ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଶୁଭାରମ୍ଭ ଅବସରରେ ବିଜେଡି-ବିଜେପି ସମର୍ଥକଙ୍କ ଜୋରଦାର ନାରାବାଜି; କମ୍ପିଲା ସଭାସ୍ଥଳ

ଭୁବନେଶ୍ବର:  ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଉଦଘାଟନ ଅବସରରେ ଜୋର ଧରିଲା ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ନାରାବାଜିର ପ୍ରତିଯୋଗିତା । ଲିଙ୍ଗରାଜ ମନ୍ଦିର ଦର୍ଶନ ସାରି ସଭାସ୍ଥଳରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେଠାରେ ଉପସ୍ଥିତ ବିଜୁ ଜନତା ଦଳର ସମର୍ଥକ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାବାଜି କରିଥିଲେ । ପୂରା ଅଂଚଳ ଏଥିରେ କମ୍ପିଥିଲା । ସେହିପରି ବିଜେପି ସମର୍ଥକମାନେ  ଧର୍ମେନ୍ଦ୍ରଙ୍କ ସମର୍ଥନରେ ମଧ୍ୟ ଜୋରଦାର ନାରାବାଜି କରିଥିଲେ ।  ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ନାରାବାଜିର ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା ।

ଅନ୍ୟପଟେ, ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଯୋଜନାରେ ଦେଖିବାକୁ ମିଳିଥିଲା ଆଉ ଏକ ରୋଚକ ଚିତ୍ର । ମଞ୍ଚ ଉପରେ ଭାଷଣ ଦେବା ବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବିନ୍ଦୁ ସାଗର ଓ ପୁରୁଣା ଭୁବନେଶ୍ବରରେ ଥିବା ସରୋବରଗୁଡ଼ିକ ପାଇଁ କ’ଣ ହୋଇଛି ବୋଲି ପ୍ରଶ୍ନ କରିଥିଲେ । ଆଖିକୁ କିଛି କାମ ହୋଇଥିବା ପରି ଦେଖା ଯାଉନି ବୋଲି ଆକ୍ଷେପ କରିଥିଲେ ଅପରାଜିତ।। ମଂଚରେ ଭାଷଣ ସମୟରେ ଏହାର ଜବାବ ରଖିଥିଲେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା । ଗୋଟି ଗୋଟି କରି ରାଜ୍ୟ ସରକାର କ’ଣ କ’ଣ କରିଛନ୍ତି ତାହାର ହିସାବ ଦେଇଥିଲେ ।

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପକୁ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହିତ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଏକାମ୍ର କ୍ଷେତ୍ରରେ ଐତିହ୍ୟ ସଂପନ୍ନ ବିନ୍ଦୁସାଗର ସଫେଇ ପାଇଁ ଆଗରୁ ବହୁ ଯୋଜନା ହୋଇଛି । ବର୍ତମାନ ଏକାମ୍ର ଯୋଜନା ପ୍ରକଳ୍ପରେ ଶ୍ରୀଲିଙ୍ଗରାଜ ମନ୍ଦିରର ବିଭିନ୍ନ ଉନ୍ନତିକରଣ କାମ ହାତକୁ ନିଆଯାଇଛି । ଏହି କ୍ରମରେ ଶୁଭାରମ୍ଭ ହୋଇଛି ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ । ବିନ୍ଦୁସାଗର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ବିନା ଶ୍ରୀଲିଙ୍ଗରାଜଙ୍କ ସୌନ୍ଦର୍ଯ୍ୟକରଣ କାମ ଅଧୁରା ରହିବ ।

ଏବେ ନୂଆ ଯୋଜନାରେ ବୈଜ୍ଞାନିକ ପଦ୍ଧତିରେ ବିନ୍ଦୁସାଗର ପୋଖରୀର ଜଳରାଶିକୁ ବିଶୋଧନ କରାଯିବ । ପ୍ରାଚୀନ ପୋଖରୀକୁ ପୁନରୁଦ୍ଧାର କରି ପୂର୍ବ ଅବସ୍ଥାକୁ ଫେରାଇ ଅଣାଯିବାକୁ ଉଦ୍ୟମ କରାଯାଉଛି । ଆଇଓସିଏଲ ଦ୍ୱାରା ପରିଚାଳିତ ଇନଷ୍ଟିଚୁଟ୍ ଅଫ୍ କେମିକାଲ୍ ଟେକ୍ନଲଜି, ଭୁବନେଶ୍ୱର ଏବଂ ଓଡିଶା ସେତୁ ନିର୍ମାଣ ନିଗମ ଏହି କାମ ହାତକୁ ନେଇଛି। ପ୍ରଥମେ ଏହି ପ୍ରକଳ୍ପରେ ବିନ୍ଦୁସାଗର ସଫେଇ କାମ କରାଯିବ । ପରେ ଏହାର ସୌନ୍ଦର୍ଯ୍ୟକରଣ କାମ କରାଯିବ ।

ସମ୍ବନ୍ଧିତ ଖବର