ଯୁକ୍ତ ଦୁଇ ପ୍ରଥମ ବର୍ଷ ପାସ୍‌ ବାଧ୍ୟତାମୂଳକ ପ୍ରସଙ୍ଗ : ବିଜେବି କଲେଜ୍‌ରେ ଛାତ୍ର ଅସନ୍ତୋଷ

ଭୁବନେଶ୍ୱର : ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ଫେଲ୍‌ ହେଲେ ଆଉ ଦ୍ବିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ। ଏଭଳି ନିର୍ଦ୍ଦେଶନାମା ଜାରି ହେବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ପ୍ରସଙ୍ଗକୁ ନେଇ ଆଜି ବିଜେବି କଲେଜ୍‌ରେ ଛାତ୍ର ଅସନ୍ତୋଷ ‌ଦେଖା ଦେଇଥିଲା। ଶତାଧିକ ଛାତ୍ର କଲେଜ କାର୍ଯ୍ୟାଳୟ ଆଗରେ ହୋ-ହଲ୍ଲା କରିବା ସହ ରାସ୍ତାରେ ଧାରଣା ଦେଇଥିଲେ। ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ଘଟଣାସ୍ଥଳରେ ବଡ଼ଗଡ଼ ଥାନା ପୁଲିସ ପହଞ୍ଚିଥିଲା। କଲେଜ୍‌ ଅଧ୍ୟକ୍ଷ ମଧ୍ୟ ଛାତ୍ରମାନଙ୍କୁ ବୁଝାଶୁଝା କରିଥିଲେ। ଫେବ୍ରୁଆରି ମାସରେ ପରୀକ୍ଷା ହେବା ନେଇ କୌଣସି ଘୋଷଣା ହୋଇନାହିଁ। ଏଣୁ ଏବେଠାରୁ ଛାନିଆ ହେବାର ଆବଶ୍ୟକତା ନାହିଁ। ପରୀକ୍ଷା ଯଥେଷ୍ଟ ପୂର୍ବରୁ କୋର୍ସ ସରିବ। ଏଣୁ ବ୍ୟସ୍ତ ହେବାର ନାହିଁ ବୋଲି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେବାରୁ ସେମାନେ ଧାରଣାରୁ ଉଠିଥିଲେ।

ତେବେ ଫେବ୍ରୁଆରିରେ ପରୀକ୍ଷା ହେବ ବୋଲି କିଏ କହିଲା ଓ ଆନ୍ଦୋଳନ ପାଇଁ କିଏ ଉସ୍‌କାଇଲା ବୋଲି ଏବେ ପ୍ରଶ୍ନ ଉଠୁଛି। ସେ ନେଇ କୌଣସି ସ୍ପଷ୍ଟ ଉତ୍ତର କାହାଠାରୁ ମିଳି ପାରିନାହିଁ। କଲେଜ୍‌ ଅଧ୍ୟକ୍ଷ ବିଷ୍ଣୁଚରଣ ଦାସ କହିଛନ୍ତି, ଏ ନେଇ ଆମେ ମଧ୍ୟ ଚିନ୍ତିତ ଅଛୁ। କିଏ ପିଲାମାନଙ୍କୁ ପରୀକ୍ଷା ହେବା ନେଇ ମିଛ କହିଛି ବା ଉସୁକାଇଛି, ତାକୁ ଖୋଜିବୁ। ଏ ବାବଦରେ ଷ୍ଟାଫ୍‌ କାଉନସିଲ୍‌ ବୈଠକରେ ତର୍ଜମା ହେବ। କେହି ଦୋଷୀ ଜଣାପଡ଼ିଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର