ବିଜେବି, ବେସିକ୍‌ ସାଇନ୍ସ ଆଗରେ, ରାଜଧାନୀର ୪୭ ପରୀକ୍ଷାର୍ଥୀ ୯୦%ରୁ ଅଧିକ

ଭୁବନେଶ୍ବର: ପୁଣିଥରେ ପଦାରେ ପଡ଼ିଲା ସରକାରୀ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ର। ପ୍ରାଥମିକରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ବ୍ୟାପକ ସ˚ସ୍କାର କରାଯାଉଥିବା ରାଜ୍ୟ ସରକାର ଡେଙ୍ଗୁରା ପିଟୁଛନ୍ତି। ଭୁବନେଶ୍ବରକୁ ଶିକ୍ଷାର ହବ୍‌ ବୋଲି କହୁଛନ୍ତି। ଶିକ୍ଷା ବ୍ୟବସ୍ଥାକୁ ବିଶ୍ବସ୍ତରୀୟ କରିବା ଲାଗି ଯୋଜନା ମଧ୍ୟ ପ୍ରସ୍ତୁତ ହେଉଛି। ତେବେ ତାହାର ସୁଫଳ କିଭଳି ମିଳୁଛି ଯୁକ୍ତ୨ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପ୍ରକୃତ ସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟର ୧୩୭ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଯେଉଁଥିରେ ଘରୋଇ କଲେଜ ଛାତ୍ରଛାତ୍ରୀଙ୍କ ଦବଦବା ଦେଖିବାକୁ ମିଳିଛି। ୯୦%ରୁ ଅଧିକ ମାର୍କ ରଖିଥିବା ପିଲାଙ୍କ ମଧ୍ୟ‌ରେ ଘରୋଇ କଲେଜର ୮୫ ପ୍ରତିଶତ ଛାତ୍ରଛାତ୍ରୀ ରହିଛନ୍ତି। ହାତଗଣତି ସରକାରୀ କଲେଜର ପିଲାମାନେ ଏହି ତାଲିକ‌ାରେ ସ୍ଥାନ ପାଇଛନ୍ତି। ୧୩୭ ଜଣଙ୍କ ମଧ୍ୟରେ ଭୁବନେଶ୍ବରରୁ ୪୭ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଆଦ୍ୟାନ୍ତ ଜୁନିଅର କଲେଜର ୧୪ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଜୁପିଟର ସାଇନ୍ସ କଲେଜ ଓ ଜୁପିଟର୍‌ ମହିଳା ସାଇନ୍ସ କଲେଜର ୭ ଜଣ, ରୟାଲ କଲେଜ ଅଫ୍‌ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜିର ୭ ଜଣ ତାଲିକାରେ ସ୍ଥାନ ପାଇଛନ୍ତି। କିଟ୍‌ ସାଇନ୍ସ କଲେଜର ୫ ଜଣ ତାଲିକାରେ ରହିଛନ୍ତି। କେଏମ୍‌ବିବି ସାଇନ୍ସ କଲେଜର ଦୁଇ ଜଣ ଏହି ତାଲିକାରେ ରହିଥିବା ବେଳେ କଳିଙ୍ଗବିହାରସ୍ଥିତ ଓଡ଼ିଶା ସାଇନ୍ସ ଏକାଡେମି କଲେଜ ଓ ଗାୟତ୍ରୀ ସାଇନ୍ସ କଲେଜର ଜଣେ ଲେଖାଏଁ ପରୀକ୍ଷାର୍ଥୀ ୧୩୭ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିଛନ୍ତି।

ଏ ତ ଗଲା ଘରୋଇ ଯୁକ୍ତ୨ କଲେଜ କଥା। ଯଦି ସରକାରୀ କଲେଜ କଥା ବିଚାରକୁ ନିଆଯାଏ ତେବେ ବିଜେବି ଓ ବେସିକ୍‌ ସାଇନ୍ସ କଲେଜକୁ ଛାଡ଼ି ଦେଲେ ସହରର ଆଉ କୌଣସି ବି ସରକାରୀ କଲେଜର ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୩୭ ତାଲିକାରେ ସ୍ଥାନ ପାଇ ନାହାନ୍ତି। ଶ୍ରେଷ୍ଠ ୨୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜେବି ଜୁନନିଅର କଲେଜ ଛାତ୍ର ନିମାଇଁ ବିଶ୍ବରଞ୍ଜନ ବେହେରା ୫୬୪ ନମ୍ବର ରଖି ରାଜ୍ୟରେ ୪ ନମ୍ବର ସ୍ଥାନରେ ରହିଛନ୍ତି। ଯୁକ୍ତ୨ ବିଜ୍ଞାନ କଟ୍‌ ଅଫ୍‌ ମାର୍କରେ ସବୁଠାରୁ ଆଗରେ ରହୁଥିବା ରମାଦେବୀ ଜୁନିୟର କଲେଜ, ମହର୍ଷି କଲେଜ ଅଫ୍‌ ନାଚ୍ୟୁରାଲ ଲ’, ରାଜଧାନୀ କଲେଜର ଛାତ୍ରଛାତ୍ରୀ ୯୦% ରଖିବାରେ ବିଫଳ ହୋଇଛନ୍ତି। ଏହାକୁ ନେଇ ଶିକ୍ଷାବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି। ସେମାନଙ୍କ ମତରେ ସରକାରୀ କଲେଜଗୁଡ଼ିକର ଭିତ୍ତିଭୂମି ଦୁର୍ବଳ ହେବାରେ ଲାଗିଛି। ଆଗଭଳି ଆଉ ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରୁନାହାନ୍ତି। ଛାତ୍ରୀଙ୍କ ଶିକ୍ଷାର ପ୍ରାଣକେନ୍ଦ୍ର ରମାଦେବୀ ମହିଳା କଲେଜର ଛାତ୍ରୀ ୯୦%ରୁ ଅଧିକ ନମ୍ବର ନ ରଖିବା ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ପଦାରେ ପକାଉଛି। ମାଟ୍ରିକ୍‌ରେ ‘ଏ୧’ ଗ୍ରେଡ୍‌ ହାସଲ କରୁଥିବା ଛାତ୍ରଛାତ୍ରୀ ସରକାରୀ କଲେଜରେ ପଢ଼ୁଥିବା ବେଳେ ପରବର୍ତୀ ସମୟରେ କାହିଁକି ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି ତାହା ଉପରେ ଚିନ୍ତା କରିବାର ସମୟ ଆସିଛି। ଏଥିପ୍ରତି ରାଜ୍ୟ ସରକାର ସ୍ବତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ।

ଯୁକ୍ତ୨ ବିଜ୍ଞାନରେ କିସ୍‍ର ସଫଳତା: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍(କିସ୍‍)ର ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଏଠାରେ ପାସ୍‌ହାର ୭୫% ହୋଇଛି। ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଅଧିକ ସଫଳତା ହାସଲ କରିଛନ୍ତି। କିସ୍‌ରେ ୪୭୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଛାତ୍ରଛାତ୍ରୀଙ୍କ ସଫଳତାରେ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବିଜେବି ଜୁନିଅର କଲେଜ: ରାଜ୍ୟର ଏହି ପ୍ରମୁଖ କଲେଜରେ ପରୀକ୍ଷା ଦେଇଥିବା ୫୧୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୮୨ ଜଣ ପାସ୍‌ କରିଛନ୍ତି। ୩୪୫ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ବେଳେ ୧୦୭ ଜଣ ଦ୍ବିତୀୟ, ୩୦ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ନିମାଇଁ ବିଶ୍ବରଂଜନ ବେହେରା ୫୬୪ ନମ୍ବର ରଖି କଲେଜ ଟପର୍‌ ହୋଇଛନ୍ତି।
ବେସିକ୍‌ ସାଇନ୍ସ କଲେଜ: ଏଠାରେ ପରୀକ୍ଷା ଦେଇଥିବା ୩୬୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୩୪ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୧.୫ ପ୍ରତିଶତ ହୋଇଛି। ୨୩୭ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୭୬ ଜଣ ଦ୍ବିତୀୟ ଓ ୨୧ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ଦୁଇ ଜଣ ଛାତ୍ର ୯୦%ରୁ ଅଧିକ ମାର୍କ ରଖିଛନ୍ତି। ଛାତ୍ର ସୌମ୍ୟରଞ୍ଜନ ଷଣ୍ଢ ୯୦.୩୩% ମାର୍କ ରଖି କଲେଜ ଟପର୍‌ ହୋଇଛନ୍ତି। ୩୯ ଜଣ ଛାତ୍ରଛାତ୍ରୀ ୮୦%ରୁ ଅଧିକ ନମ୍ବର ରଖିଥିବା କଲେଜ ନିର୍ଦେଶକ ବିକାଶ ଚନ୍ଦ୍ର ପଣ୍ତା ସୂଚନା ଦେଇଛନ୍ତି।
