ଭୁବନେଶ୍ୱର: ଭୁବନେଶ୍ବର ବିଜେଡି ସଂଗଠନରେ ଫାଟ ବଢ଼ିବାରେ ଲାଗିଛି। ଦୁଇ ଦିନ ତଳେ ଶଙ୍ଖ ଭବନରେ ହୋଇଥିବା ହଙ୍ଗାମା ଥମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। କଳି ଆଉ ବୟାନବାଜିରେ ସୀମିତ ନାହିଁ, ଥାନାରେ ପହଞ୍ଚିଲାଣି। ପରସ୍ପର ବିରୋଧରେ ଗୋଟିଏ ପରେ ଗୋଟିଏ ଏତଲା ବିଜେଡି କଳି ଚର୍ଚ୍ଚାକୁ ସରଗରମ କରିଛି। ଏଣେ ବରିଷ୍ଠ ନେତା ମଧ୍ୟ ଏହାକୁ ସମାଧାନ କରିବାକୁ ଚାହୁନାହାନ୍ତି। ସମସ୍ତେ ଯେମିତି ଏମାନଙ୍କୁ ପରସ୍ପର ଭିତରେ ଲଢ଼ିବାକୁ ଛାଡ଼ି ହାତ ଟେକି ଦେଇଛନ୍ତି। ଖୋଦ ରାଜଧାନୀ, ଯେଉଁଠି ସମସ୍ତ ବରିଷ୍ଠ ନେତାଙ୍କ ସହ ସଭାପତି ରହୁଛନ୍ତି ସେଠାରେ ଏଭଳି କଳି ସମାଧାନ ନ ହେବା ସାରା ରାଜ୍ୟରେ ବିଜେଡିର ଭାବମୂର୍ତ୍ତି ନଷ୍ଟ କରିଛି। ଏହି ପ୍ରସଙ୍ଗରେ ଦୁଇଟି ଥାନାରେ ଉଭୟ ଗୋଷ୍ଠୀ ପକ୍ଷରୁ ୩ଟି ଏତଲା ଦିଆ ସରିଲାଣି। 

Advertisment

ହରତାଳ କରିବା ପାଇଁ ବିଜେଡିର ଏକ ପ୍ରସ୍ତୁତି ବୈଠକ ରବିବାର ଶଙ୍ଖ ଭବନରେ ବସିଥିଲା। ବୈଠକରେ କର୍ପୋରେଟର୍‌ ଅମରେଶ ଜେନା(ବାଇଁଆ) ଓ ବିରଞ୍ଚି ନାରାୟଣ ମହାସୂପକାର(ଲିଟୁ)ଙ୍କୁ ବୈଠକରେ ବିରୋଧ ହେବା ପରେ ସେମାନେ ନୂଆ ପ୍ରସଙ୍ଗ ଉଠାଇଥିଲେ।  ଏକାମ୍ର ନିର୍ବାଚନମଣ୍ଡଳୀର ବିଜୁ ଯୁବ ଜନତା ଦଳର ସଭାପତି ତଥା ୬୫ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥୀ ରାଜେଶ ପାତ୍ର ବିଜେପିର ସଦସ୍ୟ ହୋଇଛନ୍ତି ବୋଲି ସେମାନେ ଅଭିଯୋଗ କରିବା ସହ ନବୀନ ନିବାସ ଯାଇ ସଭାପତିଙ୍କୁ ଅବଗତ କରାଇବେ ବୋଲି ଚେତାବନୀ ଦେଇଥିଲେ। ଉଭୟ ଗଣମାଧ୍ୟମକୁ ରାଜେଶଙ୍କ ବିଜେପି ସଦସ୍ୟତାର ପ୍ରମାଣ ଦେଖାଇଥିଲେ। 

