ଭୁବନେଶ୍ୱରରେ ଇଟାଲିର ଝଲକ, ନୂଆପଲ୍ଲୀରେ ବିଶ୍ୱରୂପ

ପାର୍ବଣ ନେଇ ପୁଣି ଫେରିଛିି ଶରତ। ସାଙ୍ଗରେ ଆଣିଛି ଉତ୍ସାହ ଓ ଉଦ୍ଦୀପନାର ପରଶ। ମା’ଙ୍କ ଧରାବତରଣକୁ ସ୍ୱାଗତ ପାଇଁ କାଶତଣ୍ଡୀରେ ସଜେଇ ହୋଇଛି ପରିବେଶ। ଆଉ ମାତ୍ର କେଇଦିନର ଅପେକ୍ଷା। କାରିଗରଙ୍କୁ ଫୁର୍‌ସତ ନାହିଁ। ପାର୍ବଣ ମନସ୍କ ଶ୍ରଦ୍ଧାଳୁ ଏକରକମ ଓଲଟ ଗଣତି ଆରମ୍ଭ କରିଦେଇଛନ୍ତି। ସବୁଥର ପରି ଏଥର ବି ତୋରଣରେ ଆଖିଖୋସା ଅନୁଭବ ଭେଟି ଦେବେ ରାଜଧାନୀର ପ୍ରମୁଖ ପୂଜା ମଣ୍ଡପ। ଏହି ପରିପ୍ରେକ୍ଷୀରେ ରାଜଧାନୀର ପୂଜା ମଣ୍ଡପର ସାଜସଜାକୁ ନେଇ ଆମର ସ୍ୱତନ୍ତ୍ର ସ୍ତମ୍ଭ ‘ମା ଆସୁଛନ୍ତି..

ଓଡ଼ିଶାରେ ଝଟକିବ ଇଟାଲିର ସ୍ମାରକୀ। ଇଟାଲିର ପ୍ରଥମ ରାଜା ଭିକ୍ଟର ଇମାନୁଏଲ୍‌ଙ୍କ ସ୍ମୃତିରେ ନିର୍ମିତ ହୋଇଥିବା ‘ଆଲ୍‌ଟେୟାର ଡେଲା ପାଟ୍ରିଆ’କୁ ଲୋକେ ପ୍ରତ୍ୟକ୍ଷ କରିବେ ନୂଆପଲ୍ଲୀରେ। ନୂଆପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ଦୁର୍ଗାପୂଜା ଅବସରରେ ୧୨୦ ଫୁଟ ଓସାର ଏବଂ ୮୫ଫୁଟ ଉଚ୍ଚର ସ୍ମାରକୀ ଶୋଭା ପାଇବ। ଆହୁରି ଆକର୍ଷଣ ସାଜିବ ସମ୍ମୁଖ ଭାଗ ଓ ମଧ୍ୟଭାଗରେ ମହାଭାରତର ଇତିବୃତ୍ତ। କୃଷ୍ଣଙ୍କ ବିଶ୍ୱରୂପ ଦର୍ଶନ ସମେତ କୁରୁକ୍ଷେତ୍ରକୁ ଚିତ୍ରଣ କରାଯିବ। ମହାଭାରତ ଯୁଦ୍ଧ ପୂର୍ବରୁ କୌରବ ଓ ପାଣ୍ଡବ ପକ୍ଷଙ୍କ ଉପସ୍ଥିତି ଏବଂ ଆଉ କିଛି ଗହନ ପୌରାଣିକ କଥାବସ୍ତୁର ଦୃଶ୍ୟ ଶୋଭା ପାଇବ। ଏଥିପାଇଁ ପୂଜା ସମିତି ପକ୍ଷରୁ ୧୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ ହେବ। ସନ୍‌ପେକ୍‌ ଓ ଫାଇବର୍‌ରେ ପୂରା ତୋରଣ ପ୍ରସ୍ତୁତ ହେବ। କୋଲକାତାର କାରିଗର ଉଜ୍ଜ୍ୱଲ ଦାସଙ୍କ ନେତୃତ୍ୱରେ ୪୫ରୁ ଅଧିକ କାରିଗର ସାମିଲ୍‌ ହୋଇଛନ୍ତି। ସେହିଭଳି ୧୮ ଫୁଟର ମା’ଙ୍କ ମୂର୍ତି ସମେତ ଶୋଭା ପାଇବ ତାମ୍ର ମେଢ଼। କଟକ ଚୌଦ୍ୱାରରେ ଏହି ମେଢ଼କୁ ପ୍ରସ୍ତୁତ କରାଯାଉଛି।

ସାଂସ୍କୃତିକ କାର୍ଯ୍ୟକ୍ରମରେ ପାରମ୍ପରିକ କଳାକୁ ଗୁରୁତ୍ୱ ଦିଆଯିବ ବୋଲି ସାଂସ୍କୃତିକ ସମ୍ପାଦକ ଚିତ୍ରସେନ ବେହେରା କହିଛନ୍ତି। ସେହିଭଳି ଷଷ୍ଠୀ ଓ ଅଷ୍ଟମୀରେ ଭଜନ ସନ୍ଧ୍ୟା, ସପ୍ତମୀ ଓ ନବମୀରେ ମେଲୋଡି ଅନୁଷ୍ଠିତ ହେବ। ଏଥର ମଧ୍ୟ କସ୍ତୁରବା ଶିକ୍ଷାଶ୍ରମ ପଡ଼ିଆରେ ରାମଲୀଳା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ପ୍ରକାଶ ବେହେରା ସୂଚନା ଦେଇଛନ୍ତି। ଭସାଣି ଦିନ ଘୋଡ଼ା ନାଚ, ହଳଦୀ କାଠ ବାଜା, ସମ୍ବଲପୁରୀ ବାଜା, ଫୁଲବାଣୀ ବାଜା, ଷଣ୍ଢ ନାଚ, ବାଘ ବାଘୁଣୀ ନାଚ ଓ ନାଗା ନୃତ୍ୟ ଦେଖିବାକୁ ମିଳିବ ବୋଲି ବରିଷ୍ଠ ସଭ୍ୟ କେଦାର ପଟ୍ଟନାୟକ କହିଛନ୍ତି।

ଭସାଣିରେ ୨୦  ମେଢ଼

ପୂଜା କମିଟି ପକ୍ଷରୁ ନାବାର୍ଡ ସମ୍ମୁଖ ପଡ଼ିଆରେ ଅକ୍ଟୋବର ୨୦ରେ ମିଳିତ ଭସାଣି ପର୍ବ ଦେଖିବାକୁ ମିଳିବ। ଏଥିରେ ଆଖାପାଖରୁ ୨୦ରୁ ଅଧିକ ମେଢ଼ ଯୋଗଦେବେ। ସମସ୍ତ ମେଢ଼ ନୟାପଲ୍ଲୀ ପୂଜା ମଣ୍ଡପ ନିକଟରୁ ବାହାରି ସିଆର୍‌ପି-୮ନଂ ଡିଏଭି-ସିଟି ଓମେନ୍ସ କଲେଜ୍‌ ଛକ-ଗଙ୍ଗନଗର ଦେଇ ଏୟାରପୋର୍ଟ ଛକ ପର୍ଯ୍ୟନ୍ତ ଧାଡ଼ି ଭସାଣିରେ ଯିବେ। ସେଠାରୁ ମେଢ଼ ବିଭିନ୍ନ ନଦନଦୀକୁ ବିସର୍ଜନ ପାଇଁ ଯିବେ।

ପବିତ୍ର ମୋହନ ବେହେରା (ସଭାପତି)

୪୫ ଫୁଟ୍‌ର ରାବଣ ପୋଡ଼ି

ସୁଦୃଶ୍ୟ ଆଲୋକମାଳା ପୂଜାକୁ ଝଲସାଇବ। କମିଟି ପକ୍ଷରୁ ୬ଟି ଏଲ୍‌ଇଡି ଆଲୋକ ତୋରଣ ଶୋଭା ପାଇବ। ଏଥିସହ ୭୦ରୁ ଊର୍ଧ୍ୱ ଆଲୋକ ଷ୍ଟ୍ରକ୍‌ଚର ଖଞ୍ଜାଯିବ। ଦଶମୀ ଦିନ ୪୫ଫୁଟ୍‌ର ରାବଣ ପୋଡ଼ି ଅନୁଷ୍ଠିତ ହେବ। ଏଥର ପରିବେଶ ଅନୁକୂଳ ପାର୍ବଣ ପାଇଁ ଆତସବାଜିକୁ ବାଦ ଦିଆଯିବ।

ମହେନ୍ଦ୍ର ବଳବନ୍ତରାୟ (ସମ୍ପାଦକ)

ସୁରକ୍ଷାକୁ ଗୁରୁତ୍ୱ

ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ବୁଲାବୁଲିକୁ ଶୃଙ୍ଖଳିତ କରିବା ପାଇଁ ୪ ପ୍ଲାଟୁନ୍‌ ପୁଲିସ୍‌ଙ୍କ ସମେତ କମିଟିର ୨୦୦ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ମହିଳା ସ୍ୱେଚ୍ଛାସେବୀ ବି ରହିବେ। ୩୦ଟି ସିସିଟିଭି କ୍ୟାମେରା ଖଞ୍ଜାଯିବ। ଫାୟାର ଗାଡ଼ି ସମେତ ନିଜସ୍ୱ ଆମ୍ବୁଲାନ୍‌ସ, ଫାଷ୍ଟ୍‍ଏଡ୍‌ ସୁବିଧା ରହିବ। ପୂଜାକୁ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ କରାଯିବ। ଏଥିସହ ଭିନ୍ନକ୍ଷମଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯିବ।

ନବକିଶୋର ବେହେରା (ଉପଦେଷ୍ଟା)

ସମ୍ବନ୍ଧିତ ଖବର