ବାରଙ୍ଗ : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜାନା(ବିଏସ୍‌କେୱାଇ) ସ୍ବାସ୍ଥ୍ୟକାର୍ଡ ବଣ୍ଟନକୁ ନେଇ ଗୁରୁବାର ଦିନ ଭୁବନେଶ୍ବର ବ୍ଲକ ଦାରୁଠେଙ୍ଗରେ ବିଜେଡି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ। ଦୁଇ ଦଳର କିଛି କର୍ମୀ ଏଥିରେ ଆହତ ହୋଇଥିବା ବେଳେ କିଛି ନେତା ମଧ୍ୟ ଠେଲାପେଲାର ଶିକାର ହୋଇଥିଲେ। ଜଟଣୀ ବିଧାୟକ ସୁର ରାଉତରାୟଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ୍ କରାଯାଇନଥିବାକୁ ପ୍ରତିବାଦ କରି କଂଗ୍ରେସ କର୍ମୀମାନେ ସାଂସଦ ମୁନ୍ନା ଖାଁଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିବା ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଚନ୍ଦକା ଥାନା ପୁଲିସ ଉଭୟ ପକ୍ଷଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ କରାଇଥିଲା। ଏହାକୁ ନେଇ ଦାରୁଠେଙ୍ଗରେ ଏବେ ବି ଉତ୍ତେଜନା ଲାଗିରହିଛି।

Advertisment

ଏବେ ପଞ୍ଚାୟତ ନିର୍ବାଚନକୁ ନେଇ ପ୍ରାୟ ସବୁ ପଞ୍ଚାୟତରେ ଉଷ୍ମ ରାଜନୈତିକ ବାତାବରଣ ଲାଗି ରହିଛି। ସବୁ ରାଜନୈତିକ ଦଳର ଆଶାୟୀମାନେ ସକ୍ରିୟ ଅଛନ୍ତି। ତେଣୁ ସ୍ବତଃ ପଞ୍ଚାୟତଗୁଡ଼ିକରେ ଛକାପଞ୍ଝା ଲାଗିରହିଛି। ଏମିତି ସମୟରେ ଗୁରୁବାର ଦିନ ଏଠାରେ ବିଜୁ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଓ ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଥିଲେ। ମାତ୍ର ସ୍ଥାନୀୟ ବିଧାୟକ ସୁର ରାଉତରାୟଙ୍କୁ ଏହି କାର୍ଯ୍ୟକ୍ରମରେ ଅତିଥି କରାଯାଇନଥିଲା। ଫଳରେ ବିଜେଡ଼ି ଏହି କାର୍ଡ ବଣ୍ଟନକୁ ରାଜନୀତିକରଣ କରୁଥିବା ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏଥିରୁ ଫାଇଦା ଉଠାଉଥିବା ଅଭିଯୋଗ କରି କଂଗ୍ରେସ କର୍ମୀମାନେ ଏହାକୁ ବିରୋଧ କରିବାକୁ ପ୍ରସ୍ତୁତ ହୋଇରହିଥିଲେ। ମଞ୍ଚକୁ ଅତିଥିମାନେ ଆସିବା ପୂର୍ବରୁ କଂଗ୍ରେସ କର୍ମୀମାନେ ନାରାବାଜି କରିବା ସହ ସାଂସଦ ଶ୍ରୀ ଖାଁଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଥିଲେ। ସେମାନଙ୍କୁ ପ୍ରତିରୋଧ କରିବାକୁ ଯାଇ ବିଜେଡି କର୍ମୀମାନେ କଂ‌ଗ୍ରେସ କର୍ମୀମାନଙ୍କୁ ଘେରି ଯାଇଥିଲେ। ଫଳରେ କଥା ହାତାହାତି ଯାଏ ଯାଇଥିଲା। ମୁଥମାଡ଼ରେ ଉଭୟ ଦଳର କର୍ମୀ ଆହତ ହୋଇଥିଲେ।

କଂଗ୍ରେସ କର୍ମୀମାନେ ସାଂସଦ ଶ୍ରୀ ଖାଁଙ୍କୁ ଠେଲାପେଲା କରିଥିବା ବେଳେ ବିଜେଡି କର୍ମୀମାନେ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କୁ ଠେଲାପେଲା କରିଥିଲେ। ସ୍ଥାନୀୟ ଭଦ୍ରବ୍ୟକ୍ତି ତଥା ମୁରବି ଶ୍ରେଣୀୟ ଲୋ‌କେ ଉଭୟ ପକ୍ଷର କର୍ମୀଙ୍କୁ ବୁଝାସୁଝା କରିଥିଲେ ବି କିଛି ସମୟ ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା। ପୁଲିସ ବହୁ କଷ୍ଟରେ ଉଭୟ ପକ୍ଷଙ୍କୁ ନିୟନ୍ତ୍ରଣ କରିଥିଲା। ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ୧୪୩୩ ଜଣ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା।