ବିଜେବି କଲେଜରେ ଲ୍ୟାପ୍‌ଟପ୍‌ ବିତରଣ

ଭୁବନେଶ୍ବର: ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ବିଜୁ ଯୁବ ସଶକ୍ତୀକରଣ ଯୋଜନା ଅନ୍ତର୍ଗତ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆଜି ଲ୍ୟାପ୍‌ଟପ୍ ବିତରଣ କରାଯାଇଛି। ପୂର୍ବାହ୍ନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶିକ୍ଷାର୍ଥୀମାନଙ୍କୁ ଲ୍ୟାପ୍‌ଟପ୍‌ ବଣ୍ଟନ କରିଥିଲେ। ଉଚ୍ଚଶିକ୍ଷା ଦିଗ୍‌ବଳୟକୁ ସଂପ୍ରସାରିତ କରିବା ଓ ଗୁଣାତ୍ମକ ଶିକ୍ଷାକୁ ବୈଷୟିକ କୌଶଳଭିତ୍ତିକ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଏହି ଯୋଜନା ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ କରିବ ବୋଲି ଏହି ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଖୋର୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଏଥିରେ ଉପସ୍ଥିତ ଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରସନ୍ନ କୁମାର ମହାନ୍ତି, କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ଇନ୍ଦୁଭୂଷଣ ମହାନ୍ତି, ଓଆଇସି ଶ୍ରୀକାନ୍ତ ବେହେରା, ପ୍ରଫେସର ହୃଷୀକେଶ ମହାନ୍ତି, ଅଧ୍ୟାପକ ପ୍ରଶାନ୍ତ ପରିଡ଼ା, ରାଜମୋହନ ମହାନ୍ତି, ସବୀନ୍ଦ୍ର କୁମାର ସାମଲ, ଲକ୍ଷ୍ମୀଧର ଭୋଳ, ଅଧ୍ୟାପିକା ଅନନ୍ୟା ମହାପାତ୍ର ଓ ଜ୍ୟୋତ୍ସ୍ନାରାଣୀ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ୨୦ ତାରିଖ ଯାଏଁ ଚାଲିବ। ପ୍ରକାଶଥାଉ କି, ଖୋର୍ଧା ଜିଲ୍ଲାର ୯୮ଟି କଲେଜର ୨୩୬୧ଜଣ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍‌ ପ୍ରଦାନ କରିବା ପାଇଁ ନୋଡାଲ କଲେଜ ଭାବେ ବିଜେବି କଲେଜକୁ ଦାୟିତ୍ବ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର