ଛାତରୁ ପଡି ଛାତ୍ରୀ ମୃତ୍ୟୁ ଘଟଣାରେ ସସପେନ୍ସ : ‘ବାଏ.. ବାଏ.. ପିପୁଲ୍‌’ ପରେ‌ ସବୁ ଶେଷ

ଭୁବନେଶ୍ବର : ‘ବାଏ ବାଏ ପିପୁଲ……’ କୁଆଡେ ଯିବୁ ବୋଲି ଜଣେ ସାଙ୍ଗଙ୍କ ଚାଟିଂ ପ୍ରଶ୍ନର ଉତ୍ତରରେ ‘ହେଲ୍, ମେ ବି ହେଭେନ୍’ (ନର୍କ କିମ୍ବା ସ୍ବର୍ଗ)କୁ ଯାଇପାରେ। ଏ ହେଉଛି ବିଜେବି ନଗରରେ ରବିବାର ଦିନ ଚାରି ମହଲା ଛାତରୁ ପଡ଼ି ପ୍ରାଣ ହରାଇଥିବା ଛାତ୍ରୀ କୃତ୍ତିକା ମିଶ୍ରଙ୍କ ଇନଷ୍ଟାଗ୍ରାମର ଶେଷ ପୋଷ୍ଟ। ଛାତରୁ ଖସି ପଡିଲେ ନା ଆତ୍ମହତ୍ୟା କରିଛନ୍ତି ତା ଉପରୁ ପରଦା ଉଠି ନ ଥିବା ବେଳେ ଇନଷ୍ଟାଗ୍ରାମ୍ ପୋଷ୍ଟକୁ ନେଇ ସନ୍ଦେହ ବଢିବାରେ ଲାଗିଛି। ଏହି ଘଟଣା ପରେ କୃତ୍ତିକାଙ୍କର ଆଉ ଜଣେ ସାଙ୍ଗର ପୋଷ୍ଟକୁ ନେଇ ରହସ୍ୟ ବଢିଛି। ସାଙ୍ଗର ସେହି ପୋଷ୍ଟରେ ଉଲ୍ଲେଖ ରହିଛି, ‘ତୋତେ ତୋ ନିଜ ଲୋକ ଠକିଦେଲେ। ମୁଁ ବି ତା’ର ଭାଗିଦାରୀ। ଏ କଥା ତୁ ବି ଜାଣିଥିଲୁ। ତଥାପି ପୁଣି ଥରେ ତୁ ମୋ ସାଙ୍ଗରେ ବନ୍ଧୁତା କରିବାକୁ ଚେଷ୍ଟା କରିଥିଲୁ। କିନ୍ତୁ ମୁଁ ତୋ ଭାବନାକୁ ବୁଝି ପାରି ନ ଥିଲି। ଶେଷରେ ତୁ ଏମିତି କରିବୁ ବୋଲି ମୁଁ କେବେ ବି ଭାବି ନ ଥିଲି।’ କୃତ୍ତିକାଙ୍କ ଆଉ ଗୋଟିଏ ପୋଷ୍ଟରେ ‘ପେନ୍ ଫିୟର୍ ହେଟ୍’ ଅର୍ଥାତ୍‌ ଯନ୍ତ୍ରଣା, ଭୟ ଓ ଘୃଣା ବୋଲି ଉଲ୍ଲେଖ ରହିଛି। ଆଉ ଶେଷରେ ଡ୍ରିପେସନ୍ ବୋଲି ଲେଖାଯାଇଛି। ଆଉ ଜଣେ ସାଙ୍ଗ ଗୋଟିଏ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ତୁ ସବୁବେଳେ ତୋ ଘର ଲୋକଙ୍କୁ ଖୁସି କରିବୁ ବୋଲି କହୁଥିଲୁ, କିନ୍ତୁ ଏ କ’ଣ କଲୁ। ଗତ କିଛିଦିନ ମଧ୍ୟରେ କୃତ୍ତିକାଙ୍କର ଏକାଧିକ ଇନଷ୍ଟାଗ୍ରାମ୍ ପୋଷ୍ଟ ଏବଂ ମୃତ୍ୟୁ ପରେ ତାଙ୍କ ସାଙ୍ଗ ମାନଙ୍କ ପୋଷ୍ଟ ଭିନ୍ନ ଦିଗକୁ ନିର୍ଦ୍ଦେଶ କରୁଛି। ପରିବାର ଲୋକେ ମୁହଁ ଖୋଲୁ ନ ଥିବା ବେଳେ ଇନଷ୍ଟାଗ୍ରାମ ପୋଷ୍ଟ ବାଏ ବାଏ ପିପୁଲ, ଡିପ୍ରେସନ୍, ଡେଥ୍ ନୋଟରୁ ଆତ୍ମହତ୍ୟା ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁ ନାହିଁ ତ? ଯଦି କୃତ୍ତିକାଙ୍କ ପୋଷ୍ଟକୁ ତର୍ଜମା କରାଯାଏ ତାହାଲେ ସେ କାହିଁକି ‘ପେନ୍, ଫିଅର୍ ଆଉ ହେଟ୍’ ଲେଖିଥିଲେ? କାହା ପ୍ରତି ତାଙ୍କର କଷ୍ଟ, ଭୟ ଓ ଘୃଣା ଭାବ ରହିଥିଲା? ସେ ଡିପ୍ରେସନରେ ରହୁଥିଲେ କି? କାହିଁକି ଏକ ପୋଷ୍ଟରେ ପରଫେକ୍ଟ ବୋଲି ଲେଖା ରହିଥିଲା? କୌଣସି ସାଙ୍ଗସାଥୀ କିମ୍ବା ସମ୍ପର୍କୀୟଙ୍କଠାରୁ ସେ ଧୋକା ଖାଇଥିଲେ କି? ଯାହା ତାଙ୍କ ମୃତ୍ୟୁର କାରଣ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ଏହି ଘଟଣା ଉପରୁ ପରଦା ଉଠି ନ ଥିବା ବେଳେ ବଡ଼ଗଡ଼ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ସତ, କିନ୍ତୁ ଏହା ଏକ ଦୁର୍ଘଟଣା ବୋଲି କହିଛି।

ସ୍କୁଲରେ ଶୋକାକୁଳ ପରିବେଶ
କୃତିକା ବିଜେଇଏମ୍ ସ୍କୁଲର ଛାତ୍ରୀ ଥିଲେ। କୃତିକାଙ୍କ ମୃତ୍ୟୁ ପରେ ସ୍କୁଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏଥିପାଇଁ ଏକ ଶ୍ରଦ୍ଧା଼ଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରୀକ୍ଷା ଚାଲୁଥିବାରୁ କୃତିକାଙ୍କ ସିଟ୍ ସେମିତି ଫାଙ୍କା ପଡିଥିଲା। କୃତିକା ଜଣେ ଭଲ ଛାତ୍ରୀ ଥିଲେ ଓ ଭଲ ପାଠ ପଢୁଥିଲେ ବୋଲି ସ୍କୁଲ ଅଧ୍ୟକ୍ଷା କହିଛନ୍ତି।

ସମ୍ବନ୍ଧିତ ଖବର