ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମରେ ନିର୍ବାଚନ ନାହିଁ। ତା’ସତ୍ତ୍ବେ ସରଗରମ ସହରର ରାଜନୀତି। ବିଜେଡି ସରକାରରୁ ଯିବା ପରେ ଫଳକ ଲଗାଇବାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଥିବା ତୁ ତୁ ମେଁ ମେଁ ଏବେ ଧୀରେ ଧୀରେ ଉଗ୍ରରୂପ ନେଇଛି। ରାଜ୍ୟସ୍ତରରେ ଉଭୟ ଦଳର ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଛି। ହେଲେ ରାଜଧାନୀରେ ଶାସକ ଓ ବିରୋଧୀ ଦଳର ନେତାମା‌ନେ କିନ୍ତୁ ଏବେ ମୁହାଁମୁହିଁ ପରିସ୍ଥିତିରେ ପହଞ୍ଚିଛନ୍ତି। ଗତ କିଛି ଦିନ ଧରି ବିଭିନ୍ନ ଘଟଣାକୁ ଅନୁଧ୍ୟାନ କରି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏବେ ଏମିତି ମତ ଦେଲେଣି।

Advertisment

ଭୁବନେଶ୍ବର ସମେତ ସାରା ରାଜ୍ୟରୁ ବାଂଲାଦେଶୀଙ୍କୁ ତଡ଼ିବାରୁ ରାଜ୍ୟ ସରକାର ଘୋଷଣା କଲେ। ଏ ନେଇ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଗଲା। ଏହାକୁ ବିରୋଧ କରି ନ ଥିଲେ ମଧ୍ୟ ବିଏମ୍‌ସିର ମେୟର ସୁଲୋଚନା ଦାସ ଖୋଲା‌ଖୋଲି ଭାବେ ବାଂଲାଦେଶୀଙ୍କ ସପକ୍ଷରେ ବକ୍ତବ୍ୟ ଦେଇଥିଲେ। ଶ୍ରୀମତୀ ଦାସ କହିଥିଲେ, ଯେଉଁମାନେ ଅନୁପ୍ରବେଶକାରୀ ସେମାନଙ୍କୁ ବାହାର କରାଯିବ। ମାତ୍ର ଯେଉଁ ବାଂଲାଦେଶୀଙ୍କର ଆଧାର, ରାସନ୍‌ କିମ୍ବା ଭୋଟର କାର୍ଡ ରହିଛି ସେମାନଙ୍କୁ ବାହାର କରିବା ସମ୍ଭବପର ନୁହେଁ। ସେମାନଙ୍କୁ କିଭଳି ଭଲରେ ରଖିବା ତାହା ଆମମାନଙ୍କ ଦାୟିତ୍ବ। ମେୟରଙ୍କ ଏଭଳି ବକ୍ତବ୍ୟ ପରେ ସହରର ରାଜନୀତି ନୂଆ ରୂପ ନେଇଛି। ବିଜେପି ମେୟରଙ୍କ କୁଶପୁତ୍ତଳିକା ଦାହ କରିଥିଲା। ସହରର ସମସ୍ତ ଥାନାରେ ମେୟରଙ୍କ ନାଁରେ ଏତଲା ଦିଆଯିବ ବୋଲି ଆଞ୍ଚଳିକ ସୁରକ୍ଷା ମଞ୍ଚ ସଭାପତି ତଥା ବିଜେପି ନେତା ଜଗନ୍ନାଥ ପ୍ରଧାନ ସୂଚନା ଦେଇଥିଲେ। ଇତିମଧ୍ୟରେ ଦୁଇଟି ଥାନାରେ ଏତଲା ଦିଆଯାଇଛି। କଥା ଏତିକିରେ ଶେଷ ହୋଇନି। ଶାସକ ବିଜେପିକୁ ଘେରିବାକୁ ବିଜେଡି ଫଳକ ରାଜନୀତିକୁ ଅସ୍ତ୍ର କରିଛି।  ଫଳକ ଲଗାଇବା ଓ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦରେ ଗତ ସପ୍ତାହରେ ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ଓ ମଧ୍ୟ ଭୁବନେଶ୍ବର ବିଧାୟକ ‌ଅନନ୍ତ ନାରାୟଣ ଜେନା ପ୍ରମୁଖ ବିଏମ୍‌ସି କମିସନର ରାଜେଶ ପ୍ରଭାକର ପାଟିଲଙ୍କୁ ଭେଟି ଅଭିଯୋଗ ଆଣିଥିଲେ। ଭୁବନେଶ୍ବର ମହାନଗର ନିଗମ ଆଇନକୁ ଉଲ୍ଲଂଘନ କରାଯିବା ସହ ଜନପ୍ରତିନିଧିଙ୍କୁ ଅଣଦେଖା କରାଯାଉଥିବା ବିଜେଡି ନେତାମାନେ ରୋକ୍‌ଠୋକ୍ ଶୁଣାଇଥିଲେ। ହେଲେ ବିଜେପି ଏସବୁକୁ ଭ୍ରୁକ୍ଷେପ କରିନି। 

