ଭୁବନେଶ୍ବର: ଦିନକୁ ଦିନ ବିଜେବି କଲେଜ କ୍ୟାମ୍ପସର ସ୍ଥିତି ବିଗିଡ଼ିବାରରେ ଲାଗିଛି। ଗତ ୮ମାସ ମଧ୍ୟରେ କଲେଜ କ୍ୟାମ୍ପସରେ ପରସ୍ପର ବିରୋଧୀ ଛାତ୍ରଗୋଷ୍ଠୀ ୬ଥର ମୁହାଁ ମୁହିଁ ହେଲେଣି। ନିଜ ନିଜର ପତିହାରା ଜାହିର କରିବାଲାଗି ସେମାନେ କୌଣସି ସ୍ତରକୁ ବି ଯାଇ ପାରୁଛନ୍ତି। ରକ୍ତାକ୍ତ ହିଂସାକାଣ୍ଡ ଘଟାଇବାକୁ ବି ପଛାଉ ନାହାନ୍ତି। କିଛି ଛାତ୍ରଙ୍କ ଅଣଛାତ୍ର ସମର୍ଥକ ବି କ୍ୟାମ୍ପସରେ ପଶି ଛାତ୍ରଙ୍କୁ ଆକ୍ରମଣ କରୁଛନ୍ତି, ଛାତ୍ରୀଙ୍କୁ କମେଣ୍ଟ ମାରୁଛନ୍ତି।
ଜାନୁଆରି ୪: ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଜଣେ +୨ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରଙ୍କୁ ୨୦ରୁ ଅଧିକ ଛାତ୍ର ଘେରିଯାଇ ଗାଳି ଗୁଲଜ କରିବା ସହ ଚାପୁଡ଼ା, ଗୋଇଠା, ଧକ୍କା ମାରି ଲହୁଲୁହାଣ କରିଥିଲେ।କ୍ୟାମ୍ପସର ଏକ ଗଛ ତଳେ ବସାଇ ନିର୍ଯାତନା ଦେଲେ। ସ୍ପଷ୍ଟ ଦିବାଲୋକରେ କଲେଜ କ୍ୟାମ୍ପସ ଭିତରେ ସମସ୍ତଙ୍କ ଉପସ୍ଥିତିରେ ସେ ଛାତ୍ରମାନଙ୍କର ଏଭଳି ଆତଙ୍କରାଜକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା।

Advertisment

ଏପ୍ରିଲ୍‌ ୧୬: ମଦ ପାଇଁ ଟଙ୍କା ନ ଦେବାରୁ ଜଣେ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ଜଣେ ଅଣଛାତ୍ର ବିୟର ବୋତଲରେ ଆକ୍ରମଣ କରି ରକ୍ତାକ୍ତ କରିଥ‌ିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି +୩ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ରଙ୍କ ସହିତ ଉକ୍ତ ଅଣଛାତ୍ରର ବିବାଦ ଲାଗି ରହିଥିଲା। ଘଟଣା ଦିନ ଅପରାହ୍‌ଣ ପ୍ରାୟ ୫.୩୦ରେ ରେ ଛାତ୍ର ଜଣକ କଲେଜରୁ ଫେରୁଥିବା ବେଳେ ଆଟର୍ସ ବ୍ଲକ ନିକଟରେ ଅଣଛାତ୍ର ନିଜର ଜଣେ ସହଯୋଗୀ ସହିତ ମିଶି ତାଙ୍କୁ ଅଟକାଇ ମଦ ପାଇଁ ଟଙ୍କା ମାଗିଥିଲେ। ସେ ଟଙ୍କା ଦେବାକୁ ମନା କରିଦେବାରୁ ଉଭୟ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ସେ ପ୍ରତିବାଦ କରିବାରୁ ପାଖରେ ପଡ଼ିଥିବା ଏକ ଭଙ୍ଗା ବିୟର ବୋତଲ ଆଣି ତାଙ୍କ ଉପରେ ଆକ୍ରମଣ କରିଥିଲେ। ଘଟଣାରେ ପୁଲିସ ଉକତତ ଦୁଇ ଅଣଛାତ୍ରଙ୍କୁ ଗିରଫ କରିଥିଲା। ଏପ୍ରିଲ୍‌ ୨୨: ସକାଳ ପ୍ରାୟ ୧୦ଟା ବେଳେ କିଛି ଅଣଛାତ୍ର କଲେଜ ପଡ଼ିଆରେ କ୍ରିକେଟ୍‌ ‌ଖେଳୁଥିବା ସମୟରେ ଆମ୍ବେଦକର ହଷ୍ଟେଲର କେତେଜଣ ଛାତ୍ର ମଧ୍ୟ କ୍ରିକେଟ୍‌ ଖେଳିବା ପାଇଁ ସେଠାକୁ ଯାଇଥିଲେ। ଅଣଛାତ୍ରମାନେ ପଡ଼ିଆ ନଛାଡ଼ି ଦାଦାଗିରି ଦେଖାଇଥିଲେ। ଏହାକୁ ନେଇ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ତା’ପରେ ଅଣଛାତ୍ରମାନେ ସେଠାରୁ ଚାଲି ଯାଇଥିଲେ, ଛାତ୍ରମାନେ ଖେଳ ଆରମ୍ଭ କରିଥିଲେ। ତେବେ ତା’ର ପ୍ରାୟ ଅଧଘଣ୍ଟା ପରେ ହଠାତ୍ ୩୦ରୁ ଅଧିକ ଅଣଛାତ୍ର କଲେଜ ପାଚେରି ଡେଇଁ ପଡ଼ିଆକୁ ମାଡ଼ି ଆସିଥିଲେ। ଖଣ୍ଡା, ଭୁଜାଲି, ଲୁହା ରଡ୍‌, ପାଇପ୍‌ ଭଳି ମାରଣାସ୍ତ୍ରରେ ସେମାନେ ଅଚାନକ ଛାତ୍ରମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ଆକ୍ରମଣରେ ତିନିଜଣ ଛାତ୍ର ଗୁରୁତର ଆହତ ହୋଇଥିଲେ। ଘଟଣାରେ ପୁଲିସ ୮ ଅଣଛାତ୍ରଙ୍କୁ ଗିରଫ କରିଥିଲା।

ଅଗଷ୍ଟ ୪: କଲେଜ ପରିସରରେ ଛାତ୍ରୀଙ୍କୁ କମେଣ୍ଟମାରିବା ସହ ଏସିଡ୍ ମାଡ଼ ଧମକ ଦେବା ନେଇ ଆମ୍ବେଦକର ହଷ୍ଟେଲ ନିକଟରେ ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଘଟଣା ଦିନ ଆମ୍ବେଦକର ହଷ୍ଟେଲର କେତେଜଣ ଛାତ୍ର ଯୁକ୍ତଦୁଇ ପ୍ରଥମ ବର୍ଷର କିଛି ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ବ୍ୟକ୍ତିଗତ ଆକ୍ଷେପ କରିଥିଲେ। ତାଙ୍କ ଭିତରୁ ଜଣେ ନାବାଳିକା ଛାତ୍ରୀ ଏନେଇ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିବାକୁ ଚେତାବନୀ ଦେବାପରେ ସଂପୃକ୍ତ ଛାତ୍ରମାନେ ଉକ୍ତ ନାବାଳିକାଙ୍କୁ ଏସିଡ୍ ମାଡ଼ ଧମକ ଦେଇଥିଲେ। କଲେଜରେ ତାଙ୍କ ଚରିତ୍ରସଂହାର କରିବାକୁ ମଧ୍ୟ ଚେତାବନୀ ଦେଇଥିଲେ। ଏସବୁ ପରେ ମଧ୍ୟ ଛାତ୍ରୀଜଣକ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥି‌ଲେ। ଏଥିରେ ରାଗିଯାଇ ଅଭିଯୁକ୍ତ ଛାତ୍ରମାନେ ଛାତ୍ରୀ ଅଭିଯୋଗ କରିବାଲାଗି ଅଧ୍ୟକ୍ଷଙ୍କ ପାଖକୁ ଯିବା ସମୟରେ ତାଙ୍କ ସାଙ୍ଗରେ ଯାଇଥିବା ତାଙ୍କ ବନ୍ଧୁମାନଙ୍କୁ ଆକ୍ରମଣ କରିଥି‌ଲେ। ଏଥିରେ ଦୁଇଜଣ ଛାତ୍ର ଆହତ ହୋଇଥିଲେ। ମାମଲାରେ ବଡ଼ଗଡ଼ ଥାନା ପୁଲିସ ୪ ଜଣ ନାବାଳକ ଛାତ୍ରଙ୍କୁ ଖୋର୍ଦ୍ଧା ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରିଥିଲା। ‌ ଅଗଷ୍ଟ ୧୫: ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜରେ ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ତ୍ରିରଙ୍ଗା ନେଇ ଗୋଟିଏ ଛାତ୍ର ଗୋଷ୍ଠୀ କଲେଜ କ୍ୟାମ୍ପସ ଭିତରକୁ ଯିବାବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ ସୁରକ୍ଷା କର୍ମୀଙ୍କୁ କହି କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଏହାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଥିଲା।