ଭୁବନେଶ୍ବର: ବିଏମ୍ସି ମେୟର୍ ପ୍ରାର୍ଥୀ ଘୋଷଣା ପ୍ରସଙ୍ଗରେ କଂଗ୍ରେସ ଆଗେଇ ଯାଇଛି। ଆଜି ଦଳ ବିଧିବଦ୍ଧ ଭାବେ ମେୟର ପ୍ରାର୍ଥୀଙ୍କୁ ଆଗକୁ ଆଣିଛି। କିନ୍ତୁ ବିଜେଡି ଓ ବିଜେପି ଆଜି ବି ମେୟର ପ୍ରାର୍ଥୀଙ୍କ ନାମ ଝୁଲେଇ ରଖିଛନ୍ତି। ଉଭୟ ଦଳ ମେୟର ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିଥିବା ସ୍ପଷ୍ଟ ହୋଇଛି। ସେହି ନାମ ଜାଣିବାକୁ ରାଜଧାନୀବାସୀ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ମଧ୍ୟ ନାମ ଘୋଷଣା କରାଯାଉ ନାହିଁ। ନାମ ଘୋଷଣା ଯେତିକି ବିଳମ୍ବ ହେଉଛି, ବିଭିନ୍ନ ନାମକୁ ଚର୍ଚ୍ଚା ସେତିକି ବଢ଼ୁଛି। ଉଭୟ ଦଳ ଛକାପଞ୍ଝା ମଧ୍ୟରେ ନାମ ଘୋଷଣା କରୁନାହାନ୍ତି। ପ୍ରାର୍ଥିପତ୍ର ଦାଖଲକୁ ଆଉ ତିନି ଦିନ ବାକି ଥିଲା ବେଳେ ଆସନ୍ତାକାଲି ଉଭୟ ଦଳ ନାମ ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି।
ବିଜେଡିର ମେୟର ପ୍ରାର୍ଥୀଙ୍କୁ ନେଇ ସର୍ବାଧିକ ଚର୍ଚ୍ଚା ଜାରି ରହିଛି। ପ୍ରତିଦିନ ନୂଆ ନୂଆ ନାଁ ତାଲିକାରେ ଯୋଡ଼ି ହୋଇ ଚାଲିଛି। ଦଳର ବହୁ ନାରୀନେତ୍ରୀ ଆଶାୟୀ ହୋଇପଡ଼ିଛନ୍ତି। ସମସ୍ତେ ଦଳର ସଭାପତିଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି। ଭୁବନେଶ୍ବର ତିନି ବିଧାୟକ ଓ ବରିଷ୍ଠ ନେତାମାନେ କେହି ଏ ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି। ଆସନ୍ତାକାଲି ହିଁ ନାମ ଘୋଷଣା ହେବ ବୋଲି ଦଳୀୟ ମହଲରୁ ସୂଚନା ମିଳିଛି। ଭୁବନେଶ୍ବର ଜିଲ୍ଲା ବିଜେଡି ସଂଗଠନ ସହ ଜଡ଼ିତ ନ ଥିବା ମହିଳା ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି।
ବିଜେପି ଗତକାଲିଠାରୁ ମେୟର୍ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିସାରିଛି। ଦଳର ସଂଗଠନ ବାହାରୁ ଜଣେ ମହିଳା ପ୍ରାର୍ଥୀ ହେବେ। କିନ୍ତୁ ନାମ ଆଜି ବି ଘୋଷଣା ହୋଇପାରିନାହିଁ। ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଛନ୍ତି, ମେୟର ଟିକେଟ ପାଇଁ ବହୁତ ଆବେଦନ ଆସିଛି। ରାଜ୍ୟ ସଭାପତିଙ୍କ ସହ ସବିଶେଷ ଆଲୋଚନା ଚାଲିଛି। ସେ ହିଁ ନିଷ୍ପତ୍ତି ନେବେ। ଆସନ୍ତାକାଲି(ଶନିବାର) ଭିତରେ ନାମ ଘୋଷଣା ହେବ। ପଞ୍ଚାୟତର ପ୍ରଭାବ ପୌର ନିର୍ବାଚନ ଉପରେ ପଡ଼ିବ ନାହିଁ ବୋଲି ସେ ପୁଣି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।
ଉଭୟ ଦଳର ଆଭିମୁଖ୍ୟରୁ ସ୍ପଷ୍ଟ ହେଉଛି ଯେ ମେୟର ପ୍ରାର୍ଥୀଙ୍କର ଭୁବନେଶ୍ବର ଜିଲ୍ଲା ସଂଗଠନ ସହ କୌଣସି ସମ୍ପର୍କ ନାହିଁ। ଏଭଳି ସ୍ଥିତିରେ ପୁଣି ସେମାନଙ୍କ ହାତରେ ପ୍ରଚାର ପାଇଁ ମାତ୍ର ୧୬ ଦିନ ସମୟ ମିଳିବ। ଏତିକି ଦିନରେ ସବୁ ୱାର୍ଡ ବୁଲିବା ବି କଷ୍ଟକର ହୋଇପଡ଼ିବ। ତେଣୁ ଭୋଟର୍ଙ୍କ ନିକଟତର ହେବାର ସମ୍ଭାବନା କମ୍। ସେମାନେ କେବଳ କର୍ପୋରେଟର୍ଙ୍କ ପ୍ରଚାରରେ ଉପର ଠାଉରିଆ ସାମିଲ ହୋଇ ନିର୍ବାଚନୀ ବୈତରଣୀ ପାର ହେବେ। ତେଣୁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ସେମାନଙ୍କ ପ୍ରଚାର ତରିକା କିପରି ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।