ଏଭଳି ଘଟଣା ଗଣମାଧ୍ୟମରେ ପ୍ରସାରିତ ହେବ ପରେ ରାଜେଶ ପାତ୍ର ବାଇଁଆ-ଲିଟୁଙ୍କ ନାମରେ କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିଥିଲେ। ବାଇଁଆ ଓ ଲିଟୁଙ୍କର ଅଭିଯୋଗକୁ ସେ ଖଣ୍ଡନ କରି କହିଥିଲେ, ବିଜେଡି ବ୍ୟତୀତ ମୁଁ କୌଣସି ଦଳର ସଦସ୍ୟ ହୋଇନାହିଁ। ବିଜେପି ସଦସ୍ୟତା ପ୍ରମାଣପତ୍ରର ଜାଲିଆତି କରି ଉଭୟ ଗଣମାଧ୍ୟମରେ ଦେଖାଇଛନ୍ତି। ଫଟୋସପ୍‌ରେ ଏହା ଏଡିଟ୍‌ କରାଯାଇଛି। ଏହା ଦ୍ବାରା ମୋର ମାନ ସମ୍ମାନ ଆଞ୍ଚ୍‌ ଆସିଛି। ମୁଁ ଏ ବିଷୟରେ ଯେତେବେଳେ ଉଭୟଙ୍କ ଦୃଷ୍ଟି ଆକର୍ଷଣ କଲି ସେମାନେ ଗାଳିଗୁଲଜ କଲେ। ଏପରିକି ମୋତେ ଜୀବନରୁ ମାରି ଦିଆଯିବ ବୋଲି ଧମକ ଦେଇଛନ୍ତି।  ରାଜେଶଙ୍କ ଏତଲା ସମ୍ପର୍କରେ ଜଣାପଡ଼ିବା ପରେ ଗତକାଲି ରାତିରେ ବାଇଁଆ-ଲିଟୁଙ୍କ ସହଯୋଗୀ ତଥା ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ବିବେକ କୁମାର ସ୍ବାଇଁ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ।

ଏଥିରେ ସେ ଦର୍ଶାଇଥିଲେ, ଗତକାଲି କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ନିକଟରେ ଅଶୋକ ପଣ୍ଡା ପହଞ୍ଚି ବାଇଁଆ-ଲିଟୁଙ୍କୁ ସମର୍ଥନ କଲେ ପରିସ୍ଥିତି ଭୟଙ୍କର ହେବ କହିଥିଲେ। ଦୁଇଜଣ ସହଯୋଗୀଙ୍କ ସହ ଧକ୍କା ମଧ୍ୟ ମାରିଥିଲେ। ଗାଡ଼ି ଚଢ଼ାଇ ମାରିଦେବାକୁ ଧମକ ଦେଇଥିଲେ। ତୋ ଯୋଗୁ ମୁଁ ନିର୍ବାଚନରେ ହାରିଛି। ତୋତେ ଦଳରୁ ନିଲମ୍ବିତ ନକଲେ ଶାନ୍ତିରେ ବସି ପାରିବିନି ବୋଲି କହିଥିଲେ। ଅନୁରୂପ ଢ଼ଙ୍ଗରେ ଅବିନାଶ କୁମାର ପାତ୍ର ନାମକ ଜଣେ ଯୁବକ ଏୟାରଫିଲ୍ଡ ଥାନାରେ ଆଜି ରାଜେଶ ପାତ୍ରଙ୍କ ନାମରେ ଏତଲା ଦେଇଛନ୍ତି। ଗତକାଲି ପୂର୍ବାହ୍ନ ୧୧ଟାରେ ନ୍ୟୁ ଫରେଷ୍ଟ ପାର୍କ କଲୋନିରେ ରାଜେଶ ପାତ୍ର ପହଞ୍ଚି ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ନିଜକୁ ‘ଅଶୋକ ଭାଇନା’ଙ୍କ ପିଲା କହିବା ସହ ‘ତୁ ଲିଟୁ ପିଲା, ତୋତେ ଜୀବନରୁ ମାରିଦେବି’ ଧମକ ଦେଇଥିବା ଅଭିଯୋଗ ହୋଇଛି। 

ଏଭଳି ତିନିଦିନ ମଧ୍ୟରେ ଦୁଇଟି ଥାନାରେ ତିନିଟି ଏତଲା ହୋଇଛି। ଗୋଟିଏ ପଟେ କଳି ବଢ଼ି ବଢ଼ି ଚାଲୁଥିବା ବେଳେ ବରିଷ୍ଠ ନେତା ମୁଣ୍ଡ ନ ପୂରାଇବା ଦଳରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଦଳର ବିନାନୁମତିରେ କେହି ଗଣମାଧ୍ୟମରେ ମୁହଁ ଖୋଲିବେନି ବୋଲି ନିର୍ଦ୍ଦେଶ ଜାରି କରିଥିବା ବିଜେଡି ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ ବି ହାତ ଟେକି ଦେଇଛନ୍ତି। ଆଉ କିଛି ଦିନ ପରେ ଗାନ୍ଧୀ ଜୟନ୍ତୀରେ ବିଜେଡିର ପଦଯାତ୍ରା ଆରମ୍ଭ ହେବ। ଭୁବନେଶ୍ବର ସଂଗଠନରେ ଏପରି ଫାଟକୁ ତାଳି ପକାଇ କିପରି ବିଜେଡି ସାଂଗଠନିକ କାର୍ଯ୍ୟ ଆରମ୍ଭ କରିବ, ତାହା ଉପରେ ରାଜନୈତିକ ମହଲର ନଜର ରହିଛି।