ବାଂଲାଦେଶୀ ପ୍ରସଙ୍ଗରେ ଉଭୟ ଦଳର ନେତା ମୁହାଁମୁହିଁ
ମନ୍ତ୍ରୀଙ୍କ ଗସ୍ତରେ ବିଜେଡି ବିଧାୟକମାନଙ୍କୁ ଅଣଦେଖା
ବିଜେଡି ଗରଗର ହେଉଛି, ବିଜେପି କିଛି ଶୁଣୁନି

ଓଲଟା ଆଉ ଏକ ଚିତ୍ର ଦେଖିବାକୁ ମିଳୁଛି। ଭୁବନେଶ୍ବର ସାଂସଦ ଓ ଏକାମ୍ର ବିଧାୟକ ଶାସକ ବିଜେପି ଦଳର ହୋଇଥିବାରୁ ଏକାମ୍ର ନିର୍ବାଚନମଣ୍ଡଳୀରେ ଲାଗୁଥିବା ଫଳକରେ ଉଭୟ ସାଂସଦ ଓ ବିଧାୟକଙ୍କ ନାମ ରହୁଛି। ମାତ୍ର ଭୁବନେଶ୍ବର ମଧ୍ୟ ଓ ଉତ୍ତର ନିର୍ବାଚନମଣ୍ଡଳୀରେ ସମସ୍ୟା ସୃଷ୍ଟି ହେଉଛି। ବିଶେଷକରି ଯେଉଁଠାରେ ବିଧାୟକ ବିଜେଡିର, କିନ୍ତୁ ଅଧିକାଂଶ ୱାର୍ଡରେ ବିଜେପି ନେତା ଅଛନ୍ତି, ସେଠି ବେଶି ଅଡ଼ୁଆ। ଏଇ ଯେମିତି ଉତ୍ତର ଭୁବନେଶ୍ବରରେ ନିର୍ବାଚନମଣ୍ଡଳୀର ଅଧିକାଂଶ ୱାର୍ଡରେ ବିଜେଡି କର୍ପୋରେଟର୍‌ ଥିବାରୁ ଫଳକ ରାଜନୀତି ଟିକିଏ କମ୍‌ ରହିଛି। ମାତ୍ର ମଧ୍ୟ ଭୁବନେଶ୍ବରରେ ବିବାଦ ଶୀର୍ଷସ୍ତରରେ ପହଞ୍ଚିଛି। ବିଜେପି ଓ ସ୍ବାଧୀନ କର୍ପୋରେଟର ଥିବା ୱାର୍ଡରେ କୌଣସି ପ୍ରକଳ୍ପ ଉଦ୍‌ଘାଟନ କିମ୍ବା ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବକୁ ବିଜେଡି ବିଧାୟକ ଶ୍ରୀ ଜେନାଙ୍କୁ ଡକାଯାଉନାହିଁ। ବରଂ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ନିମନ୍ତ୍ରଣ କରାଯାଇ ପ୍ରକଳ୍ପ ଲୋକାର୍ପିତ କରାଯାଉଛି।

ଉଭୟ ଦଳର ନେତାଙ୍କ ମଧ୍ୟରେ ଲାଗିରହିଥିବା ତିକ୍ତତା ମଙ୍ଗଳବାର ଆହୁରି ବ୍ୟାପକ ହୋଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସହରର ଜଳବନ୍ଦୀ ସମସ୍ୟା ବୁଲି ଦେଖିବା ସମୟରେ ମଧ୍ୟ ବିପକ୍ଷ ଦଳର ଜନପ୍ରତିନିଧିଙ୍କୁ ଡକାଯାଇ ନ ଥି‌ଲା। ମଧ୍ୟ ଓ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ବିଭନ୍ନ ସ୍ଥାନକୁ ମନ୍ତ୍ରୀ ଶ୍ରୀ ମହାପାତ୍ର ଗସ୍ତ କରିଥିଲେ ମଧ୍ୟ ସ୍ଥାନୀୟ ବିଧାୟକଙ୍କୁ ଖୋଜି ନ ଥିଲେ। ଭୁବନେଶ୍ବର ମେୟର ସୁଲୋଚନା ଦାସ ମଧ୍ୟ ମନ୍ତ୍ରୀଙ୍କ ଗସ୍ତ ସମୟରେ ମଧ୍ୟ ଉପସ୍ଥିତ ନ ଥିଲେ। ବରଂ ଏକାମ୍ରର ବିଜେପି ବିଧାୟକ ବାବୁ ସିଂହ ଓ ଗତ ବିଧାନସଭା ନିର୍ବାଚନରେ ମଧ୍ୟ ଭୁବନେଶ୍ବରରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନ ଓ ଉତ୍ତର ଭୁବନେଶ୍ବରର ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କୁ ସାଙ୍ଗରେ ଧରି ମନ୍ତ୍ରୀ ଜଳବନ୍ଦୀ ସ୍ଥିତିର ସମୀକ୍ଷା କରିଥିଲେ। ଏମିତିକି ୱାର୍ଡର କର୍ପୋରେଟରଙ୍କୁ ମଧ୍ୟ ଏହି ଗସ୍ତରେ ସାମିଲ କରାଯାଇ ନ ଥିଲା। ଆଗାମୀ ଦିନରେ ଏହା କେଉଁ ରୂପ ନେଉଛି ତାହା ଉପରେ ଏବେ ସମସ୍ତଙ୍କର ନଜର।