ରମାଦେବୀ ମହିଳା ଜୁନିଅର କଲେଜ: ପରୀକ୍ଷା ଦେଇଥିବା ୩୮୫ ଛାତ୍ରୀଙ୍କ ମଧ୍ୟରୁ ୧୪୨ ଜଣ ପ୍ରଥମ, ୧୨୦ ଜଣ ଦ୍ବିତୀୟ, ୪୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ନନ୍ଦିନୀ ସାହୁ ସର୍ବାଧିକ ୫୨୭ ନମ୍ବର ରଖିଛନ୍ତି।
ରାଜଧାନୀ ଜୁନିଅର କଲେଜ: ଏଠାରେ ୩୫୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୨୬ ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ୧୧୫ ଜଣ ଦ୍ବିତୀୟ, ୬୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦେବାଶିଷ ମଙ୍ଗରାଜ ସର୍ବାଧିକ ୫୧୦ ମାର୍କ ରଖି କଲେଜ ଟପର୍‌ ହୋଇଛନ୍ତି।
ମହର୍ଷି କଲେଜ ଅଫ୍‌ ନାଚୁରାଲ ଲ’: ପରୀକ୍ଷା ଦେଇଥିବା ୪୯୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୬୯ ଜଣ ପାସ୍‌ କରିଛନ୍ତି। ୭୨ ଜଣ ପ୍ରଥମ ଶ୍ରେଣୀ, ୧୯୨ ଜଣ ଦ୍ବିତୀୟ ଓ ୧୦୫ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ଗୌରବ ରାଉତ ସର୍ବାଧିକ ୪୭୫ ନମ୍ବର ରଖିଛନ୍ତି।
କମଳା ନେହେରୁ ମହିଳା କଲେଜ: ପରୀକ୍ଷା ଦେଇଥିବା ୧୧୮ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୨ ଜଣ କୃତକାର୍ଯ୍ୟ ହୋଇଛନ୍ତି। ୧୭ ଜଣ ପ୍ରଥମ, ୪୨ ଜଣ ଦ୍ବିତୀୟ ଓ ୨୯ ଜଣ ୩ୟ ଶ୍ରେଣୀରେ ପାସ୍‌ କରିଛନ୍ତି। ଅମ୍ରିତା ପ୍ରଧାନ ୪୩୦ ନମ୍ବର ରଖିଥିବା ସୂଚନା ମିଳିଛି।
ଏକାମ୍ର କଲେଜ: ପରୀକ୍ଷା ଦେଇଥିବା ୩୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ ଜଣ ପ୍ରଥମ, ୫ ଜଣ ଦ୍ବିତୀୟ ଓ ୨ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ସବ୍ୟସାଚୀ ଦାସ ୩୮୦ ନମ୍ବର ରଖି କଲେଜ ଟପର୍‌ ହୋଇଛନ୍ତି।
ସତ୍ୟସାଇ ମହିଳା ମହାବିଦ୍ୟାଳୟ: ଏଠାରେ ପରୀକ୍ଷା ଦେଇଥିବା ୩୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୫ ଜଣ ପାସ୍‌ କରିଛନ୍ତି।
ସିଟି ଓମେନ୍ସ କଲେଜ: କଲେଜର ୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପ୍ରଥମ ଶ୍ରେଣୀରେ ୪ ଜଣ, ଦ୍ବିତୀୟ ଶ୍ରେଣୀରେ ୧୫ ଓ ତୃତୀୟ ଶ୍ରେଣୀରେ ୨୨ ଜଣ ପାସ୍‌ କରିଛନ୍ତି।
ଦେବରାୟ ଜୁନିୟର କଲେଜ: ଏଠାରେ ପରୀକ୍ଷା ଦେଇଥିବା ୮୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨ ଜଣ ପାସ୍‌ କରିଛନ୍ତି। ୫ ଜଣ ପ୍ରଥମ, ୨୧ ଜଣ ଦ୍ବିତୀୟ ଶ୍ରେଣୀ ଓ ୨୬ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ରବିନାରାୟଣ ପତି ୪୭୪ ମାର୍କ ରଖି କଲେଜ ଟପର୍‌ ହୋଇଛନ୍ତି।
ଆଚାର୍ଯ୍ୟ ହରିହର କଲେଜ: ପରୀକ୍ଷା ଦେଇଥିବା ୪୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୯ ଜଣ ପାସ୍ କରିଛନ୍ତି। ୨ ଜଣ ପ୍ରଥମ, ୫ ଜଣ ଦ୍ବିତୀୟ ଓ ୧୨ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର