେ ପୂରା ମନ୍ଦିରକୁ ଭାଙ୍ଗିବାକୁ ଯୋଜନା କରିବା ଆମକୁ ବ୍ୟଥିତ କରିଛି।
ଭୁବନେଶ୍ୱରକୁ ରାଜଧାନୀ କରିବା ପାଇଁ ଶିଳାନ୍ୟାସ ହେବା ସମୟରେ ବିଶ୍ୱକର୍ମାଙ୍କୁ ଆବାହନ କରାଯାଇଥିଲା। ୟୁନିଟ-୩ରେ (ଏବେ ବିଗ୍ ବଜାର ହୋଇଥିବା ସ୍ଥାନରେ) ବିଶ୍ୱକର୍ମାଙ୍କୁ ପୂଜାର୍ଚ୍ଚନା କରି ସ୍ଥାପନ କରାଯାଇଥିଲା। ଏହାପରେ ଭୁବନେଶ୍ୱରର ସମ୍ପ୍ରସାରଣ ଯୋଗୁଁ ୧୯୭୯ ମସିହାରେ ବିଶ୍ୱକର୍ମାଙ୍କୁ ସ୍ଥାନାନ୍ତର କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏହାପରେ ଜୟଦେବବିହାର ଅଞ୍ଚଳକୁ ବିଶ୍ୱକର୍ମାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ପାହାଡ଼ ଓ ଜଙ୍ଗଲ ଥିବାବେଳେ ଏକ କୁଡ଼ିଆ ଘରେ ବିଶ୍ୱକର୍ମାଙ୍କୁ ସ୍ଥାପନ କରି ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ୧୯୮୯ ମସିହାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଏଠାରେ ଏକ ସୁନ୍ଦର ମନ୍ଦିର ନିର୍ମାଣ କରାଯାଇଥିଲା। ଭୁବନେଶ୍ୱରରେ ଏହା ଏକମାତ୍ର ବିଶ୍ୱକର୍ମା ମନ୍ଦିର ହୋଇଥିବାବେଳେ ପ୍ରତ୍ୟେକ ଦିନ ବହୁ ରାଜଧାନୀବାସୀ ଏଠାକୁ ପୂଜାର୍ଚ୍ଚନା ପାଇଁ ଆସନ୍ତି। ପୂର୍ବରୁ ବିଏମ୍ସିର ପୂର୍ବତନ କମିସନର ଅପରାଜିତା ଷଡ଼ଙ୍ଗୀ ଏହାକୁ ଉଚ୍ଛେଦ କରିବାକୁ ଆସିଥିଲେ ହେଁ ଉଚ୍ଛେଦ କରିବା ବଦଳରେ ଏହାର ସୌନ୍ଦର୍ଯ୍ୟକରଣ କରିଥିଲେ। କିନ୍ତୁ ଏବେ ସରକାର ଏହାକୁ ଭାଙ୍ଗିବାକୁ ଯୋଜନା କରୁଛନ୍ତି। ମନ୍ଦିର କେବେ ଭଙ୍ଗା ହେବ ଆମକୁ କିଛି ଜଣା ଯାଇନି। ମନ୍ଦିର ନେଇ ସରକାରଙ୍କର କ’ଣ ଯୋଜନା ଅଛି ସେ ନେଇ ଆମେ ଆଲୋଚନା କରିବା ପରେ ଯାହା ପଦକ୍ଷେପ ନେବୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/biswajit-biswakarma.jpg)